୨୬ରେ ଭାରତ ବନ୍ଦ, ରାସ୍ତାରେ ଗଡ଼ିବନି ଗୋଟିଏ ବି ଗାଡ଼ି

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଧାରଣାରତ ଚାଷୀମାନେ ଆନ୍ଦୋଳନକୁ ତୀବ୍ର କରିବା ଲାଗି ନୂଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ମିଳିତ କୃଷକ ମଞ୍ଚ ପକ୍ଷରୁ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏଥର ବନ୍ଦ ଦିନ ସାରା ପାଳନ କରାଯିବ। କୌଣସି ଗୋଟିଏ ବି ବାହନ ଯେପରି ରାସ୍ତାକୁ ନ ଆସିବ ସେଥିପାଇଁ ଯୋଜନା ହୋଇଛି। ଅନ୍ୟପଟେ ଆନ୍ଦୋଳନରେ ଯୁବପିଢ଼ିଙ୍କୁ ପୁଣି ଥରେ ଜୋଡ଼ିବାକୁ ଉଦ୍ୟମ କରାଯିବ ବୋଲି ବୁଧବାର ମିଳିତ କୃଷକ ମଞ୍ଚ ପକ୍ଷରୁ ଆୟୋଜିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।

କୃଷକ ନେତା ବୁଟା ସିଂହ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏଥର ଭାରତ ବନ୍ଦ ସମୟରେ କୃଷକମାନଙ୍କ ଟ୍ରାକ୍ଟର ବି ଚାଲିବ ନାହିଁ। ସରକାର ଏବଂ ସରକାରଙ୍କ ସହିତ ସମ୍ପୃକ୍ତ ଲୋକମାନେ ବାରମ୍ବାର ପ୍ରଚାର କରୁଛନ୍ତି ଯେ କୃଷକ ଆନ୍ଦୋଳନ କମ୍‌ଜୋର ପଡ଼ିଗଲାଣି ଏବଂ ବର୍ତ୍ତମାନ କୃଷକମାନେ ଆନ୍ଦୋଳନକୁ ଆସୁନାହାନ୍ତି। ଏଭଳି ଲୋକଙ୍କୁ ଜବାବ ଦେବା ଲାଗି କୃଷକ ଆନ୍ଦୋଳନ ଏବେ ବି ଜୀବିତ ରହିଛି। ସେଥିପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି।

ସେ କହିଛନ୍ତି ଯେ, ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ। ଚଳିତଥର ରାସ୍ତାରେ ଗୋଟିଏ ବି ବାହନ ଚଳାଚଳ କରିବ ନାହିଁ। ଏପରି କି କୃଷକମାନଙ୍କ ଟ୍ରାକ୍ଟର ବି ଚାଲିବ ନାହିଁ।

Comments are closed.