ବାସପୋଯୋଗୀ କ୍ଷୁଦ୍ର ସହର ତାଲିକାରେ ଭୁବନେଶ୍ୱର ଦ୍ଵିତୀୟ

ନୂଆଦିଲ୍ଲୀ: ଦେଶର ବାସପୋଯୋଗୀ (ଇଜ୍‌ ଅଫ ଲିଭିଙ୍ଗ) ସହର ତାଲିକା ପ୍ରକାଶ ପାଇଛି। ଗୁରୁବାର କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ ବର୍ଷ ପାଇଁ ଏହି ତାଲିକା ପ୍ରକାଶ ପାଇଛି। ବିଭାଗୀୟ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଦ୍ବାରା ପ୍ରକାଶିତ ତାଲିକା ଅନୁଯାୟୀ ବଡ ସହର ମଧ୍ୟରେ ବେଙ୍ଗାଲୁରୁ ଓ କ୍ଷୁଦ୍ର ସହର ମଧ୍ୟରେ ସିମ୍‌ଲା ସବୁଠାରୁ ବାସପୋଯୋଗୀ ସହର ବିବେଚିତ ହୋଇଛି। ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ୪୯ଟି ସହରକୁ ନେଇ କରାଯାଇଥିବା ସର୍ଭେରେ ବେଙ୍ଗାଲୁରୁ ସବୁଠାରୁ ବାସପୋଯୋଗୀ ବିବେଚିତ ହୋଇଛି। ସେହିପରି ୧୦ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ୬୨ଟି ସହରକୁ ନେଇ ହୋଇଥିବା ସର୍ଭେରେ ସିମ୍‌ଲା ସବୁଠାରୁ ବାସପୋଯୋଗୀ ସହର ବିବେଚିତ ହୋଇଛି। ତେବେ ଏହି ବର୍ଗର ସହର ମଧ୍ୟରେ ଓଡିଶାର ରାଜଧାନୀ ଭୁବନେଶ୍ବର ଦ୍ବିତୀୟ ଶ୍ରେଷ୍ଠ ବାସପୋଯୋଗୀ ସହର ବିବେଚିତ ହୋଇଛି।

ସେହିପରି ରାଉରକେଲା ସହର ଏହି ତାଲିକାର ୫୬ତମ ସ୍ଥାନରେ ରହିଛି। ସ୍ଥାନୀୟ ପୌର ପ୍ରଶାସନର କାର୍ଯ୍ୟ ଉପରେ ଭୁବନେଶ୍ବରବାସୀ ସନ୍ତୁଷ୍ଟ ଥିବା ସର୍ଭେରୁ ଜଣାଯାଇଛି। ଏହି ବର୍ଗରେ ଭୁବନେଶ୍ବର ସହର ଶୀର୍ଷରେ ରହିଛି। ବଡ ସହରର ବାସପୋଯୋଗୀ ତାଲିକାର ଦ୍ବିତୀୟରେ ପୁଣେ ଓ ତୃତୀୟରେ ଅହମ୍ମଦାବାଦ ରହିଛି। ସେହିପରି କ୍ଷୁଦ୍ର ସହର ମଧ୍ୟରେ ସିଲଭାସା, କାକିନାଡା ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି। ଦେଶର ବଡ ୧୦ଟି ମ୍ୟୁନିସିପାଲଟି ମଧ୍ୟରେ ଇନ୍ଦୋର ସର୍ବାଗ୍ରେ ରହିଥିବା ବେଳେ ଦ୍ବିତୀୟରେ ସୁରତ ଓ ତୃତୀୟରେ ଭୋପାଳ ରହିଛି। ୨୦୧୮ରୁ ଏହି ଇଜ୍ ଅଫ ଲିଭିଙ୍ଗ୍ ତାଲିକା ପ୍ରକାଶ ପାଇଆସୁଛି। ଦେଶର ୧୧୧ଟି ଛୋଟ ଓ ବଡ ସହରକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଉଛି। ୨୦୨୦ ବର୍ଷ ପାଇଁ ହୋଇଥିବା ସର୍ଭେରେ ପଶ୍ଚିମବଙ୍ଗର କୌଣସି ସହରକୁ ସାମିଲ କରାଯାଇ ନଥିଲା। କରୋନା ଲକ୍ ଡାଉନ ପୂର୍ବରୁ ସରକାର ଏହି ସର୍ଭେ କରିଥିଲେ। ସହରର ଜନତାଙ୍କ ମତାମତ, ଜୀବନ ମାନଦଣ୍ଡ, ଆର୍ଥିକ କ୍ଷମତା, ସ୍ଥାୟିତ୍ବକୁ ନେଇ ଏହି ସର୍ଭେ କରାଯାଇଥାଏ।

Comments
Loading...