MEllora 950×100

ଲାଲବାହିନୀର ବର୍ବରତା: ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

ଭବାନୀପାଟଣା: କିଛି ଦିନର ନିରବତା ପରେ ପୁଣି ରକ୍ତମୁଖା ହୋଇଛି ଲାଲବାହିନୀ। ପୁଲିସର ଖବରଦାତା(ଇନ୍‌ଫର୍ମର) ସନ୍ଦେହରେ ଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ଦୁର୍ଗମ ତଲପଞ୍ଚକୁଲ ଗାଁର ଲାଲବତୀ ମାଝୀ ନାମକ ଜଣେ ଗ୍ରାମବାସୀଙ୍କୁ ୨୪ ତାରିଖ ଦିନ ମାଓବାଦୀ ଘରୁ ଉଠାଇ ନେଇ ମାଓବାଦୀଙ୍କ ସମ୍ପର୍କରେ ପୁଲିସକୁ ତଥ୍ୟ ପ୍ରଦାନ କରୁଥିବା ସନ୍ଦେହରେ ହତ୍ୟା କରିଥିବା ଜଣାପଡ଼ିଛି। ତେବେ ଘଟଣା ସ୍ଥଳରେ କିଛି ମାଓପୋଷ୍ଟର ମଧ୍ୟ ମିଳିଥିବା ବେଳେ, ଉକ୍ତ ପୋଷ୍ଟରରେ ମାଓବାଦୀମାନେ ଲାଲବତୀକୁ କାହିଁକି ହତ୍ୟା କଲେ ତାହା ଉଲ୍ଲେଖ କରିଛନ୍ତି । ଏହି ପୋଷ୍ଟରରେ ସେହି ଅଞ୍ଚଳର କିଛି ଲୋକ ମଧ୍ୟ ପୁଲିସ ଇନ୍‌ଫର୍ମର ଥିବା ଯୋଗୁଁ ଲାଲ ସଂଗଠନ ପକ୍ଷରୁ ପୋଷ୍ଟର ମାଧ୍ୟମରେ ସେମାନଙ୍କୁ ଚେତାବନୀ ଦିଆଯାଇଛି ।

ଏ ସମ୍ପର୍କରେ କଳାହାଣ୍ଡି ଏସପି ଅଭିଳାଷ ଜୀ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ଯେ, ଲାଲବତୀ ଗତ ବର୍ଷ ତାର ସମ୍ପର୍କୀୟ କଟଲିଙ୍ଗି ଗ୍ରାମର ବିଜୁ ମାଝୀକୁ ହତ୍ୟା କରିଥିଲା । ବିଜୁ ମାଝୀର ବାପା କୁନୀ ମାଝୀ ତାର ପୁଅର ହତ୍ୟାର ପ୍ରତିଶୋଧ ନେବା ପାଇଁ ସ୍ଥିର କରିଥିଲା । କୁନୀ ମାଝୀ ମାଓ ସଂଗଠନ ନିୟମଗିରି ଏରିଆ କମିଟର ସଦସ୍ୟ ଥିଲା । ଉକ୍ତ ଅଞ୍ଚଳରେ ମାଓ ସଂଗଠନ ସୁଦୃଢ କରିବା ସହିତ ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ଆତଙ୍କ ସୃଷ୍ଟି କରୁଥିଲା । ତାର ସୁଯୋଗ ନେଇ କୁନୀ ମାଝୀ ବଂଶଧାରା ଗୁମସର ନାଗାବଳୀ ମାଓ ଡିଭିଜନ ଦ୍ୱାରା ଲାଲବତୀକୁ ହତ୍ୟା କରିଛି। ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ କୁମ୍ବିଂ ଅପରେସନ ଜାରି ରହିଥିବା ଜଣାପଡ଼ିଛି।

Comments are closed.