ଓଡ଼ିଆଙ୍କୁ ନେବାକୁ ଗଞ୍ଜାମ​‌ରେ​‌ ଡେରା ପକାଇଛି ଗୁଜୁରାଟ ବସ୍

ଭଞ୍ଜନଗର: ଏଠାରେ ମାତ୍ର ଦିନକୁ ୩୦୦ ଟଙ୍କା ପାରିଶ୍ରମିକ ମିଳିଥିଲେ ଆମକୁ ସୁରତ ଯିବାକୁୂ ପଡି ନ ଥାନ୍ତା। ସେଠାରେ ମୂଲ୍ୟ ୍ଅପେକ୍ଷା ଖଟଣି ଅଧିକ। ଦୈନିକ ଦୀର୍ଘ ୧୨ ଘଣ୍ଟା ଧରି ଛିଡ଼ା ହୋଇ ଗୋଟିଏ ମେସିନରୁ ଆଉ ଗୋଟିଏ ମେସିନକୁ ଦୌଡ଼ି ଦୌଡ଼ି ୧୨ ରୁ୧୪ ମେସିନ ବୁଲି କାମ କରିବାକୁ ପଡୁଛି। ଏଥିରୁ ମାତ୍ର ୭୦୦ରୁ ୮୦୦ ଟଙ୍କା ରୋଜଗାର ହୋଇଥାଏ। ରାତି ପାଳିର କଷ୍ଟ କହିଲେ ନ ସରେ। ଶ୍ରମ କଷ୍ଟ ତୁଳନାରେ ପାରିଶ୍ରମିକ ଅଧିକ ନୁହେଁ। ଅନିଚ୍ଛା ସତ୍ତ୍ବେ ଓଡ଼ିଆ ପ୍ରବାସୀ ସେଠାକୁ ଯାଉଛନ୍ତି। ତେବେ ଓଡିଆ ଶ୍ରମିକଙ୍କ ଝାଳ ବୁହା ପରିଶ୍ରମରେ ସୁରତ ମାଲିକ ମାନେ ଧନୀ ହେବା ସହ ଗୁଜୁରାଟ ବିଭବଶାଳୀ ରାଜ୍ୟରେ ପରିଣତ ହୋଇଛି। ଏହା କୌଣସି ଶୁଣା କଥା ନୁହେଁ। ବୁଧବାର ଭଂଜନଗର ବ୍ଳକ ଛକ ରାସ୍ତାରେ ସୁରତ ଯିବାକୁ ଗୁଜୁରାଟ ମାଲିକ ପଠାଇଥିବା ବସକୁ ଅପେକ୍ଷା କରି ରହିଥିବା ବାଣତୁମ୍ବ ଗ୍ରାମର ସୁରତ ଫେରନ୍ତା ପ୍ରବାସୀ କହିଛନ୍ତି।

ଲକଡାଉନ ସାମାନ୍ୟ କୋହଳ ହେବା ପରେ ଏବେ ପୁଣି ଥରେ ସୁରତ ଯିବାକୁ ପ୍ରବାସୀଙ୍କ ଭିଡ଼ ଆରମ୍ଭ ହୋଇଛି। ତେବେ ଏବେ ସେଠାକାର ମାଲିକମାନେ ନିଜେ ବସ୍ କରି ଗଞ୍ଜାମର ପ୍ରବାସୀଙ୍କୁ ନେବାରେ ଲାଗିଛନ୍ତି। ଗଞ୍ଜାମରେ କୌଣସି ରୋଜଗାର ପନ୍ଥା ନଥିବାରୁ ବାଧ୍ୟ ହୋଇ ବହୁ ଗଞ୍ଜାମ ପ୍ରବାସୀ ପୁଣି ଥରେ ସୁରତ ଫେରିବାକୁ ବାଧ୍ୟଛନ୍ତି। ସୁରତ ଯାଉଥିବା ଯୁବକଙ୍କ କହିବାନୁସା‌‌ରେ,କୋଭିଡ଼ ସଙ୍କଟ ବେଳେ ରାଜ୍ୟ ସରକାର ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ଯେତିକି ତତ୍ପର ଦେଖାଇଥିଲେ ଏବେ ଯିବା ବେଳେ କୌଣସି ତତ୍ପରତା ପ୍ରକାଶ କରୁନାହାନ୍ତି। ଖାଲି କୋଭିଡ଼ ସଂଗ୍ରାମ କରି ଫେରିବାଟା ସାର ହେଲା। ଏଠାରେ ୫/୬ ମାସର ରହଣି ମଧ୍ୟରେ ପଇସାଟିଏ ମଧ୍ୟ ଉପାର୍ଜନ ହେଲା ନାହିଁ ବୋଲି ଏଠାରେ ଅପେକ୍ଷାରତ ପ୍ରବାସୀ କୁନା ବେହେରା, ପ୍ରଶାନ୍ତ ରାଓ, ବିଦ୍ୟାଧର ଡାକୁଆ, ଦିଲ୍ଳିପ ରାଓ, ରୁନିଆ ବେହେରା ଓ ଦେବେନ୍ଦ୍ର ପ୍ରଧାନ ପ୍ରମୁଖ କହିଛନ୍ତି। ରାଜ୍ୟ ସରକାର ଗାଁ ଗଣ୍ଡାର ରାସ୍ତା ଘାଟ ଓ ପୋଖରୀ ଖନନ ବାବଦରେ ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଅଥଚ ଓଡ଼ିଆ ଶ୍ରମିକଙ୍କ ପରିବାରର ଅଭାବ ଓ କଷଣ ମେଣ୍ଟୁ ନାହିଁ। ଫଳରେ ସେମାନଙ୍କୁ ନିଜ ଭିଟାମାଟି ଛାଡି ଯିବାକୁ ପଡୁଛି। ସେହି ଅର୍ଥରେ ରାଜ୍ୟ ସରକାର ସୁରତ ପରି ଲୁଗାକଳ କିମ୍ବା କିଛି ଶିଳ୍ପ ସ୍ଥାପନ କରିଥିଲେ, ଓଡିଆ ମାନେ ଆଉ ପ୍ରବାସୀ ଶ୍ରମିକର ପରିଚୟ ନ ପାଇ ଏଠାରେ ମାଲିକ ଓ କର୍ମଚାରୀର ପରିଚୟ ପାଇଥାନ୍ତେ ବୋଲି ପ୍ରବାସୀମାନେ କ୍ଷୋଭର ସହ ପ୍ରକାଶ କରିଥିଲେ। ସେମାନଙ୍କ ମତରେ ବିନା ଓଡିଆଙ୍କ ଶ୍ରମ ଦାନରେ କେବେବି ସୁରତ ତଥା ଗୁଜୁରାଟ ଶିଳ୍ପ ସମୃଦ୍ଧ ହୋଇପାରିବ ନାହିଁ। ୫ ଲକ୍ଷରୁ ଊର୍ଦ୍ଧ୍ବ ଓଡିଆ ଶ୍ରମିକ ନିଜର ଜିବୀକା ନିର୍ବାହ କରିବା କରିବା ସହ ଗୁଜୁରାଟ ରାଜ୍ୟର ଅର୍ଥନୈତିକ ପ୍ରଗତିକୁ ଆଗେଇ ନେଇଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଭାରତର ତାଲା ବନ୍ଦ ଅବଧି ସମୟରେ ସୁରତ ମାଲିକମାନେ ଅତ୍ୟନ୍ତ ବିଚଳିତ ହୋଇ ପଡିଛନ୍ତି। ଲକଡାଉନ ରେଯାଗୁ ସୁତାକଳରେ ତାଲା ପଡି ରହିବା ଯୋଗୁଁ ମାଲିକଙ୍କ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ଘଟିଛି। ଫଳରେ କୌଣସି ମତେ ସୁରତ ମାଲିକମାନେ ଗଞ୍ଜାମ ଜିଲାର ଗାଁ ଗାଁରେ ପହଞ୍ଚି ନିଜ ନିଜ କାରଖାନାର ଶ୍ରମିକମାନଙ୍କୁ ଫେରାଇ ନେବାର ପ୍ରାଣମୂର୍ଛା ଉଦ୍ୟମ ଚଳାଇଛନ୍ତି। ସେଠାକାର ମାଲିକମାନେ ଗୁଜୁରାଟ ସରକାରଙ୍କ ଠାରୁ ଓଡିଶାରୁ ଶ୍ରମିକ ଆଣିବା ପାଇଁ ବସ୍‍ ରୁଟ୍‍ ପରମିଟ୍‍ ଆଣି ଭଂଜନଗର, ବେଲଗୁଣ୍ଠା, ସୋରଡା, ଜଗନ୍ନାଥପ୍ରସାଦ, ବୁଗୁଡା, ଆସିକା, ଧରାକୋଟ ଓ ଶେରଗଡ ବ୍ଳକରୁ ଦୈନିକ ୭ରୁ ୧୦ ଖଣ୍ଡ ବସ୍‍ରେ ଶ୍ରମିକ ବୋହି ନେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଗଂଜାମ ଜିଲା ମୁଖ୍ୟ ପ୍ରବେଶ ପଥ ତାରସିଂ ଥାନା ପୁଲିସ୍‍ ଚେକ୍‍ ଗେଟ୍‍ ଅତିକ୍ରାନ୍ତ କରି ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ବସ୍‍ ପ୍ରବାସୀଙ୍କୁ ନେଇ ଫେରିଥିବା କୁହାଯାଇଛି। ଅନ୍ୟପକ୍ଷରେ ଛଡ଼ିଶଗଥ ରାଜ୍ୟରେ ବନ୍ୟା ପରିସ୍ଥିତି ଯୋଗୁଁ ବହୁ ବସ୍‍ ଓଡିଶା ସୀମାନ୍ତରେ ଅଟକି ରହିଥିବାରୁ ଶ୍ରମିକ ମାନେ ନାହିଁ ନ ଥିବା ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି।ତେବେ ସୁରତ ମାଲିକ ମାନେ ନିଜର ସୁତାକଳ କୌଣସି ମତେ ଚଳାଇ ନେବା ପାଇଁ ଏଠାରୁ ଶ୍ରମିକଙ୍କ ବସ୍‍ ଭଡା ବହନ କରିବା ସହ ସେମାନଙ୍କର ଖାଦ୍ୟ ପାନୀୟ ବ୍ୟବସ୍ଥା ଏବଂ ହାତ ଖର୍ଚ୍ଚ ଦେଇ ଶ୍ରମିକଙ୍କୁ ନେଉଥିବା କହିଛନ୍ତି।ସେଠାରେ ପହଁଚିବା ପରେ ମାଲିକମାନେ ଶ୍ରମିକମାନଙ୍କୁ ଆଦରର ସହ ପାଛୋଟି ନେଉଥିବା ବେଳେ ନିଜ ସ୍ୱଇଛାରେ ଯାଇଥିବା ଶ୍ରମିକଙ୍କୁ ନେବା ପାଇଁ ସେମାନଙ୍କ ମଧ୍ୟରେ ଭିଡାଭିଡି ଲାଗିଥାଏ ବୋଲି ପ୍ରବାସୀମାନେ କହିଥିଲେ।

Comments are closed.