ଭାରତ ବାୟୋଟେକ ସହ ୩୨୪ ନିୟୁତ ଡଲାରର ବୁଝାମଣା ବାତିଲ କଲା ବ୍ରାଜିଲ

ନୂଆଦିଲ୍ଲୀ: ଭାରତ ବାୟୋଟେକ ପ୍ରସ୍ତୁତ କରୋନା ଟିକା ‘କୋଭାକ୍ସିନ’ କ୍ରୟ ନିମନ୍ତେ ବ୍ରାଜିଲ କରିଥିବା ବୁଝାମଣାକୁ ବାତିଲ କରିଦେଇଛି। ଭାରତ ବାୟୋଟେକ ଠାରୁ ବ୍ରାଜିଲ ୩୨୪ ନିୟୁତ ଡଲାର ମୂଲ୍ୟରେ ୨୦ ନିୟୁତ ପାନ (ଡୋଜ୍) ଟିକା କ୍ରୟ କରିବା ଲାଗି ବୁଝାମଣା କରିଥିବା ବେଳେ ଏହାକୁ ଏବେ ବାତିଲ କରିଦେଇଛି। ନିଜ ଦେଶର ନିୟନ୍ତ୍ରକ ଜେନେରାଲଙ୍କ ସୁପାରିସ ଆଧାରରେ ବୁଝାମଣା ବାତିଲ କରାଯାଇଛି।

ଏହା ପୂର୍ବରୁ ଦେଶର ସ୍ବାସ୍ଥ୍ୟ ନିୟନ୍ତ୍ରକ କୋଭାକ୍ସିନ ଟିକାକୁ ଜରୁରୀ ବ୍ୟବହାର ଅନୁମତି ଦେବାକୁ ମନା କରିଥିଲା। ସ୍ବାସ୍ଥ୍ୟ ନିୟନ୍ତ୍ରକ କହିଥିବା ଟିକା ସମ୍ପର୍କରେ ଦିଆଯାଇଥିବା ତଥ୍ୟ ସମ୍ପୂର୍ଣ୍ଣ। ବ୍ରାଜିଲ ସ୍ବାସ୍ଥ୍ୟ ମନ୍ତ୍ରୀ ମାର୍ସେଲେ କ୍ୟୁରୋଗା କହିଛନ୍ତି ଯେ ବୁଝାମଣାରେ ଅନିୟମିତତା କିମ୍ବା ଦୁର୍ନୀତି ଯୋଗୁଁ ଏହାକୁ ବାତିଲ କରାଯାଇ ନାହିଁ; ବରଂ ସରକାର ବାଧ୍ୟତାମୂଳକ ଭାବେ ଏହାକୁ ବାତିଲ କରିଛନ୍ତି। ଭାରତ ବାୟୋଟେକ ସହିତ ବ୍ରାଜିଲ ସରକାରଙ୍କ ଏହି ଟିକା କ୍ରୟ ବୁଝାମଣାକୁ ନେଇ ଦୁର୍ନୀତିର ଅଭିଯୋଗ ଉଠିଥିଲା। କାରଣ ଆମେରିକାର ଫାଇଜର କମ୍ପାନୀ କମ୍ ଦରରେ ଟିକା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିବାବେଳେ ଏହାକୁ ଉପେକ୍ଷା କରି ଭାରତ ବାୟୋଟେକ ଠାରୁ ଅଧିକ ଦରରେ ଟିକା କିଣିବାକୁ ଜାଏର ବୋଲସୋନାରୋଙ୍କ ନେତୃତ୍ବ ବ୍ରାଜିଲ ସରକାର ଚୁକ୍ତି କରିଥିଲେ।

Comments are closed.