କୋବ୍ରା କମାଣ୍ଡୋ ମନୋଜ ବାରିକଙ୍କୁ ରାଷ୍ଟ୍ରପତି ପୁଲିସ ପଦକ

ଭୁବନ: ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ଗ୍ରାମର ଖଗେଶ୍ୱର ବାରିକଙ୍କ ପୁତ୍ର ମନୋଜ ବାରିକଙ୍କୁ ଉତ୍କର୍ଷ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ମିଳିବା ପରେ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି। ମନୋଜ ୨୦୧୬ରେ କୋବ୍ରା ବାହିନୀର ୨୦୮ ସିଆରପିଏଫ କମାଣ୍ଡୋ ଭାବେ ଛତିଶଗଡ ରାଜ୍ୟର ସୁକୁମାଠାରେ ମାଓବାଦୀ ଅପରେସନରେ ସାମିଲ ହୋଇ ୨ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ହତ୍ୟା କରିଥିଲେ। ଏହି ଅପରେସନରେ ୯ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଜବାନ ସହିଦ ହୋଇଥିଲେ। ସ୍ୱାଧୀନତା ଦିବସ ଅବସରରେ କରୋନା କଟକଣା ସକାଶେ ନୂଆଦିଲ୍ଲୀ ପରିବର୍ତ୍ତେ ବିଶାଖାପାଟଣା ସିଆରପିଏଫ କାର୍ଯ୍ୟାଳୟଠାରେ ସିଆରପିଏଫ ଡିଜି ଏ.ପି ମାହେଶ୍ୱରୀଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ଜରିଆରେ ମନୋଜ ବାରିକଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯାଇଥିଲା। ଏହି ପଦକ ପାଇବାରେ ସେ ଏକମାତ୍ର ଓଡିଆ ହୋଇଥିବାରୁ କେବଳ ଢେଙ୍କାନାଳ ଜିଲା ନୁହେଁ ସାରା ଓଡିଶା ପାଇଁ ସେ ଗୌରବ ଅର୍ଜନ କରିଛନ୍ତି ଓ ତା ପାଇଁ ମୁଁ ଗର୍ବିତ ବୋଲି ତାଙ୍କ ବାପା ଖଗେଶ୍ୱର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Comments are closed.