୨୦୨୧ ଜୁନିୟର ପୁରୁଷ ହକି ବିଶ୍ବକପ୍ – ସମ୍ଭାବ୍ୟ ଆୟୋଜକ ତାଲିକାରେ ଭୁବନେଶ୍ବର

ନୂଆଦିଲ୍ଲୀ: ଆନ୍ତର୍ଜାତିକ ହକି ମହାସଂଘ ସୋମବାର ଘୋଷଣା କରିଛି ଯେ ୨୦୨୧ ଜୁନିୟର ପୁରୁଷ ହକି ବିଶ୍ବକପ୍‌ର ଆୟୋଜନ ଭାରତ କରିବ। କେଉଁ ସହର ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ; ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଭୁବନେଶ୍ବର ସମ୍ଭାବ୍ୟ ଆୟୋଜକ ଭାବେ ତାଲିକାରେ ରହିଛି ବୋଲି ହକି ଇଣ୍ଡିଆ ମଧ୍ୟସ୍ଥ ଏକ ସୂତ୍ରରୁ ପ୍ରକାଶ। ୨୦୧୮ରେ ଭୁବନେଶ୍ବରରେ ସିନିୟର ପୁରୁଷ ହକି ବିଶ୍ବକପ୍ ସଫଳତାର ସହ ଆୟୋଜନ ହୋଇଥିଲା। ଯଦି ୨୦୨୧ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ବରକୁ ମିଳେ; ତେବେ କ୍ରମାଗତ ୩ଟି ହକି ବିଶ୍ବକପ୍ ଆୟୋଜନ କରିବାର ସୌଭାଗ୍ୟ ଲାଭକରିବ ଓଡ଼ିଶାର ମନ୍ଦିର ନଗରୀ। ସୂଚନାଯୋଗ୍ୟ; ୨୦୨୩ ସିନିୟର ପୁରୁଷ ହକି ବିଶ୍ବକପ୍ ଭୁବନେଶ୍ବର ଓ ରାଉରକେଲାରେ ଆୟୋଜନ ହେବ ବୋଲି ପୂର୍ବରୁ ଘୋଷଣା ହୋଇସାରିଛି।

୨୦୨୧ ଜୁନିୟର ପୁରୁଷ ହକି ବିଶ୍ବକପ୍‌ରେ ୧୬ଟି ଦେଶର ୨୧ ବର୍ଷରୁ କମ୍ ଖେଳାଳିଙ୍କ ଦଳ ଭାଗନେବେ। ଏଥିରେ ୟୁରୋପ୍‌ରୁ ୬ଟି, ଏସିଆରୁ ୪ଟି ଏବଂ ଆଫ୍ରିକା, ଓସେନିଆ ଓ ପାନ୍ ଆମେରିକାରୁ ୨ଟି ଲେଖାଏଁ ଦଳ ଭାଗନେବେ। ୨୦୧୬ରେ ଏହି ଟୁର୍ଣ୍ଣାମେଣ୍ଟ ଭାରତର ଲକ୍ଷ୍ନୌ ସହରରେ ଆୟୋଜନ ହୋଇଥିଲା। ଫାଇନାଲରେ ବେଲ୍‌ଜିୟମ୍‌କୁ ୨-୧ ଗୋଲ୍‌ରେ ହରାଇ ଭାରତ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଥିଲା। ଏବେ ନିଜମାଟିରେ ୨ୟ ଏବଂ ମୋଟଉପରେ ୩ୟ ଟାଇଟଲ ଜିତିବାର ପ୍ରୟାସ କରିବ ଭାରତୀୟ ଜୁନିୟର ହକି ଦଳ।

Comments are closed.