ଭାରତ ହେବ ବିଶ୍ୱର ଡ୍ରୋନ୍ ବୈଷୟିକ ଜ୍ଞାନ କେନ୍ଦ୍ର – ମୋଦୀ

ଡେସ୍କ: ଭାରତ ହେବ ବିଶ୍ୱର ଡ୍ରୋନ୍ ବୈଷୟିକ ଜ୍ଞାନ କେନ୍ଦ୍ର ହେବାକୁ ଯାଉଛି ଏବଂ ଏ ଦିଗରେ ଦ୍ରୁତବେଗରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଦେଶର ସର୍ବବୃହତ ଡ୍ରୋନ୍ ଉତ୍ସବ ‘ଭାରତ ଡ୍ରୋନ୍ ମହୋତ୍ସବ-୨୦୨୨’କୁ ଉଦଘାଟନ କରି ଶ୍ରୀ ମୋଦୀ କହିଛନ୍ତି ଯେ ଡ୍ରୋନ୍ କ୍ଷେତ୍ରରେ ଏକ ବିଶ୍ୱ ସ୍ଥରୀୟ ମୁଖ୍ୟ କେନ୍ଦ୍ରରେ ପରିଣତ ହେବାକୁ ଭାରତର ଯଥେଷ୍ଟ ଶକ୍ତି ରହିଛି। ଡ୍ରୋନ୍ ଶିଳ୍ପ କ୍ଷେତ୍ରରେ ଘଟିଥିବା ଅଗ୍ରଗତିରୁ ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ଥିବା ବିଷୟ ପ୍ରମାଣିତ ହୋଇଥିବାର ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଡ୍ରୋନ୍ କ୍ଷେତ୍ର ପ୍ରତି ଲୋକମାନଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ରହିଛି। ସେ କହିଛନ୍ତି, ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ସରକାର ବ୍ୟବସାୟକୁ ସହଜ କରିବା ଲାଗି ପଦକ୍ଷେପ ନେଉଛନ୍ତି। ଏଥିପାଇଁ ସରକାର ‘ସର୍ବନିମ୍ନ ସରକାର ଓ ସର୍ବାଧିକ ଶାସନ’ ପଥରେ ଅଗ୍ରସର ହେଉଛନ୍ତି। ସେ କହିଛନ୍ତି, ଆଜି ବୈଷୟିକ ଜ୍ଞାନ ସମାଜର ତଳସ୍ତରର ଲୋକମାନଙ୍କ ପାଖରେ ସୁବିଧା ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଏହା ଯୋଗୁଁ ଦେଶର କୋଣ ଅନୁକୋଣରେ ସହାୟତା ପହଞ୍ଚି ପାରୁଛି।

Comments are closed.