ସଡ଼କ ଦୁର୍ଘଟଣାରେ ୯ ମୃତ

ରାୟଗଡା/ବଲାଣି : ଆନ୍ଧ୍ର-ଓଡିଶା ସୀମା ପାର୍ବତୀପୁରମ୍ ଓ କେନ୍ଦୁଝର ଜିଲା ବଲାଣିର ବାରବାଙ୍କଠାରେ ଦୁଇଟି ଦୁର୍ଘଟଣାରେ ବୁଧବାର ୯ଜଣଙ୍କ ମୃତ୍ୟୁ ଘଟିଛି। ୧୧ଜଣ ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍‍ ଜିଲାର ଚୋଲାପଦମ ନିକଟରେ ଏକ ଅଟୋ-ଟ୍ରକ୍‍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅଟୋରେ ବସିଥିବା ୬ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୮ଜଣ ଆହତ ହୋଇଥିବା ବେଳେ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ସେହିଭଳି ରୁଗୁଡି ଥାନା ଅନ୍ତର୍ଗତ ବାରବାଙ୍କ ନିକଟରେ ଏକ ହାଇୱାକୁ ପଛରୁ ସ୍କର୍ପିଓ ଧକ୍କା ଦେବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ ଆଜି ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍‍ ଜିଲାର ଆଣ୍ଟିବାଲସା ଗାଁରୁ ଏକ ଅଟୋରେ ପ୍ରାୟ ୧୩ ଜଣ ଗ୍ରାମବାସୀ ତୁମଲବାଲସା ଗାଁକୁ ଏକ ଭୋଜି ଖାଇବାକୁ ଯାଇଥିଲେ। ସେଠାରେ ଭୋଜି ଖାଇ ଫେରୁଥିବାବେଳେ ଆନ୍ଧ୍ରପ୍ରଦେଶର କମରଡା ଥାନା ଅନ୍ତର୍ଗତ ଚୋଲାପଦମ ନିକଟରେ ଅପରାହ୍ଣ ସାଢେ ୩ଟା ବେଳେ ଅଟୋକୁ ସମ୍ମୁଖ ପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା। ଟ୍ରକ୍‍ ଧକ୍କାରେ ଅଟୋଟି ଚୁରମାର ହୋଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ଅଟୋରେ ଥିବା ୫ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୪ଜଣ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡିଛି। ମୃତକମାନେ ହେଲେ ମେଲକା ଆମ୍ମୁଡୁଆମ୍ମା(୪୫), ହୁଇକା ଲକ୍ଷ୍‍ମୀ(୪୫), ହୁଇକା ନାରସାମା(୪୩), ମେଲକା ସାରଦା(୩୦) ଓ ଭେଙ୍କେଟେସ୍‍ (୩୦)ବୋଲି ଜଣାପଡିଛି। ଅଟୋରେ ଥିବା ଅନ୍ୟ ୯ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ସଙ୍ଗେ ସଙ୍ଗେ ପାର୍ବତୀପୁରମ୍‍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଅଟୋ ଚାଳକ ହୁଇକା ଭେଙ୍କେଟେସ, ମେଲକା କମଳା, ହୁଇକା ସୁଦ୍ଧା, ହୁଇକା କଳାବତୀ, ହୁଇକା ସଚିବତୀ, ହୁଇକା ରାମାସ୍ୱାମୀ, ହୁଇକା ଭେଙ୍କେଟ୍‍, ହୁଇକା ତମନ୍ନା ଓ ଆରିକା ପ୍ରସାଦ। ତେବେ ଅଟୋ ଚାଳକ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ବିଶାଖାପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ସମସ୍ତ ଆହତଙ୍କୁ ପାର୍ବତୀପୁରମ୍‍ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏହି ଘଟଣା ଆଣ୍ଟିବାଲସା ଗ୍ରାମବାସୀଙ୍କୁ ସ୍ତବ୍ଧ କରିଦେଇଛି। ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ପରିବାରବର୍ଗ ଓ ଗ୍ରାମବାସୀଙ୍କ କାନ୍ଦବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ। ଖବର ପାଇ ଘଟଣାସ୍ଥଳରେ କମରଡା ପୁଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ପୁଲିସ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ କରୁଥିବା ଜଣାଯାଇଛି। ଦୁର୍ଘଟଣାସ୍ଥଳଟି ଓଡିଶା ସୀମା ଠାରୁ ମାତ୍ର ଦୁଇ କିମି ଦୂରରେ ଘଟିଛି।
ରୁଗୁଡି ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ବାରବାଙ୍କ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଭିତରେ ଜଣେ ମହିଳା ଥିବା ବେଳେ ଅନ୍ୟ ଦୁଇ ଜଣ ପୁରୁଷ ରହିଛନ୍ତି । ୩ ଗୁରୁତରଙ୍କ ମଧ୍ୟରୁ ଜଣେ ଶିଶୁ ରହିଥିବା ଜଣାପଡିଛି । ୨ ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଜଣଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଥିବାର ସୂଚନା ମିଳିଛି । ମୃତକ ମାନେ ହେଲେ ଭଦ୍ରାସହି ବିଜୁ ହଟିଂ ଅଞ୍ଚଳର ଅର୍ଜୁନ ମୁଣ୍ଡା, ରାଞ୍ଚି ମୁଣ୍ଡା ଓ ଜୁରିଆ ମୁଣ୍ଡା ବୋଲି ଜଣାପଡ଼ିଛି । ସୂଚନାନୁସାରେ, ରୁଗୁଡି ଥାନା ଅନ୍ତର୍ଗତ ରିମୂଳି ରାଜାମୁଣ୍ଡା ୫୨୦ ନମ୍ବର ଜାତୀୟ ରାଜପଥର ବାରବାଙ୍କ ନିକଟରେ ଏକ ହାଇୱା ଟ୍ରକ ଛିଡା ହୋଇଥିବା ବେଳେ ପଛ ପାଖରୁ ସ୍କୋର୍ପିଓ ଗାଡ଼ି ଅତି କ୍ଷିପ୍ର ଗତିରେ ଆସି ପଛ ପାଖରୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣା ଗ୍ରସ୍ଥ ଗାଡ଼ିରୁ ଲୋକଙ୍କୁ ଉଦ୍ଧାର କରି ଯୋଡ଼ା ସ୍ଥିତ ଟିସ୍କୋ ଡାକ୍ତରଖାନାକୁ ପଠାଇଥିଲେ । ତେବେ ଜଣେ ମହିଳା ସମେତ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଉକ୍ତ ସୂଚନା ପାଇ ରୁଗୁଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ଦୁଇଟି ଗାଡ଼ିକୁ ଜବତ କରିଛି ।

Comments are closed.