ସୂର୍ଯ୍ୟନଗର ବଢ଼ାଇଲା ଡ଼ର

-ଦୁଇଥର ନମୁନା ପରୀକ୍ଷା ପରେ ପଜିଟିଭ୍‍ -ସମ୍ପର୍କୀୟ କଲକାତାରୁ ଆସିନାହାନ୍ତି

ଭୁବନେଶ୍ୱର: ସୂର୍ଯ୍ୟନଗରର ନୂଆ କରୋନା ରୋଗୀ(ନବମ)ଙ୍କ ଭ୍ରମଣ ତଥ୍ୟ ଏବଂ ସେ କାହା କାହା ସହ ମିଶିଛନ୍ତି ବିଏମ୍‍ସି ଖୋଳତାଡ଼ ଜାରି ରଖିଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ ପୂର୍ବରୁ କଲକାତାକୁ ଯାଇଥିଲେ ହେଁ ଏଯାଏଁ ସେଠାରୁ ଫେରି ନଥିବା ଜଣାପଡ଼ିଛି। ହେଲେ ତାଙ୍କ ସମ୍ପର୍କୀୟ କଲକାତାରୁ ଫେରିଛନ୍ତି ବୋଲି ସ୍ଥାନୀୟ ଲୋକଙ୍କ ସହେନ୍ଦକୁ ଖଣ୍ଡନ କରାଯାଇଛି। ରୋଗୀ ଜଣଙ୍କୁ ୬୭ ବର୍ଷ ବୟସ ହୋଇଥିବାରୁ କରୋନା ଭୂତାଣୁ ବ୍ୟାପିବା ଆରମ୍ଭରୁ ଏଯାଏଁ ସେ ଅନ୍ୟ ରାଜ୍ୟକୁ ଭ୍ରମଣ କରିଥିବା ତଥ୍ୟ ଜଣାପଡି଼ନାହିଁ।

ଉକ୍ତ ଅଞ୍ଚଳରେ ପୂର୍ବରୁ ଯେଉଁ ୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମ୍ଭାବନା କ୍ଷୀଣ। ସେ କେବଳ କେତେକ ହସ୍ପିଟାଲ, ବିଏମ୍‍ସିର ସ୍ୱାସ୍ଥ୍ୟ ଶିବିର ଏବଂ ଦୋକାନକୁ ଯାଇଛନ୍ତି। ଏନେଇ ସେ ମଧ୍ୟ ପୂର୍ବରୁ ନମୁନା ପରୀକ୍ଷଣ କରାଇଛନ୍ତି। ସେତେବେଳେ ନେଗେଟିଭ୍‍ ଆସିଥିଲା। କିଛିଦିନ ତଳେ ସନ୍ଦେହ ଦୂର କରିବା ପାଇଁ ପରିବାର ପକ୍ଷରୁ ପୁଣି ତାଙ୍କର କୋଭିଡ୍‍-୧୯ ପରୀକ୍ଷା କରାଯାଇଥିଲା। ଏବେ ପଜିଟିଭ୍‍ ଆସିଛି। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ତାଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି। ସେ ପୂର୍ବରୁ ଯାଇଥିବା ହସ୍ପିଟାଲ, ସ୍ୱାସ୍ଥ୍ୟ ଶିବିର ଏବଂ ଦୋକାନ ବଜାରରେ କାହା କାହା ସହିତ ମିଶିଛନ୍ତି, ବିଏମ୍‍ସିର ସ୍ୱାସ୍ଥ୍ୟ ଟିମ୍‍ ପକ୍ଷରୁ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ଜଣାପଡ଼ିଛି। ହେଲେ ସୂର୍ୟ୍ୟନଗର ଆବଦ୍ଧାଞ୍ଚଳରେ ରହୁଥିବାରୁ ବିଏମ୍‍ସି ସ୍ୱାସ୍ଥ୍ୟ ସର୍ଭେଲାନ୍ସରେ ତାଙ୍କ ନମୁନା ନିଆଯାଇ ପରୀକ୍ଷଣ ହୋଇଥିଲା। ଏହା ନେଗେଟିଭ୍‍ ବାହାରି ଥିଲା। ସୂର୍ୟ୍ୟନଗରରେ ପୂର୍ବରୁ ୮ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ଏକ ମାସରୁ ଊର୍ଦ୍ଧ୍ବ ହେଲା ଆଉ ଉକ୍ତ ଅଞ୍ଚଳରେ ନୂତନ କରୋନା ପଜିଟିଭ୍‍ ଚିହ୍ନଟ ହୋଇ ନଥିଲେ। ଦୀର୍ଘଦିନ ପରେ ନବମ କରୋନା ରୋଗୀ ଚିହ୍ନଟ ହେବାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏନେଇ ତାଙ୍କ ପରିବାର ଚିନ୍ତିତ ଥିବା ସହ କିପରି କରୋନା ସଂକ୍ରମଣ ହେଲା ବୋଲି ସନ୍ଦେହ ପ୍ରକାଶ କରିଛନ୍ତି।

Comments are closed.