ଭୁବନେଶ୍ୱରରେ ବାରଣାସୀ ଘାଟ; ଝଲସୁଛି ତୋରଣ, ମନମୋହୁଛି ଓଡ଼ିଶାର କଳା ସଂସ୍କୃତି

ଭୁବନେଶ୍ୱର: ଆପଣ ଉତ୍ତରପ୍ରଦେଶର ବାରଣାସୀ ଘାଟ କେବେ ଯାଇଛନ୍ତି କି ? ଯଦି ଯାଇନାହାନ୍ତି ତେବେ ଭୁବନେଶ୍ୱରର ଷ୍ଟେସନ ବଜାରର ମା’ ଦୁର୍ଗାଙ୍କ ମଣ୍ଡପକୁ ନିଶ୍ଚୟ ଆସନ୍ତୁ । ଆଉ ଦେଖନ୍ତୁ ବାରଣାସୀ ଘାଟର ସୁନ୍ଦରତା ସହିତ ମା’ ଦୁର୍ଗାଙ୍କ ଚାନ୍ଦୀ ମୂର୍ତ୍ତି । ଗଙ୍ଗାଘାଟରେ ଦେଖିବାକୁ ମିଳିବେ ମୁନିରୁଷି, ସାଧୁସନ୍ଥ ଓ କୁନିକୁନି ମନ୍ଦିର ସହ ସୁନ୍ଦର ସୁନ୍ଦର ଡଙ୍ଗା ।

ଷ୍ଟେସନ ବଜାର ପୂଜା ମଣ୍ଡପ କମିଟି ପକ୍ଷରୁ ଚଳିତ ବର୍ଷ ମା’ଙ୍କ ଆଗମନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୁଇ ବର୍ଷର କରୋନା କଟକଣା ପରେ ଆକର୍ଶଣୀୟ ତୋରଣ ସାଙ୍ଗକୁ ମନମୁଗ୍ଧକର ସାଜସଜା ଶ୍ରଦ୍ଧାଳୁ ମାନଙ୍କୁ ଆକୃଷ୍ଟ କରୁଛି । ମା’ଙ୍କ ପାଇଁ ତିଆରି ହୋଇଥିବା ତୋରଣ ସମ୍ପୂର୍ଣ୍ଣ ଭାବେ ବାରଣାସୀ ଘାଟର ନକଲ ହୋଇଥିବା ବେଳେ ଗଙ୍ଗାନଦୀ ଘାଟରେ ମୁନିରୁଷି, ସାଧୁସନ୍ଥ ଓ କୁନିକୁନି ମନ୍ଦିର ସହ ଦେଖିବାକୁ ପାଇବେ ସୁନ୍ଦର ସୁନ୍ଦର ଡଙ୍ଗା ।

ଖାଲି ସେତିକି ନୁହେଁ ତୋରଣର କାନ୍ଥରେ ଦେଖିବାକୁ ମିଳିବ ଓଡ଼ିଶାର କଳା ଓ ସଂସ୍କୃତିର ସ୍ପର୍ଶ । କାରୀଗର ମାନେ ପ୍ଲାଷ୍ଟର ଅଫ ପ୍ୟାରିସ ସାହାଯ୍ୟରେ ଅନେକ ମୂର୍ତ୍ତି ତିଆରି କରିଛନ୍ତି । ଯାହା ଆପଣ ପଥରର ମୂର୍ତ୍ତି ପରି ଅନୁଭବ କରିବେ । ଖାଲି ସେତିକି ନୁହେଁ ତୋରଣର କାନ୍ଥରେ ଦେଖିବାକୁ ମିଳୁଛି ମା’ ଦୁର୍ଗାଙ୍କର ବିଭିନ୍ନ ରୂପ । ଯେଉଁ ରୂପରେ ମା’ ଅନେକ ରାଜ୍ୟରେ ପୂଜା ପାଉଛନ୍ତି । ତାହା ସହ ଗଣେଶ ମୂର୍ତ୍ତି ଓ କାରିଗରର ଅନ୍ୟାନ୍ୟ କାରିଗରୀର ନିଖୁଣତା ମଧ୍ୟ ଏହାରେ ଦେଖିବାକୁ ପାଇବେ ।

ସବୁଠାରୁ ବଡ଼ କଥା ହେଉଛି ଷ୍ଟେସନ ବଜରରେ ପୂଜା ପାଉଥିବା ମା’ଙ୍କ ମୂର୍ତ୍ତିକୁ ଆପଣ ଚାନ୍ଦୀରେ ଦେଖିବାକୁ ପାଇବେ । ମା’ଙ୍କ ମୂର୍ତ୍ତିରେ ୨କୁଇଣ୍ଟାଲ ୭ କେଜିର ଚାନ୍ଦୀ ବ୍ୟବହାର ହୋଇଥିବା ବେଳେ ୭ଶହ ୫୦ ଗ୍ରାମ ସୁନାର ମୁକୁଟ ପିନ୍ଧିଛନ୍ତି ମା’ ଜଗତଜନନୀ । ଯାହାକି ଭୁବନେଶ୍ୱରର ପ୍ରଥମ ଚାନ୍ଦୀ ମୂର୍ତ୍ତି । ଅନ୍ୟପଟେ ମା’ଙ୍କ ପୂଜା ସହ ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷା ଉପରେ ନଜର ରଖିଛି କମିଟି । ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଭିନ୍ନକ୍ଷମ ମାନଙ୍କ ପାଇଁ ହ୍ୱିଲ୍ ଚେୟାର ମାଧ୍ୟମରେ ମା’ଙ୍କ ଦର୍ଶନ କରାଇବାକୁ ବ୍ୟବସ୍ଥା ହୋଇଛି ।

Comments are closed.