ଲକଡାଉନ ଓ ସଟଡାଉନ ସତ୍ତ୍ବେ ରାଜଧାନୀରେ ୬ ମାସରେ ୩୩୦ ଛିନ୍‌ତାଇ, ୩ ବର୍ଷରେ ସର୍ବାଧିକ

ଭୁବନେଶ୍ବର : କୋଭିଡ ସଂକ୍ରମଣ ରୋକିବାକୁ ଲକଡାଉନ ସଟଡାଉନ ଭଳି କଟକଣା ସ‌ତ୍ତ୍ବେ ଚଳିତ ବର୍ଷ ଗତ ବର୍ଷ ତୁଳନାରେ ଛିନତାଇ ମାମଲା ବୃଦ୍ଧି ପାଇଛି। ଗତ ୬ମାସ ରେ ପ୍ରାୟ ୩୩୦ ଟି ଛିନତାଇ ଘଟଣା ଭୁବନେଶ୍ବରର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। କମିସନରେଟ ପୁଲିସର ବାର୍ଷିକ ଅପରାଧ ସମୀକ୍ଷାରେ ଏହା ଜଣାପଡିଛି। ଭୁବନେଶ୍ବର ଡିସିପି ଡ.ଉମାଶଙ୍କର ଦାଶ ନୂଆବର୍ଷ ପୂର୍ବରୁ ରାଜଧାନୀର ସମସ୍ତ ଥାନାଧିକାରୀଙ୍କୁ ନେଇ ଏୟାରଫିଲ୍ଡ ଥାନା ପରିସରରେ ବାର୍ଷିକ ଅପରାଧ ରିପୋର୍ଟର ସମୀକ୍ଷା କରିଛନ୍ତି।

ଚଳିତ ବର୍ଷ କୋଭିଡ ମହାମାରୀ ଯୋଗୁଁ ୪ମାସ ଯାକ ଲୋକେ ଘରୁ ବାହାରି ପାରିନଥିଲେ। ସରକାରଙ୍କ ପକ୍ଷରୁ କଡା କଟକଣା ଜାରି ହୋଇଥିଲା। ଜନତା କର୍ଫ୍ୟୁ, ଲକଡାଉନ, ସଟଡାଉନ, ରାତ୍ରିକାଳୀନ କର୍ଫ୍ୟୁ ଆଦି ଲାଗୁ ହୋଇଥିବାରୁ ଲୋକେ ଘରୁ ବାହାରିବାକୁ ଭୟ କରୁଥିଲେ। କାରଣ ସହର ଭିତର ପ୍ରତି ଛକରେ ପୁଲିସର କଡା ପ୍ରହରା ଥିଲା। ସେ ସମୟରେ ଅପରାଧୀମାନେ ଅପରାଧ ଭିଆଇବାକୁ ଡରୁଥିଲେ। କିନ୍ତୁ ବର୍ଷର ପ୍ରଥମ ତିନିମାସ ଏବଂ ଶେଷ ତିନିମାସ ଲୁଟିଆ କମିସନରେଟ ପୁଲିସର ନିଦ ହଜାଇ ଦେଇଛନ୍ତି। ରାଜଧାନୀରେ ତିନିବର୍ଷର ଛିନତାଇ ଘଟଣାକୁ ତର୍ଜମା କଲେ ୨୦୧୭ରେ ୧୯୩ଟି ଛିନତାଇ ଘଟିଥିବା ବେଳେ ୨୦୧୮ରେ ୧୯୪ଟି ହୋଇଥିଲା। ସେହିପରି ୨୦୧୯ରେ ଏହି ମାମଲା ୨୬୬ରେ ପହଞ୍ଚିଥିଲା। କିନ୍ତୁ ଚଳିତ ବର୍ଷ ଏହି ମାମଲା ସଂଖ୍ୟା ୩୩୦ରେ ପହଞ୍ଚିଛି।

ଏଭଳି ଅପରାଧକୁ ନିୟନ୍ତ୍ରଣ କରିବା ଲାଗି ଡିସିପି ସମସ୍ତ ଥାନାଧିକାରୀଙ୍କୁ ନୂଆବର୍ଷ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି। ପୁରୁଣା ମାମଲାକୁ ତୁରନ୍ତ ଫଇସଲା କରିବା ଓ ଛିନତାଇ ମାମଲାକୁ ଯେତେ ପରିମାଣରେ କମାଇ ହେବ ତାହା ଉପରେ ପ୍ରାଧାନ୍ୟ ଦେବାକୁ କହିଛନ୍ତି। ଏହା ବ୍ୟତୀତ ଚଳିତ ବର୍ଷ ହତ୍ୟା ମାମଲା ପୂର୍ବ ବର୍ଷ ତୁଳନାରେ ବଢିଛି। ୨୦୧୭ରେ ୨୯ଟି ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ୨୦୧୮ରେ ଏହା ୪୩ରେ ପହଞ୍ଚିଥିଲା। ସେହିପରି ୨୦୧୯ରେ ୩୯ଟି ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଚଳିତ ବର୍ଷ ୪୦ଟି ହତ୍ୟା ଅଭିଯୋଗ ହୋଇଛି।

ସେହିପରି ୨୦୧୭ରେ ୨୧ ଟି ଡ଼କାୟତି ମାମଲା ରୁଜୁ ହୋଇଥିବା ବେଳେ , ୨୦୧୮ରେ ୨୭ଟି, ୨୦୧୯ରେ ୪୯ଟି ଓ ୨୦୨୦ରେ ୩୨ଟି ରୁଜୁ ହୋଇଛି। ଘର ଭିତରୁ ଚୋରି ଘଟଣାରେ ୨୦୧୭ରେ ୨୨୧, ୨୦୧୮ରେ୨୨୯ଟି,୨୦୧୯ରେ ୩୩୭ଟି ଓ ୨୦୨୦ରେ ୩୧୯ ଚୋରି ଘଟିଛି। ସେହିଭଳି ୨୦୧୭ରେ ୧୫୭୬ ଚୋରି, ୨୦୧୮ରେ ୧୫୫୫ ଟି ଓ ୨୦୧୯ରେ ୧୯୦୫ଟି ଓ ୨୦୨୦ରେ ୧୬୮୪ଟି ଚୋରି ଅଭିଯୋଗ ହୋଇଛି। ଠକେଇ ଅଭିଯୋଗ ପୂର୍ବବର୍ଷ ତୁଳନାରେ କମ ହୋଇଥିବା ବାର୍ଷିକ ରିପୋର୍ଟରୁ ଜଣାପଡିଛି। ୨୦୧୭ରେ ୬୦୬ଟି ୨୦୧୮ରେ ୫୮୪, ୨୦୧୯ରେ ୬୫୦ଟି ଅଭିଯୋଗ ହୋଇଥିବା ବେଳେ ୨୦୨୦ରେ ୪୪୦ଟି ହୋଇଛି। ସେହିପରି ରାଜଧାନୀରେ ଦଙ୍ଗା ଅଭିଯୋଗ ଚଳିତବର୍ଷ ୫୯ଟି ଦଙ୍ଗାମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ୬୨, ୨୦୧୮ରେ ୧୦୨ ଓ ୨୦୧୭ରେ ୯୪ଟି ରୁଜୁ ହୋଇଛି। ବଳାତ୍କାର ମାମଲା ମଧ୍ୟ ପୂର୍ବବର୍ଷ ତୁଳନାରେ କମିଛି।

ଗତବର୍ଷ ୧୪୯ଟି ବଳାତ୍କାର ମାମଲା ରୁଜୁ ହୋଇଥିବା ବେଳେ ଚଳିତ ବର୍ଷ ୧୦୬ଟି ରୁଜୁ ହୋଇଛି। ସେହିପରି ୨୦୧୭ରେ ୧୨୫ଟି ବଳାତ୍କାର ଅଭିଯୋଗ ହୋଇଥିବା ବେଳେ ୨୦୧୮ରେ ୧୨୨ଟି ହୋଇଥିଲା। ଏହାବ୍ୟତୀତ ରାଜଧାନୀରେ ଦୁର୍ଘଟଣା ମାମଲା ପୂର୍ବବର୍ଷ ତୁଳନାରେ କମ ରହିଥିବା ଜଣାପଡିଛି। ଗତବର୍ଷ ୬୫୦ଟି ଦୁର୍ଘଟଣା ଘଟିଥିବା ବେଳେ ଚଳିତବର୍ଷ ୪୫୨ଟି ଦୁର୍ଘଟଣା ଘଟିଥିଲା। ସେହିପରି ୨୦୧୭ରେ ୬୦୦ଟି ଦୁର୍ଘଟଣା ଘଟିଥିବା ବେଳେ ୨୦୧୮ରେ ୪ବର୍ଷର ରେକର୍ଡ ଭାଙ୍ଗି ୬୫୩ଟି ଦୁର୍ଘଟଣା ଘଟିଥିଲା। ମାରପିଟ, ଗଣ୍ଡଗୋଳ, ଘରୋଇ ଅଭିଯୋଗ ଘଟଣା ପୂର୍ବବର୍ଷ ତୁଳନାରେ କମଥିବା ଜଣାପଡିଛି। ଚଳିତବର୍ଷ ଏ ସମ୍ପର୍କରେ ୩୪୬୦ଟି ହୋଇଥିବା ବେଳେ ଗତବର୍ଷ ୪୧୨୨ଟି ହୋଇଥିଲା। ସେହିପରି ୨୦୧୭ରେ ୩୬୭୪ଟି ଅଭିଯୋଗମାମଲା ହୋଇଥିବା ବେଳେ ୨୦୧୮ରେ ୩୭୧୦ଟି ଅଭିଯୋଗ ହୋଇଥିବା ଡିସିପି ବାର୍ଷିକ ଅପରାଧ ସମୀକ୍ଷା ରିପୋର୍ଟରେ ଦର୍ଶାଇଛନ୍ତି।

Comments are closed.