ମାଲିକ ପାଇଁ ଜୀବନ ଦେଲେ ଦୁଇ କୁକୁର, ରହସ୍ୟର ପର୍ଦାଫାସ୍‌ କଲା ସିସିଟିଭି

ଭୁବନେଶ୍ବର : ମାଲିକର ସୁରକ୍ଷା ପାଇଁ ଦୁଇଟି କୁକୁର ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଘଟଣାର ୧୨ ଦିନ ପରେ ଏସମ୍ପର୍କରେ ଜାଣିବା ପରେ ମାଲିକଙ୍କ ଆଖିରୁ ଲୁହ ଶୁଖୁନି। ଦୁଇ ଲାବ୍ରାଡର କୁକୁର ବ୍ଳାକି ଓ ସୁଇଟିକୁ ବହୁ ଆଦର କରନ୍ତି ଘର ମାଲିକ ଆର୍ଯ୍ୟକାନ୍ତ ମାଝି। ଗତ ଅଗଷ୍ଟ ୧୬ ସକାଳେ ହଠାତ ଦୁଇ କୁକୁର ମରିଯିବା ଘଟଣା ତାଙ୍କୁ ଯେତିକି ଦୁଃଖ ଦେଇ ନ ଥିଲା ତାଙ୍କ ସିସିଟିଭିର ରେକର୍ଡିଂ ଦେଖିବା ପରେ ଅଧିକ ମ୍ରିୟମାଣ ହୋଇପଡ଼ିଛନ୍ତି। ଏଭଳି ଏକ ଘଟଣା ରାଜଧାନୀରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

କାନନବିହାର ଫେଜ୍-୨ରେ ରହୁଛନ୍ତି ଡା. ଆର୍ଯ୍ୟକାନ୍ତ ମାଝି ଏବଂ ତାଙ୍କ ପରିବାର। ଆର୍ଯ୍ୟକାନ୍ତଙ୍କ ବାପା ଡା. ପଦ୍ମନାଭ ମାଝିଙ୍କର ଗତ ମାସରେ ଦେହାନ୍ତ ହୋଇଥିଲା। ବାପା ପାଳିଥିବା ୨ଟି କୁକୁର ତାଙ୍କରି ସ୍ମୃତି ବୋଲି ସେ ବହୁ ଆଦର କରୁଥିଲେ। ଲାବ୍ରାଡର ଶ୍ରେଣୀର ୨ କୁକୁର ଭିତରେ ଅଣ୍ଡିରା ଟିକୁ ବ୍ଳାକି, ଆଉ ମାଈଟିକୁ ସୁଇଟି ବୋଲି ପରିବାର ଲୋକେ ଡାକଥାନ୍ତି। ସେମାନେ ଦିନରେ ଘର ଓ ଅଗଣାର ଛୋଟ ବଗିଚାରେ ଖୋଲା ବୁଲନ୍ତି। ସେମାନଙ୍କ ପାଇଁ ଥିବା ସ୍ବତନ୍ତ୍ର ଘର ଭିତରେ ରହନ୍ତି। ରାତିରେ ଘରଟିକୁ ଶିକୁଳିରେ ଚାବି ପକାଯାଇଥାଏ।

ଗତ ଅଗଷ୍ଟ ୧୬ ସକାଳେ ଅତ୍ୟନ୍ତ ରହସ୍ୟଜନକଭାବେ ୨ଟି କୁକୁରଙ୍କ ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ସୁଇଟି ଘର ଭିତରେ ମରି ପଡିଥିଲା ଏବଂ ବ୍ଳାକିର ମୃତଦେହ ଘର ବାହାରେ ପଡିଥିଲା। ଆଶ୍ଚର୍ଯ୍ୟର କଥା କୁକୁର ରହୁଥିବା ଘରର କବାଟ ଖୋଲା ଥିଲା। ଲୁହା ଶିକୁଳିଟି ଛିଣ୍ଡି ତଳେ ପଡ଼ିଥିଲା। ତେବେ ଏହା କେଉଁ ଦୁର୍ବୃତ୍ତଙ୍କ କାମ ବୋଲି ସନ୍ଦେହ କରି ଡାକ୍ତର ମାଝି ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ। ଥାନାରୁ ଜଣେ ଅଧିକାରୀ ଆସି ଘଟଣାସ୍ଥଳରେ ଅନୁସନ୍ଧାନ କରିଥିଲେ। ହେଲେ ପୁଲିସ କିଛି ବି ଥଳକୂଳ ପାଇ ନ ଥିଲା। ମନଦୁଃଖରେ ଦୁଇ କୁକୁରଙ୍କ ମୃତଦେହକୁ ସେଇ ବଗିଚା ଭିତରେ ଖୋଳି ପୋତି ଦିଆଯାଇଥିଲା।
ତେବେ କୁକୁରଙ୍କ ମୃତ୍ୟୁ କିପରି ହେଲା ଏହି ଘଟଣା ପରିବାର ଲୋକଙ୍କୁ ଆନ୍ଦୋଳିତ କରୁଥିଲା। ଏହି ଘଟଣାର ପର୍ଦାଫାସ ହୋଇଥିଲା ଅଗଷ୍ଟ ୨୭ରେ। ପରିବାର ଲୋ‌େ‌କ ଯେତେବେଳେ ବଗିଚାରେ ଲାଗିଥିବା ସିସିଟିଭିର ଫୁଟେଜ ଯାଞ୍ଚ କରିଥିଲେ। ସିସିଟିଭି ଫୁଟେଜରେ ଅଗଣାରେ ଥିବା ବଗିଚା ଭିତରକୁ ଏକ ବଡ଼ ନାଗ ସାପ ପଶୁଛି। ତାକୁ ଦେଖି ବ୍ଲାକି ଏବଂ ସୁଇଟି ଦୁହେଁ ମିଶି ନିଜର ଘରର ଲୁହା ଜାଲି ଲଗା କବାଟକୁ ବାରମ୍ବାର ଠେଲି ଠେଲି ଶିକୁଳିକୁ ଛିଣ୍ଡାଇ ଦେଉଛନ୍ତି। ଦୁଇ କୁକୁରଙ୍କ ଘରର ଦୃଶ୍ୟ ସିସିଟିଭିରେ ରେକର୍ଡିଂ ହୋଇଛି। ପ୍ରାୟ ୧୦ ମିନିଟ୍‌ କବାଟକୁ ଠେଲିବା ପରେ ମୋଟା ଲୁହା ଶିକୁଳିକୁ ଛିଣ୍ଡାଇ କବାଟ ଖୋଲି ବାହାରି ଯାଇଥିଲେ। ତା’ ପରେ ସାପକୁ ଖୋଜିବା ଏବଂ ସାପ ସହ ଲଢେ଼ଇ କରିବାର ଦୃଶ୍ୟ ଅନ୍ଧାର ହେତୁ ସ୍ପଷ୍ଟ ଭାବେ ଦେଖାଯାଇ ନ ଥିଲା। ଏଥିରୁ ଅନୁମାନ କରାଯାଉଛି ସେମାନେ ସାପ ସହିତ ଲଢ଼େଇ କରିଛନ୍ତି। ସୁଇଟିକୁ ସାପ କାମୁଡ଼ିଛି, ସିଏ ଘର ଭିତରକୁ ଚାଲି ଆସିଛି। ସେଠାରେ ତା’ର ମୃତଦେହ ମିଳିଛି। ବ୍ଳାକି ବଗିଚା ଭିତରେ ଅନେକ ସମୟ ସାପ ସହ ଲଢ଼ି କରି ଶେଷରେ ସେଠାରେ ଟଳି ପଡ଼ିଛି। ୨ କୁକୁରଙ୍କ ଶକ୍ତ ପହରା ଯୋଗୁଁ ସାପ ଅଗଣାରୁ ପୁଣି ବାହାରି ପଳାଇଯାଇଛି।

ଗତକାଲି ଡାକ୍ତର ମାଝିଙ୍କ ଅନୁରୋଧକ୍ରମେ ସ୍ନେକ୍‌ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏବଂ ସ୍ନେକ ହେଲ୍ପ ଲାଇନର ସକ୍ରିୟ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଦାସ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହିତ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ନାଗସାପଟି ପ୍ରାୟ ୬ ଫୁଟ୍‌ର ହେବ ବୋଲି ଶୁଭେନ୍ଦୁ ଚିହ୍ନଟ କରିଥିଲେ। ସେହିପରି ଗତ କିଛି ମାସ ତଳେ ଜଟଣୀ ଅଞ୍ଚଳରେ ଜଣେ ମାଲିକଙ୍କ ଘରକୁ ସାପ ପଶିବା ବେଳେ ତାଙ୍କର ୨ଟି କୁକୁର ତାହା ସହିତ ଲଢ଼େଇ କରି ମାରିଦେଇଥିଲେ।

Comments are closed.