ଶାହା, ଗିଲ୍‌ଙ୍କ ପ୍ରହାର; ଗୁଜରାଟର ବିପୁଳ ବିଜୟ

ଅହମ୍ମଦାବାଦ : ଗତବର୍ଷର ଚମ୍ପିଆନ୍‌ ଗୁଜରାଟ ଟାଇଟାନ୍‌ସ ଚଳିତ ଆଇପିଏଲ୍‌‌ର ପ୍ଲେଅଫ୍‌ ଖେଳିବା ପ୍ରାୟ ନିଶ୍ଚିତ କରିଛି। ୧୧ଟି ମ୍ୟାଚ୍‌ରୁ ଗୁଜରାଟ ୮ଟି ଜିତି ୧୬ ପଏଣ୍ଟ ସହ ଶୀର୍ଷରେ ରହିଛି। ପୁଣି ଏହାର ନେଟ୍‌ ରନ୍‌ରେଟ୍‌ ୦.୯୫୧ ସର୍ବାଧିକ ଅଛି। ରବିବାର ଋଦ୍ଧିମାନ ଶାହା ଓ ଶୁବ୍‌ମାନ ଗିଲ୍‌ଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୫୬ ରନ୍‌ରେ ଗୁଜରାଟ ପରାସ୍ତ କରିଛି। ଦୁହେଁ ୧୨ ଓଭରରୁ ୧୪୨ ରନ୍‌ର ଓପ୍‌ନିଂ ଭାଗିଦାରୀ କରିବା ଯୋଗୁଁ ଗୁଜରାଟ ଟାଇଟାନ୍‌ସ ୨ ୱିକେଟରେ ୨୨୭ ରନ୍‌ କରିଥିଲା। ପରେ କାଏଲ୍‌ ମେୟର୍ସ ଓ କ୍ବିଣ୍ଟନ୍‌ ଡି କକ୍‌ଙ୍କ ବିସ୍ଫୋରକ ଇନିଂସ ସତ୍ତ୍ବେ ଲକ୍ଷ୍ନୌ ୭ ୱିକେଟରେ ୧୭୧ ରନ୍‌ କରି ପାରିଥିଲା। ୧୧ଶ ମ୍ୟାଚ୍‌ରୁ ୫ମ ପରାଜୟ ପରେ ଲକ୍ଷ୍ନୌ ୧୧ ପଏଣ୍ଟରେ ରହିଛି।
୨୨୮ ରନ୍‌ ବିଶାଳ ବିଜୟଲକ୍ଷ୍ୟର ପିଛା କରିଥିବା ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ଘରୋଇ ଦଳ ଗୁଜରାଟ ଟାଇଟାନ୍‌ସକୁ କଡ଼ା ଜବାବ ଦେଇଥିଲା। ଲକ୍ଷ୍ନୌର ଦୁଇ ଓପ୍‌ନର କାଏଲ୍‌ ମେୟର୍ସ ଓ କ୍ବିଣ୍ଟନ୍‌ ଡି କକ୍‌ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂକରି ଓଭର ପିଛା ୧୧ ରନ୍‌ ହାରରେ ସ୍କୋର୍ କରିଥିଲେ। ହେଲେ ମେୟର୍ସ ଆଉଟ୍‌ ହୋଇଯିବା ପରେ ଗୋଟିଏ ପଟେ ଡି କକ୍ ଲଢ଼ିଥିଲେ ଏବଂ ଅନ୍ୟ ବ୍ୟାଟ୍‌ସମ୍ୟାନ୍ ହାତ ଟେକି ଦେଇଥିଲେ। ମେୟର୍ସ ଓ ଡି କକ୍ ଓପ୍‌ନିଂ ଯୋଡ଼ିରେ ୪୯ ବଲ୍‌ରୁ ୮୮ ରନ୍‌ ଯୋଗ କରିଥିଲେ। ୱେଷ୍ଟଇଣ୍ଡିଜ୍‌ର କାଏଲ୍‌ ମେୟର୍ସ ୩୨ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୪୮ ରନ୍‌କରି ଆଉଟ୍‌ ହୋଇଥିଲେ। ହେଲେ ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍‌ ଖେଳିଥିବା ଦକ୍ଷିଣ ଆଫ୍ରିକାର କ୍ବିଣ୍ଟନ୍ ଡି କକ୍‌ ମ୍ୟାଚ୍‌ର ଅନ୍ୟତମ ଶ୍ରେଷ୍ଠ ଇନିଂସ ଖେଳିଥିଲେ। ତେବେ ଲକ୍ଷ୍ନୌର ମଧ୍ୟକ୍ରମ ସମ୍ପୂର୍ଣ୍ଣ ବିଫଳ ହେବାରୁ ଏହା ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିଲା। ଦୀପକ ହୁଡା ୧୧ ବଲ୍‌ରୁ ମାତ୍ର ୧୧ ରନ୍‌ କରିଥିଲେ। ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ଦୁଇ ବିଦେଶୀ ଖେଳାଳି ମାର୍କସ ଷ୍ଟଇନିସ୍‌ ଓ ନିକୋଲାସ୍ ପୁରନ୍‌ ଦଳକୁ ନିରାଶ କରିଥିଲେ। ଅଷ୍ଟ୍ରେଲିଆର ଷ୍ଟଇନିସ୍‌ ୯ ବଲ୍‌ରୁ ୪ ଓ ୱେ​‌ଷ୍ଟଇଣ୍ଡିଜ୍‌ର ପୁରନ୍‌ ୬ ବଲ୍‌ରୁ ୩ ରନ୍‌କରି ଆଉଟ୍‌ ହୋଇଥିଲେ। ୧୬ଶ ଓଭର ପର୍ଯ୍ୟନ୍ତ ଏକା ଲଢ଼ିିଥିବା କ୍ବିଣ୍ଟନ ଡି କକ୍‌ ୪୧ ବଲ୍‌ରୁ ୩ଟି ଛକା ଓ ୭ଟି ଚୌକା ସହ ୭୦ ରନ୍‌କରି ବିଦାୟ ନେଇଥିଲେ। ଇମ୍ପାକ୍ଟ ଖେଳାଳି ଭାବେ ଆସିଥିବା ଆୟୁଷ ବଦୋନି ୧୧ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୧ ରନ୍‌ କରିଥିଲେ। ମୋହିତ ଶର୍ମା ୪ ଓଭରରୁ ମାତ୍ର ୨୯ ରନ୍‌ଦେଇ ୪ଟି ୱିକେଟ ନେଇଥିଲେ। ଆଫ୍‌ଗାନ୍ ଚାଇନାମ୍ୟାନ୍ ସ୍ପିନର ନୁର୍ ଅହମ୍ମଦ ମଧ୍ୟ ଭଲ ବୋଲିଂ କରିଥିଲେ।
ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ଗୁଜରାଟର ଋଦ୍ଧିମାନ ଶାହା ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲେ। ମୋହ୍‌ସିନ ଖାଁଙ୍କୁ ପ୍ରଥମ ଓଭରରେ ୨ଟି ଚୌକା ମାରିଥିବା ଶାହା ମୋହ୍‌ସିନ୍ ବୋଲିଂ କରିଥିବା ୪ର୍ଥ ଓଭରରୁ ୨ଟି ଲେଖାଏଁ ଛକା ଓ ଚୌକା ମାରିଥିଲେ। ୪ ଓଭରରେ ଗୁଜରାଟ ୫୩ ରନ୍‌ରେ ପହଞ୍ଚିଥିବା ବେଳେ ଶାହା ସେଥିରୁ ୪୬ ରନ୍‌ କରିଥିଲେ। ୨୦ ବଲ୍‌ରୁ ଋଦ୍ଧିମାନ ଅର୍ଦ୍ଧଶତକ ପୂୂରଣ କରିଥିଲେ। ୧୦ ଓଭରରେ ଗୁଜରାଟ ୧୨୧ ରନ୍ କରିଥିବା ବେଳେ ଶାହା ୩୭ ବଲ୍‌ରୁ ୭୪ ରନ୍‌ କରିଥିଲେ। ୧୨ ଓଭରରୁ ଓପ୍‌ନିଂ ଯୋଡ଼ି ୧୪୨ ରନ୍‌ କରିବା ପରେ ଶାହା ୪୩ ବଲ୍‌ରୁ ୪ଟି ଛକା ଓ ୧୦ଟି ଚୌକା ସହ ୮୧ ରନ୍‌କରି ଆଉଟ୍‌ ହୋଇଥିଲେ। ପାୱରପ୍ଲେରେ ଏକାଦଶ ୧୦ ବଲ୍‌ରୁ ୯ ରନ୍‌ କରିଥିବା ଶୁବ୍‌ମାନ ଗିଲ୍‌ ପରେ ପ୍ରହାର ଆରମ୍ଭ କରିଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ସହ ଗିଲ୍‌ ୨୩ ବଲ୍‌ରୁ ୪୨ ରନ୍‌ ଯୋଡ଼ିଥିଲେ। ହାର୍ଦିକ ୧୫ ବଲ୍‌ରୁ ୨ଟି ଛକା ସହ ୨୫ ରନ୍‌କରି ବିଦାୟ ନେଇଥିଲେ। ପରେ ଶୁବ୍‌ମାନ ଗିଲ୍‌ ଓ ଡେଭିଡ୍‌ ମିଲର ଶେଷ ୪ ଓଭରରୁ ୪୩ ରନ୍‌ ଯୋଡ଼ିଥିଲେ। ଶେଷ ୨ ଓଭରରେ ଯଥେଷ୍ଟ ଷ୍ଟ୍ରାଇକ୍ ନ ପାଇବାରୁ ଗିଲ୍‌ ଶତକ ପୂରଣ କରି ପାରିନଥିଲେ। ଶୁବ୍‌ମାନ ଗିଲ୍‌ ୫୧ ବଲ୍‌ରୁ ୭ଟି ଛକା ଓ ୨ଟି ଚୌକା ସହ ୯୪ ରନ୍‌କରି ଅପରାଜିତ ଥିଲେ। ଡେଭିଡ୍‌ ମିଲର ୧୨ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୧ ରନ୍‌କରି ଅପରାଜିତ ଥିଲେ। ଲକ୍ଷ୍ନୌର ୮ ଜଣ ବୋଲିଂ କରିଥ‌ିଲେ ହେଁ ସେମାନେ ମୋଟ ୨ଟି ୱିକେଟ ପାଇଥିଲେ। ଶୁବ୍‌ମାନ ଗିଲ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.