ଭୀମ ଭୋଇରେ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଅନୁମତି

ବଲାଙ୍ଗିର :ଛାତ୍ରଛାତ୍ରୀ ଆତ୍ମହତ୍ୟା ପାଇଁ ବିବାଦୀୟ ହୋଇଥିବା ବଲାଙ୍ଗିର ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ନୂତନ ମହାବିଦ୍ୟାଳୟଙ୍କ ମଧ୍ୟରେ ସ୍ନାତକୋତ୍ତର(ପିଜି) ଖୋଲିବାକୁ ଅନୁମତି ପାଇଛି । ବର୍ତ୍ତମାନ ଯାଏ କେବଳ ଏମ୍‌ବିବିଏସ୍‌ ଶିକ୍ଷାଦାନ ହେଉଥିବା ବେଳେ ଚଳିତ ମେ’ ମାସରୁ ପୋଷ୍ଟ ଏମ୍‌ବିବିଏସ୍‌ ଡିପ୍ଲୋମା(୨ବର୍ଷିଆ) ପାଠ୍ୟକ୍ରମ ପାଇଁ ଶିକ୍ଷାଦାନ ଆରମ୍ଭ ହୋଇଛି । ନ୍ୟାସନାଲ୍‌ ବୋର୍ଡ ଅଫ୍‌ ଏକ୍‌ଜାମିସନ୍‌(ଏନ୍‌ବିଇ) ଦ୍ୱାରା ପରିଚାଳିତ ଏହି ପାଠ୍ୟକ୍ରମ ପାଇଁ ଭୀମ ଭୋଇ ଭେଷଜ ମହାବିଦ୍ୟାଳୟର ବିଭିନ୍ନ ବିଭାଗରେ ୧୩ଟି ସିଟ୍‌ ପାଇଁ ସ୍ୱୀକୃତି ମିଳିଥିବା ଜଣାପଡିଛି । ପରିବାର ଭେଷଜ ଚିକିତ୍ସା, କର୍ଣ୍ଣ ନାଶା ଓ ଗଳା, ଚକ୍ଷୁ, ନିଶ୍ଚେତକ ଓ ରଞ୍ଜନ ରଶ୍ମି ବିଭାଗରେ ଏହି ଶିକ୍ଷାଦାନ ଆରମ୍ଭ ହୋଇଛି ।

ଶିକ୍ଷାଦାନ ପାଇଁ ଗତ ଫେବ୍ରୁଆରିରୁ ମେ’ ମାସ ଯାଏ ନାମଲେଖା ପ୍ରକ୍ରିୟା ନିଟ୍‌/ପିଜି ଦ୍ୱାରା ୫୦ ପ୍ରତିଶତ ସର୍ବଭାରତୀୟ କୋଟା ଓ ୫୦ ପ୍ରତିଶତ ରାଜ୍ୟକୋଟା ମାଧ୍ୟମରେ ଚାଲିଥିଲା । ମହାବିଦ୍ୟାଳୟର ଶିକ୍ଷାଦାନ ଓ ରୋଗୀ ସେବାର ମାନ, ଭିତ୍ତଭୂମି, ଶିକ୍ଷକଙ୍କ ଗୁଣବତ୍ତା ଏନ୍‌ବିଇ ପକ୍ଷରୁ ସର୍ବଭାରତୀୟ ସ୍ତରରେ ଆକଳନ କଲା ପରେ ହିଁ ଏହି ସ୍ୱୀକୃତି ମିଳିଥାଏ । ଏହି ଆକଳନରେ ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ସଫଳ ହୋଇଛି । ସୂଚନାଯୋଗ୍ୟ ଯେ, ନୂତନ ଭାବେ ରାଜ୍ୟରେ ଖୋଲିଥିବା ୪ଟି(କୋରାପୁଟ, ମୟୁରଭଞ୍ଜ, ବାଲେଶ୍ୱର ଓ ବଲାଙ୍ଗିର) ଭେଷଜ ମହାବିଦ୍ୟାଳୟ ମଧ୍ୟରୁ କେବଳ ବଲାଙ୍ଗିର ଭୀମ ଭୋଇ ଭେଷଜ ମହାବିଦ୍ୟାଳୟକୁ ଏହି ଶିକ୍ଷାଦାନ ପାଇଁ ଅନୁମତି ମିଳିଛି । ମହାବିଦ୍ୟାଳୟର ଡିନ୍‌ ତଥା ଅଧ୍ୟକ୍ଷା ଡା.ସବିତା ମହାପାତ୍ର ଓ ଅନ୍ୟମାନଙ୍କ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଥିବା ବିବୃତି ଜରିଆରେ କୁହାଯାଇଛି ।

Comments are closed.