ଭିତରକନିକାରେ ୧୭୪୨ କୁମ୍ଭୀର

0

ରାଜନଗର : ଭିତରକନିକା ଅଭୟାରଣ୍ୟରେ କୁମ୍ଭୀର ଗଣନା ଶେଷ ହୋଇଛି। ଏଠାରେ ମୋଟ ୧୭୪୨ କୁମ୍ଭୀର ଥିବା ଜଣାପଡିଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ କୁମ୍ଭୀର ସଂଖ୍ୟା ୪୪ଟି ବୃଦ୍ଧି ପାଇଛି। ଭିତରକନିକା ଅନ୍ତର୍ଗତ କନିକା ରେଂଜରେ ୧୩୩୭ଟି ଓ ରାଜନଗର ରେଂଜରେ ୨୯୯, ଗହୀରମଥା ରେଞ୍ଜରେ ୩୪ ଏବଂ ମହାକାଳପଡା ରେଞ୍ଜରେ ୭୨, ଏପରି ମୋଟ ୧୭୪୨ କୁମ୍ଭୀର ରହିଥିବା ଗଣନାରୁ ଜଣାପଡିଛି।
ଭିତରକନିକାର ନଦୀନାଳ ଓ ସର୍ବୋପରି ରାଜନଗର ବନଖଣ୍ଡର ୫୩ଟି ନଦୀନାଳରେ ୨୨ଟି ଟିମ୍‍ ଚଳିତମାସ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରିଥିଲେ। ଭାରତର ବିଶିଷ୍ଟ ପ୍ରାଣୀବିଜ୍ଞାନୀ ତଥା କୁମ୍ଭୀର ବିଶାରଦ ଡଃ ସୁଧାକର କର, ଡଃ ଶିବ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୁମ୍ଭୀର ଗଣନା କରାଯାଇଥିଲା। ଚଳିତବର୍ଷ ଛୋଟ (୨ଫୁଟିଆ)-୬୧୯ଟି, ବର୍ଷିକିଆ (୨ରୁ୩ଫୁଟ)-୩୪୭ଟି, ଜୁଭେନାଇଲ୍‍ (୩ରୁ୬ଫୁଟ)- ୨୭୩ଟି,
ସବଆଡଲ୍ଟ(୬ରୁ ୮ଫୁଟ)-୧୭୮ଟି, ଆଡଲ୍ଟ(୮ରୁ୧୦ଫୁଟ) -୨୭୮ଟି, (୧୪ ରୁ ୧୬ଫୁଟ)- ୨୧ଟି, (୧୬ ରୁ ୧୮ ଫୁଟ)- ୧୩ଟି, (୧୮ ରୁ ୨୦ଫୁଟ)- ୯ଟି ଓ ୨୦ଫୁଟରୁ ଊର୍ଦ୍ଧ୍ବ ୪ଟି କୁମ୍ଭୀର ଥିବା ରାଜନଗର ବନଖଣ୍ଡ ଅଧିକାରୀ ବିମଳପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ୨୦୧୮ମସିହା କୁମ୍ଭୀର ଗଣନାରେ ୧୬୯୮ କୁମ୍ଭୀର ଥିବା ଜଣାପଡିଥିଲା। ୨୦୦୮-୦୯ରେ ୧୫୭୨ଟି, ୨୦୦୯-୧୦ରେ ୧୬୧୦, ୨୦୧୦-୧୧ରେ ୧୬୫୪, ୨୦୧୧-୧୨ରେ ୧୬୪୬,୨୦୧୨-୧୩ରେ ୧୬୪୯, ୨୦୧୩-୧୪ରେ ୧୬୪୪, ୨୦୧୪-୧୫ରେ ୧୬୬୫, ୨୦୧୫-୧୬ରେ ୧୬୭୧, ୨୦୧୬-୧୭ରେ ୧୬୮୨ଟି କୁମ୍ଭୀର ଗଣନା କରାଯାଇଥିଲା।

Leave A Reply