ଟିକା ଦର ବଢ଼ାଇବାକୁ କହିଲା ଭାରତ ବାୟୋଟେକ୍‌

ହାଇଦରାବାଦ: ଭାରତ ବାୟୋଟେକ ଏହାର ଟିକା ‘କୋଭାକ୍ସିନ’ର ଦର ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି। ମଙ୍ଗଳବାର କମ୍ପାନୀ କହିଛି ଯେ ୧୫୦ ଟଙ୍କାରେ ଗୋଟିଏ ପାନ (ଡୋଜ୍) ଟିକା ବେଶି ଦିନ ପାଇଁ ଯୋଗାଇବା ସମ୍ଭବ ନୁହେଁ। ତେଣୁ ଟିକାର ତିଆରି ଖର୍ଚ୍ଚ ଭରଣା କରିବା ଲାଗି ଘରୋଇ ବଜାରରେ ଏହାକୁ ଅଧିକ ଦରରେ ବିକ୍ରି କରାଯିବା ଦରକାର। ସରକାରଙ୍କୁ ଯେଉଁ ଦରରେ ଟିକା ଯୋଗାଯାଉଛି ତାହା ଅଣ ପ୍ରତିଯୋଗିତାମୂଳକ ଦର।

ଏହି ଦରରେ ବେଶି ଦିନ ଟିକା ଯୋଗାଇବା ସମ୍ଭବ ନୁହେଁ। ନୂଆ ଉତ୍ପାଦ ଉପରେ ବଜାର ଅନୁଧ୍ୟାନ, ବିଜ୍ଞାପନ, ଚାହିଦା ବଢ଼ାଇବା ଉଦ୍ଦେଶ୍ୟରେ ସାମୟିକ ସମୟ ପାଇଁ କମ୍ ଦରରେ କମ୍ପାନୀ ଏହାର ଉତ୍ପାଦ ବିକ୍ରି କରିଥାଏ। ଏଥିରେ କମ୍ପାନୀ ଲାଭକୁ ଦୃଷ୍ଟି ଦେଇ ନଥାଏ। ତେବେ ଏପରି ଦରରେ ସବୁଦିନ ବ୍ୟବସାୟ କରିବା ସମ୍ଭବ ନୁହେଁ। ବର୍ତ୍ତମାନ ସମୟରେ ଟିକାର ଚାହିଦା ବୃଦ୍ଧି ପାଇଥିବାରୁ ଏହାକୁ ଅଧିକ ଦରରେ ବିକ୍ରି କରିବା ଲାଗି କମ୍ପାନୀ ବଜାର ଅନ୍ବେଷଣରେ ରହିଛି। ବିଶେଷକରି ଘରୋଇ ଡାକ୍ତରଖାନାକୁ ଟିକା ଅଧିକ ଦରରେ ବିକ୍ରି କରିବାକୁ କମ୍ପାନୀ ଆଗ୍ରହୀ।

Comments are closed.