ଲଗାଣ ବର୍ଷାରେ ବୈତରଣୀକୁ ଧସିଲା ୨୦ଫୁଟ ସୁରକ୍ଷାବନ୍ଧ

ବର୍ଷାପାଣିରେ ଲହଡି ଭାଙ୍ଗୁଛି ଶହଶହ ହେକ୍ଟର ପାଚିଲା ଧାନ

ଆରଡି:ଗତ ୩ଦିନ ହେଲା ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ବହୁ କ୍ଷୟକ୍ଷତି ଘଟାଇଛି। ଏପରିକି ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ଓଳଗ, ନାନ୍ଦପୁର ଓ ସୁନ୍ଦରପୁର ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ବହୁ ସ୍ଥାନରେ ନଦୀବନ୍ଧ ଅତ୍ୟନ୍ତ ଦୃବଳ ଥିବାରୁ ଆଖଣ୍ଡଳମଣି-କୁଆଖିଆ ୨୦ନଂ ଜାତୀୟ ରାଜପଥର ବୋଡକ ନିକଟରେ ଶୁକ୍ରବାର ପ୍ରାୟ ୨୦/୩୦ପୁଟ ସୁରକ୍ଷାବନ୍ଧ ବୈତରଣୀନଦୀକୁ ଧସିଯିବା ଫଳରେ ଜାତୀୟ ରାଜପଥ ଏବେ ବିପଦପୂର୍ଣ୍ଣ ଭାବେ ରହିଛି। ଫଳରେ ଯାତାୟତ କରୁଥିବା ଲୋକମାନେ ବିପଦପୂର୍ଣ୍ଣ ଭାବେ ଯାଅଆସ କରୁଥିବା ଦେଖିବାକୁ ମିଳିଛି। ଏପରି ଘଟଣା ଘଟିବା ଦ୍ୱାରା ନଈକୂଳରେ ବସବାସ କରୁଥିବା ବୋଡକ, ଷାଠିବାଙ୍କୁଡା, ଅମୃତମଣି, ବଡଓଳଗ, ଦୋହରାପାଟଣା ଆଦି ଗାଁର ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି। ଅନ୍ୟପଟେ ବୈତରଣୀ ନଦୀର ସୁରକ୍ଷାବନ୍ଧ ଏନ.ଏଚ ଓ ଜଳସେଚନ ବିଭାଗ ଉଭୟଙ୍କ ଦ୍ୱାରା ନିର୍ମିତ ହୋଇଥିଲେ ମଧ୍ୟ ଅତି ନିମ୍ନମାନର ନିର୍ମାଣ ହୋଇଥିବାରୁ ଏପରି ଘଟଣା ବାରମ୍ବାର ଘଟୁଛି ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ସେହିପରି ମୁଆଁ ନିକଟରେ ଲଗାଣ ବର୍ଷାରେ ବୈତରଣୀ ନଦୀବନ୍ଧର ବଡବଡ ଅତଡା ଖଣ୍ଡ ଖସୁଥିବାରୁ ନଦୀବନ୍ଧ ଦୃବଳ ହୋଇ ପଡିଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ଯେଉଁ ସ୍ଥାନରେ ଅତଡା ଖସୁଛି ତାହା ଗାଁ ଠାରୁ ଦେଡକିଲୋମିଟର ଦୂର ହୋଇଥିଲେ ମଧ୍ୟ ଯଦି ସେଠାରେ ନଦିବନ୍ଧ ଭାଙ୍ଗେ ତାହାଲେ ବଡ ଧରଣ କ୍ଷତି ଘଟିବ ବୋଲି ଗ୍ରାମବାସୀ ପ୍ରାକଶ କରିଛନ୍ତି। ତାହାସହ ବର୍ଷା ଜଳ ଠିକ ଭାବେ ନିଷ୍କାସିତ ହେଉନଥିବାରୁ ନଈକୂଳରେ ବସବାସ କରୁଥିବା ୧୫/୨୦ ପରିବାରଙ୍କ ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚରୁ ବର୍ଷାପାଣି ଲହଡି ଭାଙ୍ଗୁଛି।

ଏପରିକି କେତକ ସ୍ଥାନରେ ପାଣି ଜମି ରହିବା ଫଳରେ କଚାଘରର କାନ୍ଥ ଓ ପିଣ୍ଡା ଧସିବାରେ ଲାଗିଛି। ସେପଟେ କ୍ଷତରେ ଧାନ ପାଚି ଆସୁଥିବା ସମୟରେ ଲଗାଣ ବର୍ଷା ଚାଷୀମାନଙ୍କ ପାଇଁ ଦାଉ ସାଜିଛି। ଶହଶହ ହେକ୍ଟରର କ୍ଷତରେ ପାଚିଲା ଧାନ ବର୍ଷା ପାଣିରେ ଲହଡି ଭାଙ୍ଗୁଛି।

Comments are closed.