ଅକ୍ଷୟ କୁମାର-ସୋନୁ ସୁଦ୍‍ଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ଦାବି

ମୁମ୍ବଇ: କରୋନା ବିରୋଧୀ ଯୁଦ୍ଧରେ ଅନେକ ବଲିଉଡ଼ କଳାକାର ସାହାଯ୍ୟର ହାତ ବଢାଇଛନ୍ତି। ହେଲେ ଏପରି ୨ ସେଲିବ୍ରିଟି ଅଛନ୍ତି, କରୋନା କାଳରେ ଯେଉଁମାନଙ୍କ ନାଁ ଖୁବ୍‍ ଚର୍ଚ୍ଚା ସାଉଁଟିଛି। ସେ ହେଉଛନ୍ତି ଅକ୍ଷୟ କୁମାର ଓ ସୋନୁ ସୁଦ୍‍। କରୋନା ସମୟରେ ଯେଉଁଭଳି ଭାବେ ଏହି ଦୁଇ କଳାକାର ଲୋକଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଛନ୍ତି, ଏହାକୁ ଭିତ୍ତି କରି ପ୍ରଶଂସକମାନେ ଦୁହିଁଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ଦାବି କରିଛନ୍ତି।

ଟ୍ୱିଟରରେ ଏହି ପ୍ରସଙ୍ଗକୁ ନେଇ ଏବେ ଆଲୋଚନା ଜୋର ଧରିଛି। ଲୋକଙ୍କ କହିବାନୁସାରେ, ଏହି ଦୁଇ କଳାକାର ବାସ୍ତବରେ ଭାରତ ରତ୍ନ ପାଇବାକୁ ଯୋଗ୍ୟ। ଅକ୍ଷୟ କୁମାର ଓ ସୋନୁ ସୁଦ୍‍ଙ୍କୁ ପ୍ରକୃତ ହିରୋ ଆଖ୍ୟା ଦେଇଛନ୍ତି ପ୍ରଶଂସକ।

ସୂଚନାଯୋଗ୍ୟ, ଅକ୍ଷୟ ସର୍ବଦା ଦେଶାବସୀଙ୍କ ସହୟତା ପାଇଁ ଆଗଭର। ସେ ବନ୍ୟା/ବିପତ୍ତି ପ୍ରପୀଡିତଙ୍କୁ ସାହାଯ୍ୟ କରିବା ହେଉ, ଶହୀଦଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ ହେଉ ଅଥବା କରୋନା ଯୁଦ୍ଧ ପାଇଁ ଅର୍ଥ ରାଶି ପ୍ରଦାନ, ସବୁଥିରେ ସେ ଆଗକୁ ବାହାରି ସହାୟତା କରିଛନ୍ତି। ଭାରତର ବୀର ଆପ୍‍କୁ ମଧ୍ୟ ଅକ୍ଷୟଙ୍କ ପ୍ରଚେଷ୍ଟା ଯୋଗୁ ଅନେକ ସହାୟତା ରାଶି ମିଳିଛି। ଭାରତ କି ବୀର ଆପ୍‍ ମାଧ୍ୟମରେ ସୈନିକମାନଙ୍କ ପରିବାରକୁ ସାହାଯ୍ୟ କରାଯାଇଥାଏ।

ସେହିପରି ସୋନୁ ସୁଦ୍‍ କରୋନା ସମୟରେ ଯେଉଁଭଳି ଭାବେ ବିଦେଶରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିଛନ୍ତି, ତାହା ବାସ୍ତବରେ ପ୍ରଶଂସାଯୋଗ୍ୟ। ବସ୍‍ ବ୍ୟବସ୍ଥା କରାଇ ସେ ଲୋକମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାରେ ସାହାଯ୍ୟ କରୁଛନ୍ତି। ମେଡିକାଲ୍‍ କର୍ମଚାରୀଙ୍କ ପାଇଁ ସୋନୁ ତାଙ୍କ ମୁମ୍ବଇର ଜୁହୁ ସ୍ଥିତ ହୋଟେଲର ଦ୍ୱାର ଖୋଲି ଦେଇଛନ୍ତି। ଏହାବ୍ୟତୀତ ପଞ୍ଜାବର ଡାକ୍ତରମାନଙ୍କୁ ୧୫୦୦ ପିପିଇ କିଟ୍‍ ମଧ୍ୟ ପ୍ରଦାନ କରିଛନ୍ତି। ସୋନୁଙ୍କ ଏହି ମହନୀୟ କାର୍ଯ୍ୟକୁ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ରାଜନେତାମାନେ ବି ଭୁରି ଭୁରି ପ୍ରଶଂସା କରିଛନ୍ତି।