ସମ୍ପତ୍ତି ବିବାଦ, ମା’ ପୁଅ ଗୃହବନ୍ଦୀ! ୧୪୪ ଧାରା ଜାରି

ଭୁବନେଶ୍ବର: ନୂଆପଲ୍ଲୀ ଥାନା ଅଧୀନ ସିଆର୍‌ପି ଛକ ପ୍ରିୟଦର୍ଶିନୀ ମାର୍କେଟ ନିକଟରେ ଥିବା ଏକ ଘରେ ମା’ ପୁଅଙ୍କୁ ଗୃହବନ୍ଦୀ କରାଯାଇଥିବା ନେଇ ଖବର ପ୍ରସାରିତ ହୋଇଥିଲା। ଗତ ୫ ଦିନ ହେବ ମା’ ପୁଅ ଉକ୍ତ ଘରେ ବନ୍ଦୀ ଥିବା ନେଇ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକଙ୍କର ଭିଡ଼ ଜମିବା ସହିତ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଥିଲେ। ମା’ ପୁଅ ଦୁହେଁ ତାଲା ପଡିଥିବା ଗ୍ରିଲ୍‌ ଭିତରେ ଥାଇ ମୁକ୍ତି ପାଇଁ ସ୍ଥାନୀୟ ଏବଂ ପୁଲିସର ସହଯୋଗ ମାଗିଥିଲେ। ତେବେ ଖବର ପାଇ ପୁଲିସ ପହଞ୍ଚିବା ପରେ କ୍ଷେତ୍ର ସହକାରୀ ଆୟୁକ୍ତ ସଞ୍ଜୀବ କୁମାର ଶତପଥୀ ପହଞ୍ଚି ମା’ ପୁଅଙ୍କ ବୟାନ ରେକର୍ଡ କରିଥିଲେ। ଏହା ଏକ ସମ୍ପତ୍ତି ବିବାଦ ଘଟଣା ବୋଲି ଜଣାପଡିଥିଲା।

ଅନୁସନ୍ଧାନ ବେଳେ ଜଣାପଡିଛି, ଅନସୂୟା ମହାନ୍ତି(୭୬)ଙ୍କ ସ୍ବାମୀ କୈଳାସ ଚନ୍ଦ୍ର ମହାନ୍ତିଙ୍କର ମୃତ୍ୟୁ ହୋଇସାରିଛି। ଗତ ୨୦ ବର୍ଷ ହେବ ଅନସୂୟା ଅନ୍ୟତ୍ର ରହୁଥିଲେ। କୈଳାସ ଉକ୍ତ ଘରେ ତାଙ୍କ ଦ୍ବିତୀୟ ପତ୍ନୀଙ୍କ ସହିତ ଉକ୍ତ ଘରେ ରହୁଥିଲେ। କୈଳାସଙ୍କର ମୃତ୍ୟୁ ପରେ ଅନସୂୟା ଉକ୍ତ ସମ୍ପତ୍ତିକୁ ପାଇବା ଲାଗି ନିମ୍ନ ଅଦାଲତର ଦ୍ବାରସ୍ଥ ହୋଇଥିଲେ। ତେବେ ଉକ୍ତ ସମ୍ପତ୍ତିର ସେ ଉତ୍ତରାଧିକାରୀ ବୋଲି ଗତ ଅକ୍ଟୋବର ମାସରେ ନିମ୍ନ ଅଦାଲତ ନିର୍ଦେଶ ଦେଇଥିଲେ। ଏହାର ପ୍ରତିବାଦରେ ଦ୍ବିତୀୟ ପତ୍ନୀ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି। ମାମଲାର ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ସେଠାରେ ସ୍ଥିିତାବସ୍ଥା ଜାରି ରଖିବା ଲାଗି ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ତଥାପି ଗତ ୫ ଦିନ ତଳେ ଅନସୂୟା ତାଙ୍କ ପୁତ୍ର ସହିତ ସେଠାରେ ବଳପୂର୍ବକ ପ୍ରବେଶ କରିଥିଲେ। ଏପରିକି ଅନ୍ୟମାନଙ୍କୁ ଉକ୍ତ ଘରେ ପ୍ରବେଶ କରାଇବା ଆଶଙ୍କା କରି ସ୍ବର୍ଗତ କୈଳାସଙ୍କ ଦ୍ବିତୀୟ ପତ୍ନୀ ଘର ଫାଟକରେ ତାଲା ପକାଇ ଦେଇଛନ୍ତି। ଉକ୍ତ ଘର ବାହାରେ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ୧୪୪ ଧାରା ଜାରି କରିଥିବା ଜଣାପଡିଛି।

Comments are closed.