ବନ୍ୟା ପାଇଁ ସିଲ୍‌ ହେଲା ୫୭ନଂ ଜାତୀୟ ରାଜପଥ

ଭୁବନେଶ୍ୱର: ଲଗାଣ ବର୍ଷା ପରେ ବଢ଼ୁଛି ବଭିନ୍ନ ନଦୀର ଜଳସ୍ତର । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି । ଦୟା ନଦୀ ପାଇଁ ସୁନ୍ଦରପଦା ଆପାର୍ଟମେଣ୍ଟରେ ପାଣି ପଶିଥିବା ବେଳେ ଫସିରହିଥିବା ଲୋକଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଛି ।  ଅଗ୍ନିଶମ ବିଭାଗର କର୍ମଚାରୀ ମାନେ କିଛି ଗର୍ଭବତୀ ମହିଳାଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଆଗକୁ ଆହୁରି ଜଳସ୍ତର ବଢ଼ିବା ଆଶଙ୍କା ରହିଥିବାରୁ ଗାଁ ଲୋକେ ସହର ଛାଡ଼ୁଥିବା ଦେଖିବାକୁ ମିଳୁଛି ।

ସେପଟେ ଖୋର୍ଦ୍ଧାର ରାଜୁଆ ନଦୀରେ ଘାଇ ସୃଷ୍ଟି ହୋଇଛି । ତିରିମଲ ନିକଟରେ ୧୦୦ ଫୁଟର ଘାଇ ହେବା ଫଳରେ ଗାଁ ଭିତରକୁ ବନ୍ୟାଜଳ ପ୍ରବେଶ କରିଛି । ପ୍ରଶାସନ ପକ୍ଷରୁ ଲୋକ ମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଉଛି । ଖାଲି ସେତିକି ନୁହେଁ ବନ୍ୟା ପାଇଁ ଖୋର୍ଦ୍ଧା-ବଲାଙ୍ଗୀର ଏନଏଚକୁ ସିଲ କରିଛି ପ୍ରଶାସନ ।

ବନ୍ୟା ଜନିତ ଅଘଟଣକୁ ରୋକିବାକୁ ବାଘମାରି ଓ ସାରୁଅ ଠାରେ ଏନଏଚ-୫୭ନଂକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି । ଜାତୀୟ ରାଜପଥ ଉପରେ ୨ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ, ଗମନାଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

Comments are closed.