ନିଜ ଷ୍ଟାଫ୍‍ ମେମ୍ବରଙ୍କ ସୁରକ୍ଷା ପାଇଁ ଯତ୍ନବାନ୍‍ ଭାରତୀ; ଅର୍ଡର କଲେ ସବୁଠୁ ଭଲ ପିପିଇ କିଟ୍‌

ମୁମ୍ବଇ: ଏହି କରୋନା ମହାମାରୀ ସମୟରେ କେବଳ ନିଜର ନୁହେଁ ବରଂ ନିଜ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ମଧ୍ୟ ଚିନ୍ତିତ ଲୋକପ୍ରିୟ ହାସ୍ୟ କଳାକାର ଭାରତୀ ସିଂହ। ଷ୍ଟାଫ୍‍ ମେମ୍ବରଙ୍କ ସୁରକ୍ଷା ପାଇଁ ସେ ପିପିଇ କିଟ୍‌ ମଗାଇଛନ୍ତି। ଏନେଇ ଭାରତୀ ନିଜେ ସୂଚନା ଦେଇଛନ୍ତି।

ଲକ୍‍ଡାଉନ ନିୟମ ଧିରେ ଧିରେ କୋହଳ ହୋଇ ପର୍ଯ୍ୟାୟ କ୍ରମେ ଦେଶ ଅନ୍‍ଲକ୍‍ ହେବା ଆରମ୍ଭ କରିବା ପରେ କିଛି ରାଜ୍ୟରେ ଶୁଟିଂ ପାଇଁ ଅନୁମତି ମିଳିଛି। ଭାରତୀ ମଧ୍ୟ ଶୁଟିଂର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଭାରତୀ ନିଜର ଏବଂ ଟିମର ସୁରକ୍ଷା ପାଇଁ ଅନେକ କାମ କରୁଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଭାରତୀ କହିଛନ୍ତି ଯେ, ସେ ନିଜ ଟିମ୍ ମେମ୍ବରଙ୍କ ପାଇଁ ପିପିଇ କିଟ୍‌ ଅର୍ଡ଼ର ଦେଇଛନ୍ତି। ଏ ବିଷୟରେ କଥା ହୋଇ ଭାରତୀ କହିଛନ୍ତି ଯେ ଆମ ଷ୍ଟାଫ୍ ଆମ ପାଇଁ ରୋଜଗାର କରୁଛନ୍ତି। ତାଙ୍କ ପାଇଁ କାମ ଶୀଘ୍ର ଆରମ୍ଭ କରିବାକୁ ଭାରତୀ ମନସ୍ଥ କରିଛନ୍ତି। ଭଗବାନଙ୍କ କୃପାରୁ ସେମାନେ କିଛି ଟଙ୍କା ରୋଜଗାର କରି ରଖିଛନ୍ତି ଯାହା ଦ୍ବାରା ଆହୁରି ୨ମାସ ଲକଡାଉନ୍ ବଢ଼ିଗଲେ ମଧ୍ୟ ଅସୁବିଧା ହେବ ନାହିଁ। ସେ ନିଜ ଷ୍ଟାଫଙ୍କୁ ପୂରା ପେମେଣ୍ଟ୍ ଦେଉଛନ୍ତି। ଯେତେ ସମ୍ଭବ ସେତେ ସାହାଯ୍ୟ କରୁଛନ୍ତି।

ସେ ନିଜର ଯେତେ ଯତ୍ନ ନେଉଛନ୍ତି ସେମାନଙ୍କର ମଧ୍ୟ ଯତ୍ନ ନେବାକୁ ଉଦ୍ୟମ କରୁଛନ୍ତି। ଏବେ ଶୁଟିଂ ଆରମ୍ଭ ହେବାକୁ ଥିବାରୁ ସେ ନିଜ ଷ୍ଟାଫ ମେମ୍ବରଙ୍କୁ ସବୁଠୁ ଭଲ ପିପିଇ କିଟ୍ ଦେବାକୁ ସ୍ଥିର କରିଛନ୍ତି, ଯାହା ଫଳରେ ସେମାନେ ସୁରକ୍ଷିତ ରହିବେ। ସେ ଏହି ପିପିଇ କିଟର ଅର୍ଡ଼ର ମଧ୍ୟ ଦେଇ ଦେଇଛନ୍ତି। ଗାଇଡଲାଇନ୍ ମୁତାବକ ଶୁଟିଂ ସେଟରେ ଅଧିକ ଭିଡ଼ ନ ହେବା ପାଇଁ ତାଙ୍କୁ ଘରୁ ମେକଅପ୍ ହୋଇ ଆସିବାକୁ ପଡ଼ିବ। ଏପରି ପରିସ୍ଥିତିରେ ଅନେକ ଲୋକଙ୍କର ଚାକିରୀ ଯିବାର ସମ୍ଭାବନା ମଧ୍ୟ ରହିଛି। ସେ ଏବଂ ହର୍ଷ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ମେକଅପ୍ ଆର୍ଟିଷ୍ଟଙ୍କୁ ଘରକୁ ଡାକିବେ ଯାହା ଦ୍ବାରା ସେମାନେ କିଛି ରୋଜଗାର କରି ପାରିବେ। ହର୍ଷଙ୍କ ପାଖାପାଖି ୫ଜଣ ଷ୍ଟାଫ୍ ମେମ୍ବର ଅଛନ୍ତି, ତାଙ୍କର ୭/୮ଜଣ ମେମ୍ବର ଅଛନ୍ତି। ତାଙ୍କର ଧ୍ୟାନ ରଖିବା ସେମାନଙ୍କର ଦାୟିତ୍ବ।

ସୂଚନାଯୋଗ୍ୟ, ଲକଡାଉନରେ ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷ ‘ହମ୍ ତୁମ୍ ଔର କ୍ବାରେଣ୍ଟାଇନ୍’ ଶୋ ଆରମ୍ଭ କରିଛନ୍ତି। ଏହି ଶୋର ପ୍ରସ୍ତୁତି ଉଭୟେ ଘରେ କରିଛନ୍ତି।

Comments are closed.