ସହିଦନଗରରେ ବଢୁଛି ଚୋରି : ମହିଳାଙ୍କ ବେକରୁ ଛିଣ୍ଡାଇଲେ ସୁନାଚେନ୍

ଭୁବନେଶ୍ବର : ରାଜଧାନୀରେ ଲୁଟିଆ ମାତିଛନ୍ତି। ଟିକିଏ ଅସାବଧାନ ହେଲେ ଏହାର ସୁଯୋଗ ନେଇ ବହୁମୂଲ୍ୟ ସାମଗ୍ରୀ ଘରୁ ତଥା ବ୍ୟବସାୟିକ ପ୍ରତି‌ଷ୍ଠାନରୁ ଦୁର୍ବୃତ୍ତ ଚୋରି କରୁଛନ୍ତି। ବାହାରକୁ ବାହାରିଲେ ଦୁର୍ବୃତ୍ତ ଛିନ୍‌ତାଇ କରୁଛନ୍ତି। ଫଳରେ ଲୋକେ ନିଜକୁ ଘରେ ଏବଂ ବାହାରେ ଅସୁରକ୍ଷିତ ମଣିବାରେ ଲାଗିଛନ୍ତି। ସହିଦନଗର ଥାନାରେ ଗତକିଛି ଦିନ ମଧ୍ୟରେ ଏଭଳି ଏକାଧିକ ଚୋରି ଅଭିଯୋଗ ହୋଇଛି।

ସହିଦନଗରସ୍ଥିତ ରିଲାଏନ୍ସ ଟ୍ରେଣ୍ଡ ଗୋଦାମ ଘରୁ ୮୫ ହଜାର ଟଙ୍କାର ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ବ୍ୟବହୃତ ହେଉଥିବା ତମ୍ବା ତାର ଏବଂ ପାଇପ୍‌ ଆଦି ଚୋରି ହୋଇଯାଇଛି। ଏନେଇ ଷ୍ଟୋର୍‌ ମ୍ୟାନେଜର ସଞ୍ଜୀବ କୁମାର ରାମ ଅଭିଯୋଗ କରିଛନ୍ତି। ସେହିପରି ମମତା ପଣ୍ଡା ନାମକ ଜଣେ ମହିଳା ତାଙ୍କ ଛୋଟ ଛୁଆ ସହିତ ସ୍କୁଟିରେ ଯାଉଥିବା ବେଳେ ସନ୍ଧ୍ୟା ୭ଟା ସମୟରେ ବାଣୀବିହାର ଜଙ୍କସନ ନିକଟରେ ଦୁଇଜଣ ଲୁଟିଆ ଏକ କେଟିଏମ୍‌ ବାଇକରେ ଆସି ତାଙ୍କ ବେକରୁ ସୁନା ଚେନ ଟାଣି ନେଇଯାଇଥିଲେ। ମହିଳା ଜଣଙ୍କ ବେକକୁ ଜାବୁଡ଼ି ଧରିବାରୁ ଅଧା ଚେନ୍‌ ଦୁର୍ବୃତ୍ତମାନେ ନେଇ ଯାଇଥିଲେ। ବାକି ଅଧା ଚେନ୍ ତାଙ୍କ ବେକରେ ରହିଯାଇଥିଲା। ଅନୁରୂପ ଭାବେ ଆଉ ଜଣେ ମହିଳା ସାଧନା‌ ମହାନ୍ତ ମାର୍କେଟିଂ ସାରି ରାତି ୯ଟା ବେଳେ ୧୦ ମିନିଟରେ ଘରକୁ ଫେରୁଥିବା ବେଳେ ଆର‌େ‌କ ଏନ୍‌କ୍ଳେଭ ନିକଟରେ ଜଣେ ଦୁର୍ବୃତ୍ତ ତାଙ୍କ ସୁନା ଚେନ ଝାମ୍ପି ନେଇଥିଲା। ଫଳରେ ସେ ତଳେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସମ୍ପର୍କୀୟମାନେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ଜୟକ୍ରିଷ୍ଣା ବିଶ୍ବାଳ ନାମକ ଜଣେ ମହିଳାଙ୍କର ବାଣୀବିହାର ପରିସରରୁ ସ୍କୁଟି ଚୋରି ହୋଇଛି।

ଲକ୍ଷ୍ମୀସାଗର ଅଞ୍ଚଳର ଜୟକ୍ରିଷ୍ଣା କୌଣସି କାମରେ ବାଣୀବିହାର ଯାଇଥିଲେ। କାମ ସାରି ଫେରିବା ବେଳକୁ କ୍ୟାମ୍ପସରେ ଆଉ ତାଙ୍କ ସ୍କୁଟି ନ ଥିଲା। ବାଣୀବିହାର ପରିସରରୁ ଏକାଧିକ ବାଇକ୍‌ ଚୋରି ନେଇ ମଧ୍ୟ ଅଭିଯୋଗ ହୋଇଛି। ବାଇକ୍‌ ଚୋରି ଏବଂ ରାହାଜାନି ବୃଦ୍ଧି ପାଉଥିବାରୁ ଲୋକ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ପୁଲିସର କାର୍ଯ୍ୟ ଦକ୍ଷତା ଏବଂ ପାଟ୍ରୋଲଂି ରେ ଅବହେଳା ହେଉଥିବା ଅଭିଯୋଗ ହେଉଛି।

 

Comments are closed.