ଆଜି ଆସିବେ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା

ଭୁବନେଶ୍ୱର/କଟକ: ଆଜି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହାକୁ ନେଇ ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ଶନିବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ଆଜି ସନ୍ଧ୍ୟାରେ ଦିଲ୍ଲୀରୁ ବାହାରି ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରଠାରେ ଦଳପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଶ୍ରୀ ଶାହା ଭୁବନେଶ୍ୱରରେ ରାତ୍ରିଯାପନ କରିବେ । ୮ତାରିଖ ସକାଳେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ।

ଏହାପରେ କଟକ ଗସ୍ତ କରି ଶ୍ରୀ ଶାହା ପ୍ରଥମେ ଓଡ଼ିଆ ବଜାରସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବା ସହିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ପରେ କଟକ ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବଙ୍କ ଦ୍ୱାରା ସ୍ଥାପିତ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ର ୭୫ ତମ ବାର୍ଷିକ ଉତ୍ସବ ‘ପ୍ରଜାତନ୍ତ୍ରର ଅମୃତ ଉତ୍ସବ’ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅପରାହ୍ଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ବରିଷ୍ଠ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ। ପରେ ଅପରାହ୍ଣ ୫ଟାରେ ‘ମୋଦୀ ଆଟ୍ ଦ ରେଟ୍ ୨୦’ ପୁସ୍ତକର ବୁକ୍‌ ରିଡିଂ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ ସାମନ୍ତସିଂହାର, ସିପ୍ରା ବାଜପେୟୀ ଓ ଠାକୁର ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ଜଣାପଡ଼ିଛି ଯେ ଶ୍ରୀ ଶାହା ସୋମବାର ନେତାଜୀ ସଂଗ୍ରହାଳୟ ପରେ ଇଣ୍ଡୋର ଷ୍ଟାଡିୟମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ । ବିଭିନ୍ନ ସ୍ଥାନରେ ତାଙ୍କୁ ଦଳୀୟ କର୍ମୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ କଟକ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶନିବାର ସିଆରପିଏଫ(କେନ୍ଦ୍ରୀୟ ରିଜର୍ଭ ସୁରକ୍ଷା ବଳ)ର ଏକ ଦଳ କଟକ ଆସି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ପରେ ଇଣ୍ଡୋର ଷ୍ଟାଡିୟମ ଆସି ସେଠାରେ କିଭଳି ସୁରକ୍ଷା ବ୍ୟବସ୍ଥା କରାଯିବ ସେ ନେଇ କଟକ ପୁଲିସ ସହ ଆଲୋଚନା କରିଥିଲେ । ତତ୍‌ସହିତ ଏହି ଦଳ ଷ୍ଟାଡିୟମ ପାର୍ଶ୍ବ ପାର୍କିଂସ୍ଥଳ ଏବଂ ଅସ୍ଥାୟୀ ହେଲିପ୍ୟାଡ ଆଦି ସ୍ଥାନ ବୁଲି ଦେଖିଥିଲେ। ଏହି କ୍ରମରେ ଇଣ୍ଡୋର ଷ୍ଟାଡିୟମ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା କେତେକ ଅସ୍ଥାୟୀ ଦୋକାନକୁ ଉଠାଇ ଦିଆଯାଇଛି। ଟ୍ରାଫିକ ସମସ୍ୟା ତଥା ସୁରକ୍ଷା ଦୃଷ୍ଟିକୋଣରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ପୁଲିସ କହିଛି।

 

Comments are closed.