ଆଜି ବାହୁଡାଯାତ୍ରା

0

ପୁରୀ  : ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ୭ଦିନ ଅବସ୍ଥାନ ପରେ ଆଜି ବାହୁଡିବେ ଦାରୁବ୍ରହ୍ମ। ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଗଡିବ ତିନିରଥ। ପ୍ରିୟଭକ୍ତଙ୍କ ସହ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ରଥରେ ବସି ବାହୁଡାଯାତ୍ରା କରିବେ। ନାକଚଣା ଦ୍ୱାର ସମ୍ମୁଖରେ ପ୍ରଭୁଙ୍କୁ ଅପେକ୍ଷା କରିଛନ୍ତି ତାଳଧ୍ୱଜ, ନନ୍ଦିଘୋଷ ଏବଂ ଦର୍ପଦଳନ ରଥ। ଆଜି ଆଡ଼ପମଣ୍ଡପରେ ଖେଚୁଡି ଖାଇ ଚତୁର୍ଦ୍ଧାମୂର୍ତ୍ତି ରଥଉପରକୁ ପହଣ୍ଡିବିଜେ କରିବେ। ଦିନ ୧୨ଟାରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ସୁଦ୍ଧା ଶେଷହେବ। ଘଣ୍ଟ, ଘଣ୍ଟା, କାହାଳି ଓ ମୃଦଙ୍ଗ ବାଦ୍ୟରେ କମ୍ପିଉଠିବ ଶରଧାବାଲି। ପ୍ରଥମ ସେବକ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ରଥରେ ଛେରାପହଁରା କରିବେ। ଅପରାହ୍ଣ ୪ଟାରେ ରଥଟଣା ଯିବାର କାର୍ଯ୍ୟକ୍ରମ ରହିଛି। ସକାଳ ୪ଟାରେ ଆଡ଼ପମଣ୍ଡପରେ ଶ୍ରୀଜୀଉଙ୍କୁ ମଙ୍ଗଳଆଳତି କରାଯିବ। ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା ପରେ ସେବକମାନେ ପ୍ରଭୁଙ୍କୁ ବେଶ କରିବେ। ଏହାପରେ ଗୋପାଳବଲ୍ଲଭ ଏବଂ ସକାଳଧୂପ ଅନୁଷ୍ଠିତ ହେବ। ସେନାପଟା ଲାଗି ପରେ ମଙ୍ଗଳାର୍ପଣ କରାଯିବ। ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ପିନ୍ଧି ମହାପ୍ରଭୁ ପହଣ୍ଡିରେ ବାହାରିବେ। ପରମ୍ପରା ଅନୁଯାୟୀ ପ୍ରଭୁଙ୍କୁ ଧାଡିପହଣ୍ଡି କରାଯିବ। ମଦନମୋହନ ଓ ରାମକୃଷ୍ଣଙ୍କୁ ମଧ୍ୟ ରଥରେ ବିଜେ କରାଯିବ। ଫେରିବା ବେଳେ ମାଉସୀମା’ ମନ୍ଦିର ନିକଟରେ ତିନିଠାକୁରଙ୍କୁ ପୋଡପିଠା ଭୋଗ କରାଯିବ। ଏହାଛଡା ବିଭିନ୍ନ ମଠ, ଯାଗାଆଖଡା ଓ ବ୍ୟକ୍ତିଙ୍କ ତରଫରୁ ରଥାରୂଢ ଶ୍ରୀଜୀଉଙ୍କୁ ପଂକ୍ତିଭୋଗ କରାଯିବାର ବିଧି ରହିଛି। ଶ୍ରୀନଅର ସମ୍ମୁଖରେ ଗଜପତି ମହାରାଜା ଲକ୍ଷ୍ମୀନାରାୟଣ ଭେଟ କରାଇବେ। ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ଯିବାପରେ ନନ୍ଦିଘୋଷ ରଥ ସିଂହଦ୍ୱାରକୁ ଯିବ। ସନ୍ଧ୍ୟାସୁଦ୍ଧା ତିନିରଥ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଯେପରି ପହଞ୍ଚିବେ ସେଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।
ସୋମବାର ହରିଶୟନ ଏକାଦଶୀ ତିଥିରେ ରଥଉପରେ ମହାପ୍ରଭୁଙ୍କୁ ସୁନାବେଶ କରାଯିବ। ମହଣ ମହଣ ସୁନାଅଳଙ୍କାର ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେବେ ପରଂବ୍ରହ୍ମ। ଏହାକୁ ବଡ଼ତଢାଉ ବେଶ କୁହାଯାଏ। ରଥଉପରେ ପ୍ରଭୁଙ୍କ ସୁନାବେଶ ଅତ୍ୟନ୍ତ ମନୋରମ ଏବଂ ଦୁର୍ଲଭ। ଶ୍ରୀଜଗନ୍ନାଥଙ୍କୁ ସୁବର୍ଣ୍ଣ ଶ୍ରୀପୟର, ଶ୍ରୀଭୁଜ ଏବଂ କିରୀଟ ଲାଗିକରାଯିବ। ମହାପ୍ରଭୁ ଶଙ୍ଖଚକ୍ର ଧାରଣ କରିବେ। ଶ୍ରୀବଳଭଦ୍ର ହଳ ଓ ମୂଷଳ ଧାରଣ କରିବେ। ତାଙ୍କୁ ସୁବର୍ଣ୍ଣ ଶ୍ରୀପୟର ଓ ଶ୍ରୀଭୁଜ ସମେତ ବିଭିନ୍ନ ଅଳଙ୍କାର ଲାଗି କରାଯିବ। ଦେବୀ ସୁଭଦ୍ରା ସୁବର୍ଣ୍ଣ କିରୀଟ, ଓଡ଼ିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡାମାଳି, କଦମ୍ବମାଳି, ତଡଗି ଓ ସେବତିମାଳି ପରିଧାନ କରିବେ। ରଥଉପରେ ସନ୍ଧ୍ୟାଆଳତି ଏବଂ ଏକାଦଶୀ ସର୍ବାଙ୍ଗ ପରେ ସୁନାବେଶ ଆରମ୍ଭ କରାଯିବ।

ପୁରୀରେ ଗତକାଲି ଦିନ ତମାମ ବର୍ଷା ଲାଗିରହିଥିବାରୁ ବଡ଼ଦାଣ୍ଡରେ କୃତ୍ରିମ ବନ୍ୟା ସୃଷ୍ଟିହୋଇଥିଲା । ଶରଧାବାଲିରେ ପାଣି ଢେଉ ଭାଙ୍ଗୁଥିବା ଦେଖାଦେଇଥିଲା। ଜଳବନ୍ଦୀ ହୋଇ ରହିଥିଲେ ତିନିରଥ। ଆଣ୍ଠୁଏ ପାଣିଭିତରେ ପଶି ଲୋକେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଉଥିବାର ଦେଖାଯାଇଥିଲା। ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୪୦ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ୨ହଜାର ପୁଲିସ ଅଧିକାରୀ, ୧୨୦ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି। ପୁରୀ ଓ ଭୁବନେଶ୍ୱର ମଧ୍ୟରେ ଏକପାଖିଆ ଯାନବାହାନ ଚଳାଚଳ ବ୍ୟବସ୍ଥା କରାଯାଇଛି।

ବାହୁଡାଯାତ୍ରା ନୀତିନିର୍ଘଣ୍ଟ
ମଙ୍ଗଳ ଆଳତୀ ପ୍ରାତଃ-ଘ.୪.୦୦
ମଇଲମ – ଘ ୪.୧୫
ତଡପଲାଗି – ଘ.୪.୩୦
ରୋଷହୋମ – ଘ ୪.୩୦
ଅବକାଶ – ଘ.୫.୦୦
ସୂର୍ଯ୍ୟପୂଜା – ଘ.୫.୧୫
ଦ୍ୱାରପାଳପୂଜା – ଘ.୫.୩୦
ବେଶଶେଷ – ଘ.୫.୩୦
ଗୋପାଳବଲ୍ଲଭ, ସକାଳଧୂପ – ଘ.୫.୪୫ରୁ ୬.୪୫
ସେନାପଟାଲାଗି – ଘ. ୭.୦୦ରୁ ୧୧.୦୦
ମଙ୍ଗଳାର୍ପଣ – ଘ.୧୧.୪୫
ବାହୁଡା ପହଣ୍ଡି ଆରମ୍ଭ – ଘ.୧୨.୦୦
ପହଣ୍ଡି ଶେଷ – ଘ.୨.୩୦
ବେଶଶେଷ – ଘ.୧.୦୦ରୁ ୨.୩୦
ଛେରାପହଁରା – ଘ.୨.୩୦ରୁ ୩.୩୦
ଚାରମାଳ ଫିଟା
ଘୋଡ଼ା ଓ ସାରଥୀ ଲାଗି – ଘ୩.୦୦ରୁ ୪.୦୦
ରଥଟଣା ଆରମ୍ଭ ଅପରାହ୍ଣ – ଘ ୪.୦୦

 

Leave A Reply