ଜିଓ ପ୍ଲାଟଫର୍ମସର ଦୁଇଟି କମ୍ପାନୀ ପକ୍ଷରୁ ଭାରତ ଡ୍ରୋନ୍ ମହୋତ୍ସବରେ କ୍ଷମତା ପ୍ରଦର୍ଶନ

ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍‌ର ଦୁଇଟି ସହଯୋଗୀ କଂପାନି ଏଷ୍ଟେରିଆ ଏରୋସ୍ପେସ୍ ଲିମିଟେଡ୍ ଓ ସାଂଖ୍ୟ ସୂତ୍ର ଲ୍ୟାବ୍‌ସ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଭାରତ ଡ୍ରୋନ୍ ମହୋତ୍ସବରେ ନିଜର ପ୍ରଯୁକ୍ତି କ୍ଷମତାକୁ ପ୍ରଦର୍ଶିତ କରାଯାଇଛି । ବେଙ୍ଗାଲୁରୁ ସ୍ଥିତ “ଏଷ୍ଟେରିଆ ଏରୋସ୍ପେସ୍ ଲିମିଟେଡ୍ ହେଉଛି ଏକ ଫୁଲ୍‌-ଷ୍ଟାକ୍ ଡ୍ରୋନ୍ ପ୍ରଯୁକ୍ତି କଂପାନି ଯାହା ଡ୍ରୋନ୍ ହାର୍ଡଓୟାର ସହିତ ସଫ୍‌ଟଓୟାର ଉପରେ ମଧ୍ୟ କାମ କରୁଛି । ସେହିପରି, ଜିଓ ପ୍ଲାଟଫର୍ମସ୍ ସହିତ ଜଡ଼ିତ ଦ୍ୱିତୀୟ କଂପାନି ହେଉଛି “ସାଂଖ୍ୟ ସୂତ୍ର ଲ୍ୟାବ୍‌ସ’ଯାହା ହେଉଛି ମଲ୍‌ଟିଫିଜିକ୍ସ, ଏରୋଡାଇନାମିକ୍ସ ସିମୁଲେସନ ସଫଟଓୟାର ଓ ଡିପ୍ ଟେକ୍ନୋଲୋଜିର ଏକ ବିଶେଷଜ୍ଞ ସଂସ୍ଥା । ଏହି ଦୁଇ କଂପାନି ମେ”୨୭ ଓ ୨୮ରେ ଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ହେଉଥିବା ଭାରତ ଡ୍ରୋନ୍ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଡ୍ରୋନ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏହି ମହୋତ୍ସବ ଆୟୋଜନ କରାଯାଇଛି ।

ମହୋତ୍ସବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବା ସହିତ ଏଷ୍ଟେରିଆ ଷ୍ଟଲ୍ ପରିଦର୍ଶନ କରି ଡ୍ରୋନ୍ ପ୍ରଯୁକ୍ତି ବିଷୟରେ ଜାଣିଥିଲେ ଏବଂ ରିମୋଟ୍ କଂଟ୍ରୋଲ୍ ସହାୟତାରେ ଡ୍ରୋନ୍‌କୁ ମଧ୍ୟ ଉଡ଼ାଇଥିଲେ । ଡ୍ରୋନ୍ ଶିଳ୍ପ ପ୍ରତି ରହିଥିବା ଦେଶର ଲକ୍ଷ୍ୟ ସମ୍ପର୍କରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ଯେ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଭାରତ ବିଶ୍ୱର ଡ୍ରୋନ୍ ହବରେ ପରିଣତ ହେବ । ଏଥିପାଇଁ ଭାରତ ସରକାର ଡ୍ରୋନ୍ ସହ ସମ୍ପର୍କିତ ଶିଳ୍ପକୁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଏଷ୍ଟେରିଆ ଷ୍ଟଲ୍ ପରିଦର୍ଶନରେ ଅତ୍ୟନ୍ତ ଉତ୍ସାହିତ ଥିବା ଏଷ୍ଟେରିଆ ଏରୋସ୍ପେସର ସହ-ପ୍ରତିଷ୍ଠାତା ନିହାର ବର୍ତକ କହିଛନ୍ତି ଯେ, “ଆମ ଆଗାମୀ ପିଢ଼ି ପାଇଁ ଡ୍ରୋନ୍ ଓ ସ୍କାଏଡେକ୍‌କୁ ପ୍ରଦର୍ଶନ କରିବା ଲାଗି ଏହି କାର୍ଯ୍ୟକ୍ରମ ହେଉଛି ଏକ ସୁନ୍ଦର ସୁଯୋଗ । ଦଶ ବର୍ଷ ପୂର୍ବେ ଆମେ ଭାରତରେ ଡ୍ରୋନ୍ କ୍ଷେତ୍ରରେ ପାଦ ରଖିଥିଲୁ ଏବଂ ସେବେଠାରୁ ଏହି ପ୍ରଯୁକ୍ତିର ଚାହିଦା ଓ ଉପଯୋଗରେ ବୃଦ୍ଧି ହେଉଥିବା ଆମେ ଦେଖୁଛୁ ।

ସେହିପରି, ସାଂଖ୍ୟ ସୂତ୍ର ଲ୍ୟାବ୍‌ସର ସିଇଓ ଡକ୍ଟର ସୁନିଲ ସେରଲେକର୍ କହିଛନ୍ତି ଯେ, “ଆମେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା କଥା କହୁଥିବା ବେଳେ ଆମେ ଦେଶରେ ବିଭିନ୍ନ ହାର୍ଡଓୟାର ନିର୍ମାଣ କରିବାର କ୍ଷମତା ଉପରେ ଗୁରୁତ୍ୱ ଦେଉଛୁ । କିନ୍ତୁ ସ୍ୱଦେଶୀ ଭାବେ ଡିଜାଇନ୍ କରାଯାଉଥିବା ଟୁଲ୍‌ସ ବିନା ଆତ୍ମନିର୍ଭର ହୋଇପାରିବାନି । ସାଂଖ୍ୟ ସୂତ୍ରରେ ଆମେ ଭାରତ ଓ ବିଶ୍ୱ ପାଇଁ ଡିପ୍ ଟେକ୍ନୋଲୋଜି ବିକଶିତ କରୁଛୁ ।

Comments are closed.