ପକ୍ସୋ ଅଦାଲତଙ୍କ ରାୟ; ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ ଦଣ୍ଡାଦେଶ

ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦେଶ

ଭୁବନେଶ୍ୱର: ଜଣେ ନାବାଳିକାଙ୍କୁ ବ୍ଲାକମେଲ କରି ତିନିବର୍ଷ କାଳ ବଳାତ୍କାର ମାମଲାର ଶୁଣାଣି କରି ସ୍ବତନ୍ତ୍ର ଫାଷ୍ଟ ଟ୍ରାକ ଅଦାଲତ (ପକ୍ସୋ)ଜଜ ମୁରଲୀଧର ପ୍ରଧାନ ଦୁଇ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ପୀଡିତାଙ୍କୁ ୭ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି।

ସୂଚନା ମୁତାବକ ନାବାଳିକା ଜଣକ କଳିଙ୍ଗବିହାରସ୍ଥିତ ନିଜ ବଡବାପାଙ୍କ ଘରେ ରହି ପାଠ ପଢୁଥିଲେ । ସେହି ଘର ନିକଟରେ ଅଭିଯୁକ୍ତ ବିନୋଦ ସାହୁ ରହୁଥିଲେ। ୨୦୧୫ ମସିହାରେ ନାବାଳିକାଙ୍କୁ ବିେନାଦ ପ୍ରେମ ନିବେଦନ କରିଥିବା ବେଳେ ନାବାଳିକା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଦିନେ ନାବାଳିକା ଜଣକ ଘର ନିକଟରେ ଜଣେ ଯୁବକଙ୍କ ସହ କଥା ହେଉଥିବା ବେଳେ ବିନୋଦ ସେମାନଙ୍କ ଫଟୋ ଉଠାଇ ନେଇଥିଲା। ଏହାପରେ ପରିବାର ଲୋକଙ୍କୁ ଫଟୋ ଦେଖାଇଦେବ କହି ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲା।  ଫଟୋ ଫେରାଇଦେବା ଆଳରେ ନିଜ ଘରକୁ ଡାକି ବିନୋଦ ନାବାଳିକାଙ୍କୁ ବଳାତ୍କାର କରିଥିଲା ଏବଂ ସେସବୁର ଫଟୋ ଉଠାଇବା ସହ ଭିଡିଓ ରେକର୍ଡିଂ କରି ନେଇଥିଲା । ଏହି ଘଟଣା ବାହାରେ କହିଲେ ଭିଡିଓ ଓ ଫଟୋ ସବୁ ସାମାଜିକ ଗଣମାଧ୍ୟମରେ ପ୍ରସାର କରିଦେବାକୁ ଧମକ ଦେଇଥିଲା।

ପରେ ସେ ନିଜେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସହ ନିଜ ସାଙ୍ଗ ପବିତ୍ର ପଣ୍ଡା ଓ ସନ୍ତୋଷ ସାହୁଙ୍କୁ ଡାକି ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା। ଏସବୁର ଭିଡିଓ ରେକର୍ଡିଂ ମଧ୍ୟ କରିଥିଲା। ଦୁଇବର୍ଷ କାଳ ସେମାନେ ତାଙ୍କୁ ଦୁଷ୍କର୍ମ କରି ଚାଲିଥିଲେ । ନିର୍ଯାତନା ଅସହ୍ୟ ହେବାରୁ ନାବାଳିକା ଜଣକ ପରିବାର ଲୋକଙ୍କ ସହାୟତାରେ ସଖୀ କେନ୍ଦ୍ରରେ ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି)ରେ ହାଜର କରାଯାଇଥିଲା। ସିଡବ୍ଲ୍ୟୁସି ପକ୍ଷରୁ ଏନେଇ ୨୦୧୮ ମାର୍ଚ୍ଚ ୧୩ ତାରିଖରେ ତମାଣ୍ଡୋ ଥାନାରେ ଅଭିେଯାଗ କରାଯାଇଥିଲା। ପୁଲିସ ଏହି ଘଟଣାରେ ବିେନାଦ ସାହୁ ଓରଫ ପିଣ୍ଟୁ ଓ ପବିତ୍ର ପଣ୍ଡାଙ୍କୁ ଗିରଫ କରିଥିଲା ବେଳେ ଅନ୍ୟତମ ଅଭିଯୁକ୍ତ ସନ୍ତୋଷ ସାହୁ ଫେରାର ହୋଇଯାଇଥିଲା ।

ମାମଲାର ଶୁଣାଣି କରି ଅଦାଲତ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଇପିସିର ଦଫା ୩୭୬(୨)(ଆଇ)ରେ ୧୦ବର୍ଷ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅର୍ଥ ଅନାଦେୟ ଅଧିକ ଏକବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୩୭୬ (୨)ଦଫାର ଉପଧାରା ଅନୁସାରେ ଉଭୟଙ୍କୁ ସମାନ ଦଣ୍ଡାଦେଶ ଶୁଣାଇଛନ୍ତି। ସେହିପରି ପକ୍ସୋ ଆଇନର ଧାରା ୪୨ ଅନୁସାରେ ଅଦାଲତ ଉଭୟଙ୍କୁ ୨୦ବର୍ଷ ଜେଲ ସହ ୩୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସମସ୍ତ ଦଣ୍ଡାଦେଶ ଏକସଙ୍ଗେ ଲାଗୁ ହେବ। ପୀଡିତାଙ୍କୁ ୭ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି। କ୍ଷତିପୂରଣ ଅର୍ଥ ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବାକୁ ଖୋର୍ଦ୍ଧା ଜିଲା ଆଇନ ସେବା ପ୍ରାଧିକରଣ ସମ୍ପାଦକଙ୍କୁ ନିର୍ଦେଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ରାଜୀବ ସାସମଲ ମାମଲା ପରିଚାଳନା କରୁଥିଲେ।

Comments are closed.