କରୋନା ସ୍ଥାନୀୟ ସଂକ୍ରମଣ ବୃଦ୍ଧି: ଭବାନୀପାଟଣା ସହର ୪୮ଘଣ୍ଟା ପାଇଁ ସଟ୍‍ଡାଉନ୍‍, ଘର ଘର ବୁଲି ସର୍ଭେ

ପୁରୁଣାପଡା କରୋନା ଆକ୍ରାନ୍ତ ଯୁବକ କ’ଣ ସୁପର ସ୍ପ୍ରେଡର?

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ୍‍ଥାନା ସମେତ ରିଜର୍ଭ ପୁଲିସରେ କାର୍ୟ୍ୟରତ ଫୋର୍ସ ମଧ୍ୟରୁ ୧୦ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ନର୍ଲା ଓ ଭବାନୀପାଟଣା ସହରର ଆଉ ୨ଜଣ ଏପରି ୧୨ଜଣ କରୋନା ଆକ୍ରାନ୍ତ ହେବା ଘଟଣାକୁ ନେଇ ସହର ବାସୀ ଯେତେ ଚିନ୍ତତ ହୋଇ ପଡିନାହାନ୍ତି। ତା’ଠାରୁ ଅଧିକ ଜିଲ୍ଲାପ୍ରଶାସନର ଚିନ୍ତା ବଢାଇ ଦେଇଛି। ଭବାନୀପାଟଣା ସହରରେ କରୋନା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତାକୁ ପ୍ରତିରୋଧ କରିବା ପାଇଁ ଜିଲ୍ଲା ପ୍ରଶାସନ ୨୫ ଓ ୨୬ତାରିଖ ଦୁଇ ଦିନ ଧରି ଭବାନୀପାଟଣା ସହରକୁ ସଟ୍‍ଡାଉ୍‍ନ୍‍ ଘୋଷଣା କରିଛନ୍ତି। ଏହି ୨ଦିନ ଭିତରେ ଭବାନୀପାଟଣା ପୌରପରିଷଦ ଅଧିନରେ ଥିବା ୨୦ଟି ୱାର୍ଡର ସମସ୍ତ ପଡାକୁ ପ୍ରଶାସନ ଦ୍ୱାରା ନିଯୁକ୍ତି ପ୍ରାପ୍ତ ଆଶା, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ ପ୍ରମୁଖଙ୍କ ଦ୍ୱାରା ଗଠିତ ଟିମ୍‍ ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରିବା ସହ ଘର ଘର ବୁଲି ସର୍ଭେ କରିବା ସହିତ ଆଣ୍ଟିଜେନ୍‍ କିଟ ଟେଷ୍ଟ ଆରମ୍ଭ ହୋଇଛି। ଅନ୍ୟପଟେ ପୁଲିସ ପ୍ରଶାସନ କିଛି ଦିନର ବ୍ୟବଧାନ ପରେ ପୁଣି ଚେଇଁ ଉଠିଛି। ବିଭିନ୍ନ ଛକ ସ୍ଥାନରେ ପୁଲିସ ଅମାନିଆ ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ତାଗିଦ୍‍ କରୁଛି।

ଗତ ୨୨ତାରିଖ ଦିନ ଭବାନୀପାଟଣା ସହର ପୁରୁଣାପଡା ଓ ଶାନ୍ତିନଗର ପଡାର ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପୁରୁଣାପଡାର ଆକ୍ରାନ୍ତ ବ୍ୟକ୍ତି ଭବାନୀପାଟଣା ଡାକ୍ତରଖାନା, ଥାନା ସଦର ମୂଖ୍ୟ ଡାକ୍ତରଖାନା, ଜେଲ ପରିସର ଓ କୋର୍ଟ ପରିସର ସମେତ ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ଖୋଲା ଖୋଲି ଭାବରେ ଚଳପ୍ରଚଳ କରିଥିଲେ। ଗତ ୨୩ତାରିଖ ଦିନ ତାଙ୍କର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କର ଚିହ୍ନଟ କରାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୬୦ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।

ପୁରୁଣାପଡା କରୋନା ଆକ୍ରାନ୍ତ ବ୍ୟକ୍ତି ଟାଉନ୍‍ ଥାନା ଓ ସଦରଥାନା ଯାଇଥିବା ଯୋଗୁଁ ଗତ ୨୪ତାରିଖ ଦିନ ପ୍ରଶାସନ ଭବାନୀପାଟଣା ଟାଉନ ଥାନା, ସଦର ଥାନା ଓ ଆଇଆରବି ଯବାନମାନଙ୍କ ଟେଷ୍ଟ ସମୟରେ ଭବାନୀପାଟଣା ଟାଉନ ଥାନାର ୩ଜଣ, ସଦର ଥାନାର ୧ଜଣ, ପୁଲିସ ରିଜିର୍ଭର ୫ଜଣଙ୍କ ସମେତ ୯ଜଣ ପୁଲିସ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ବାହାରିଥିବା ବେଳେ ଜଣେ ଆଇଆରବି ଯବାନ ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ। ଏ ସମସ୍ତ ପୁଲିସ କର୍ମଚାରୀମାନେ ଟାଉନ୍‍ଥାନା ଓ ପିସିଆରରେ କାର୍ୟ୍ୟକରୁଥିଲେ। ହଠାତ୍‍ ସହରର ଲୋକଙ୍କୁ ସୁରକ୍ଷା ଯୋଗାଉଥିବା ୧୦ଜଣ ଆଗ ଧାଡିର କରୋନା ଯୋଦ୍ଧାଙ୍କ ରିପୋର୍ଟ ପଜିଟିଭ ଆସିବାପରେ ସହରବାସୀଙ୍କ ଚିନ୍ତା ବଢିଯାଇଛି।

ପୁରୁଣାପଡାର ଆକ୍ରାନ୍ତ ବ୍ୟକ୍ତି ସୁପର ସ୍ପ୍ରେଡର ହେବାର ସମ୍ଭାବନା ଅଧିକ ରହିଛି। ତାଙ୍କର କଣ୍ଟାକ୍ଟ ଟ୍ରେସିଂ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କଳାହାଣ୍ଡି ଜିଲ୍ଲାପାଲ ଡା. ଗଭାଳି ପରାଗ ହର୍ଷଦଙ୍କ ଚିଠି ନଂ.୯୭୦/୨୪.୦୭.୨୦୨୦ଅନୁଯାୟୀ ଭବାନୀପାଟଣା ସହରକୁ ଗତ ୨୪ତାରିଖ ମଧ୍ୟରାତ୍ରିରୁ ଆସନ୍ତା ୨୬ତାରିଖ ମଧ୍ୟ ରାତ୍ର ପର୍ୟ୍ୟନ୍ତ ସଟ୍‍ଡାଉନ୍‍ କରାଯାଇଛି। ଏହି ସମୟରେ ଭବାନୀପାଟଣା ସହରବାସୀ ଜରୁରୀ କାମ ନଥିଲେ ଘରୁ ନବାହାରିବା ପାଇଁ କଡା ନିର୍ଦ୍ଦେଶନାମା ଜାରିକରାଯାଇଥିଲେ ମଧ୍ୟ ଅମାନିଆ ଯୁବକମାନେ ଜାଣିଶୁଣି ଅଯଥାରେ ମଟର ସାଇକେଲରେ ଘୁରୁବୁଲିଥିବା ଦେଖିବାକୁ ମିଳୁଛି। ନିଜେ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଆଇନ୍‍ ଶୃଙ୍ଖଳା ପରିସ୍ଥିତି ଉପରେ ତିକ୍ଷ୍‍ଣ ନଜର ରଖିବା ସହିତ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ ଓ ଯାଂଚ କାର୍ୟ୍ୟ କରାଯାଉଥିବା ଦେଖିବାକୁ ମିଳିଛି। ସେହିପରି ଭବାନୀପାଟଣା ଉପ-ଜିଲ୍ଲାପାଳ ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ରହିବା ସହିତ ସିଡିଏମଓଙ୍କୁ ଏହି ସମୟରେ କଣ୍ଟାକ୍ଟ ଟ୍ରେସିଙ୍ଗ ଓ ଅଧିକ ପରୀକ୍ଷା ସହିତ ଥରମାଲ ସ୍କାନିଙ୍ଗ ଏବଂ ଘର ଘର ସର୍ଭେ କରିବାର ଦାୟିତ୍ୱ ଦିଆଯାଇଛି। ଭବାନୀପାଟଣା ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ସଟ୍‍ ଡାଉନ୍‍ ସମୟରେ ପରିଚାଳନା ସହାୟତା ପାଇଁ ଦାୟିତ୍ୱ ଦିଆଯାଇଛି। ଅନ୍ୟପଟେ ୮୦ଟି ଟିମ୍‍ ଭାଗ ଭାଗ ହୋଇ ୨୫ ଓ ୨୬ତାରିଖ ୨ଦିନରେ ଭବାନୀପାଟଣା ପୌରାଂଚଳର ୨୦ଟି ୱାର୍ଡରେ ଘର ଘର ବୁଲି ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରିବା ସହ ଲୋକଙ୍କର ସ୍ୱାସ୍ଥ୍ୟ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ସର୍ଭେ କରିବା ସହିତ ରାପିଡ଼୍‍ ଟେଷ୍ଟ କରାଯାଉଛି।

ଜିଲ୍ଲାର କାର୍ୟ୍ୟରତ ସମସ୍ତ ଓଏଏସ୍‍ ଅଫିସର୍‍ ଏବଂ ଅନ୍ୟ ଅଧିକାରୀମାନଙ୍କୁ ସହରର ୨୦ଟି ୱାର୍ଡର ନୋଡାଲ୍‍ ଅଫସିର ଭାବେ ନିଯୁକ୍ତି ଦିଆଯାଇଛି। ଏହି ନୋଡାଲ ଅଫସିରମାନେ ସମସ୍ତ ୱାର୍ଡରେ କାର୍ୟ୍ୟରତ ଟିମ୍‍ର ମାର୍ଗଦର୍ଶନ କରିବା ସହିତ କାର୍ୟ୍ୟତଦାରଖ କରୁଥିବା ଦେଖିବାକୁ ମିଳୁଛି। ଯଦି କୌଣସି କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୁଅନ୍ତି ସେମାନଙ୍କୁ କୋଭିଡ୍ ହସ୍ପିଟାଲ ନେବା ପାଇଁ ୫ଟି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି।

Comments are closed.