ଭୀମ ଭୋଇ ମେଡିକାଲରେ ନର୍ସଙ୍କ ଆନ୍ଦୋଳନ; ରୋଗୀ ସେବା ଠପ୍‌

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ନର୍ସ ଓ ପାରା ମେଡିକାଲ କର୍ମଚାରୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଶନିବାର ଦ୍ବିତୀୟ ଦିନରେ ପହଞ୍ଚିଛି। କାର୍ଯ୍ୟରତ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ ଏବଂ ଆକ୍ରମଣକାରୀଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ନର୍ସ ଓ ପାରା ମେଡିକାଲ କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଫଳରେ ରୋଗୀ ସେବା ଠପ୍‌ ହୋଇଯାଇଛି। ହସ୍ପିଟାଲ ଅଧିକ୍ଷକ ଓ ବଲାଙ୍ଗୀର ଟାଉନ ଥାନା ଅଧିକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି କାର୍ଯ୍ୟରେ ଯୋଗ ଦେବା ପାଇଁ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି।

ସୂଚନାଯୋଗ୍ୟ, ଗତ ୧୩ ତାରିଖ ରାତିରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ରୋଗୀଙ୍କ ଦୁଇ ଜଣ ସମ୍ପର୍କୀୟ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ନର୍ସ ଥାନାରେ ଅଭିଯୋଗ କରିଥିଲେ। ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ୍‌ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଫଳରେ ଅଭିଯୁକ୍ତମାନେ ଖୁଲମଖୁଲା ବାହାରେ ବୁଲୁଛନ୍ତି। ଏହା ପ୍ରତିବାଦରେ ନର୍ସମାନେ ଆନ୍ଦୋଳନ ଜାରି ରଖିଛନ୍ତି।

Comments are closed.