ତଣ୍ଟିଚିପି ହତ୍ୟା ପରେ ମୁଣ୍ଡକାଟ !, ପରିଚୟ ଜାଣିବା ପାଇଁ ପୋଷ୍ଟର ମାରିଲା ପୁଲିସ

ଭୁବନେଶ୍ବରରେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା

ଭୁବନେଶ୍ୱର: ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ପାଖରୁ ମିଳିଥିବା ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ରହସ୍ୟର ଗୁମର ଫିଟୁଛି। ଅଚିହ୍ନା ମହିଳାଙ୍କ ମୁଣ୍ଡକାଟ ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟରେ ସମ୍ପୃକ୍ତ ମହିଳାଙ୍କୁ ତଣ୍ଟିଚିପି ହତ୍ୟା ପରେ ମୁଣ୍ଡକାଟ କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ହେଲେ ପୁଲିସକୁ ବର୍ତ୍ତମାନ ପର୍ୟ୍ୟନ୍ତ ପୋଷ୍ଟମର୍ଟମ ରିପୋର୍ଟ ମିଳିନଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ଗତ ଗୁରୁବାର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ପାଖରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ଶବ ପଡ଼ିଥିବାନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ମୁଣ୍ଡ ପୁଲିସ ଖୋଜି ପାଇପାରିନାହିଁ। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ତଦନ୍ତ ପାଇଁ ଆଡିସିନାଲ୍‌ ଏସ୍‌ପି ରାଙ୍କର ଜଣେ ଅଫିସରଙ୍କ ତତ୍ତ୍ୱବଧାନରେ ୫ ଜଣିଆ ଟିମ୍‌ ଗଠନ କରାଯାଇଛି। ଆଜି ସୁଦ୍ଧା ମୁଣ୍ଡ ବିହୀନ ମହିଳାଙ୍କ ପରିଚୟ ଜଣାପଡ଼ିନାହିଁ। ଦାଶପୁର ପାଖରେ ମହିଳାଙ୍କ ମୃତଦେହ କେମିତି ପଡ଼ିଲା ଏବଂ ଏହି ମହିଳାଙ୍କ ହତ୍ୟାକାଣ୍ଡର ରହସ୍ୟ କ’ଣ ରହିଛି ତାହା ଜାଣିବା ପାଇଁ ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବୀତ କରିଛି। ଅପରପକ୍ଷରେ ମୁଣ୍ଡ ବିହୀନ ମହିଳାଙ୍କ ଆଉଥରେ ପୋଷ୍ଟମର୍ଟମ କରାଯିବା ପାଇଁ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)କୁ ପଠାଯାଇଛି। ସେହିପରି ମହିଳାଙ୍କ ପରିଚୟ ପାଇବା ପାଇଁ ପୁଲିସ ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଛି। ଏହି ଘଟଣାରେ ମୃତ ମହିଳାଙ୍କ ପରିଚୟ ଦେବା ପାଇଁ ପୁଲିସ ପକ୍ଷରୁ ଦୁଇଟି ମୋବାଇଲ୍‌ ନମ୍ବର ୮୨୮୦୩୩୮୩୨୩ ଓ ୮୨୮୦୩୩୮୨୯୬ ଜାରି କରାଯାଇଛି।

Comments are closed.