ଅନ୍ଧାରୀ ମୂଲକରେ ପାହାଡି ଗାଁ ପଳାସପଲ୍ଲୀ; ବାହାର ରାଜ୍ୟରୁ ଅର୍ଥ ଆସିଲେ ପରିବାର ଚଳେ, ଗୁହାଳରେ ବିତୁଛି ଜୀବନ

ଭଞ୍ଜନଗର : ପାହାଡ କରୋଡର ଗାଁ ପଳାସପଲ୍ଲି। ଭଞ୍ଜନଗର ଠାରୁ ପ୍ରାୟ ୨୫ କି.ମି ଦୂର ସୋରଡା ରାସ୍ତାରେ ଗଲେ ଏହି ଗାଁଟି ମୁଖ୍ୟ ରାସ୍ତା ଠାରୁ ପ୍ରାୟ ୩ କି.ମି ଦୂରରେ ପଡେ। ଗାଙ୍ଗପୁର ଥାନା ଅନ୍ତର୍ଗତ ପଳାସପଲ୍ଲୀରେ ଘର ସଂଖ୍ୟା ୩୦୦। ଅଧିକାଂଶ ପରିବାର ଚାଷ ଉପରେ ନିର୍ଭରଶୀଳ। ବାରମ୍ବାର ପ୍ରତିକୂଳ ପାଣିପାଗର ସମ୍ମୁଖୀନ ହୋଇ ବହୁ ପରିବାରରେ ଚାଷ ରେ କ୍ଷତି ସହୁଛନ୍ତି। ବାରମ୍ବାର କ୍ଷତି ଯୋଗୁ ଚାଷ କାର୍ଯ୍ୟ କରି କୁଟୁମ୍ବ ପୋଷିବା ଆଜିର ଯୁବ ସମାଜ ପକ୍ଷେ ଅସମ୍ଭବ ମନେ କରି ଗ୍ରାମରୁ ପ୍ରାୟ ୪୫୦ ଜଣ ଯୁବକ ଓ ବ୍ୟକ୍ତିବିଶେଷ ଭିଟାମାଟି ଛାଡିବାକୁ ବାଧ୍ୟ ହୋଇଛନ୍ତି। ସେଥିମଧ୍ୟରୁ ପ୍ରାୟ ୩୦୦ ଜଣ ସୁରତର ବିଭିନ୍ନ ସୁତାକଳରେ କାମ କରୁଥିବା ବେଳେ ବାକିତକ କେରଳ, ତାମୁଲିନାଡୁ, ବେଙ୍ଗାଲୁର, ଆନ୍ଧ୍ରପ୍ରଦେଶ ଓ ଜାମୁକାଶ୍ମୀରରେ ଶ୍ରମିକ ଭାବେ କାମ କରୁଥିବା ଗ୍ରାମାବାସୀଙ୍କ ଠାରୁ ଜଣାପଡିଛି। ବାହାର ରାଜ୍ୟରୁ ପଇସା ଆସିଲେ ଅଧିକାଂଶ ପରିବାରଙ୍କ ଘର ଚଳେ। ଏଭଳି ସ୍ଥିତିରେ ଗ୍ରାମକୁ ଭଳ ରାସ୍ତା ଖଣ୍ଡେ ନାହିଁ। ପରାଧିନ ଭାରତ ବର୍ଷର ଅନ୍ଧାରୀ ମୂଲକ ଶାସନ ପରି ପୁରୁଷ ପୁରୁଷ ଧରି ମାଟି କାଦୁଅ ଓ ଖାଲଖମାର ରାସ୍ତାଟି ଗାଁକୁ ଲମ୍ବିଛି । ବର୍ଷା ଦିନେ ଗାଁକୁ ଆମ୍ବୁଲାନ୍ସ ଯାଇପା​ରେନି। ଗର୍ଭବତୀ ମହିଳା କିମ୍ବା ଜରୁରୀକାଳୀନ ରୋଗୀଙ୍କୁ ଦୋଳା କରି ବୁହା ହୁଏ ବୋଲି ଗ୍ରାମର ପ୍ରଫୁଲଚନ୍ଦ୍ର ବିଷୋୟୀ, ଗଣେଶ ବିଷୋୟୀ, କୁମୁଦଚନ୍ଦ୍ର ସ୍ୱାଇଁ, ଦୁଃଖୀରାମ ସାହୁ, ସନ୍ତୋଷ ବିଷେୟୀ, ଦାମୋଦର ଛଟେଇ ଓ ପାଣ୍ଡବ ଗୌଡ ପ୍ରକାଶ କରିଛନ୍ତି।
ଗ୍ରାମକୁ ସଂଯୋଗ କରିବା ପାଇଁ କୁଲାଙ୍ଗି-ପଳାସପଲ୍ଲୀ, ପଳାସପଲ୍ଲି-ଗୁଡିପଲ୍ଲୀ, ପଳାସପଲ୍ଲୀ-କାଳିଆଗୁଡା, ବୁଢାକେନ୍ଦୁ ଓ ଘଣ୍ଟାରପଲ୍ଲି ଏପରି ପାଞ୍ଚ ପାଞ୍ଚଟି ରାସ୍ତା ସଂଯୋଗ ହୋଇଥିଲେ ହେଁ ସବୁ ରାସ୍ତା ଏକ ପ୍ରକାର। ସମସ୍ତ ମାଟି ରାସ୍ତାର ଚିତ୍ର କୌଣସି କଦର୍ଯ୍ୟ ଜଙ୍ଗଲୀ ରାସ୍ତାଠାରୁ କୌଣସି ଗୁଣରେ କମ୍‍ ନୁହେଁ। ଗତ ୪ ଦିନ ତଳେ ଏହି ଗ୍ରାମକୁ ଏକ ଚଳଚ୍ଚିତ୍ର ଉଦ୍‍ଘାଟନ କରିବାକୁ ଆସିଥିବା ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ “ଏହା ମୋର ଦୁଭାର୍ଗ୍ୟ” ବେଲି ବର୍ଣ୍ଣନା କରିଥିଲେ। ଶହ ବର୍ଷ ଧରି ଗ୍ରାମରେ ଜଳ ସଙ୍କଟ ଲାଗି ରହିଛି।। ଗ୍ରାମର ଚତୁଃପାର୍ଶ୍ବ ପାହାଡିଆ ଓ ଚାଞ୍ଚରା ହୋଇ ରହିଥିବାରୁ ସହଜରେ ପାଣି ଟୋପେ ମିଳେ ନାହିଁ। କୂଅ ଗୁଡିକ ଖରାଦିନେ ସଂପୂର୍ଣ୍ଣ ଶୁଖି ଯାଉଛି। ଅଧିକାଂଶ ସମୟ ଗ୍ରମାବାସୀ ନିକଟରେ ପ୍ରବାହିତ ହେଉଥିବା ଏକ ନାଳରୁ ଖୋଲା ପାଣି ଆଣି ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି।। ସରକାର ଗାଁରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିବା ଦୁଇ ଦୁଇଥର ପରୀକ୍ଷା ନୀରିକ୍ଷା କରି ନିରାଶ ହେବା ପରେ ଗାଁର ଏକ ଉଦୀୟମାନ୍‍ ଯୁବକ କାହ୍ନୁଚରଣ ବିଷୋୟୀ ନିଜସ୍ୱ ଜ୍ଞାନ କୌଶଳରେ ପାଣି ପ୍ରକଳ୍ପଟି ନିର୍ମାଣ କରି ଗ୍ରାମବାସୀଙ୍କୁ ଜଳ ଯୋଗାଇ ଆସୁଛନ୍ତି। ଗ୍ରାମର ସନ୍ୟାସୀ ବିଷୋୟୀ ଓ ଗନ୍ଧର୍ବ ବିଷୋୟୀ ବିକଳାଙ୍ଗ। ଉଭୟଙ୍କ ବୟସ ୫୦ରୁ ୫୫ରେ ପହଁଚିଥିଲେ ହେଁ ଏମାନେ ଭତ୍ତା ପାଇବାରୁ ବଞ୍ଚିତ । ସେହିପରି ମହନ୍ତ ମାଝିଙ୍କ ବୟସ ୭୫ ଓ ଭଜରାମ ଗୌଡଙ୍କ ବୟସ ୭୮ ହୋଇଥିଲେ ହେଁ ଏମାନେ ମଧ୍ୟ ଭତ୍ତା ପାଉ ନାହଁାନ୍ତି। ଏହି ୪ ଜଣ ଗରୀବ ଶ୍ରେଣୀର ଓ ଏମାନଙ୍କ ସଂପତ୍ତି କିଛି ନାହିଁ। ଗ୍ରାମର ଏପରି ଅନେକ ବୃଦ୍ଧ, ବୃଦ୍ଧା ଓ ଅସହାୟ ବ୍ୟକ୍ତି ଭତ୍ତାରୁ ବଞ୍ଚିତ ରହିଛନ୍ତି।
କେବଳ ଏତିକିରେ ଗ୍ରାମର ଦୁଃଖ ସରିନି। ଗ୍ରାମର ୫୫ ବର୍ଷର ବିଧବା ମହିଳା ପ୍ରେମଲତା ସ୍ୱାଇଁଙ୍କ ନିଜର ଘର ନାହିଁ। ଫଳରେ ସେ ତାଙ୍କ ବଂଶର ଏକ ପରିତ୍ୟକ୍ତ ଗୁହାଳ ଘରେ ବାସ କରୁଛନ୍ତି। ତାଙ୍କର ଏକମାତ୍ର ସମ୍ବଳ ସରକାରଙ୍କ ତରଫରୁ ମିଳୁଥିବା ମାସିକ ୫୦୦ ଟଙ୍କାର ଭତ୍ତା ଓ ୫ କି.ଗ୍ରା ଚାଉଳ ବୋଲି ନିଜେ ପ୍ରେମଲତା ପ୍ରକାଶ କରିଥିଲେ। ପ୍ରେମଲତା ବାସ କରୁଥିବା ଘରଟି ବଂଶୀୟ କୋଠ ଘର ହୋଇଥିବାରୁ କୌଣସି ମୂହୁର୍ତ୍ତରେ ପାରବାରିକ ବିବାଦ ଉପୁଜିଲେ, ତାଙ୍କୁ ଘରୁ ଉଠାଇ ଦେଇ ପାରନ୍ତି ବୋଲି ତାଙ୍କର ଭାଇ ପ୍ରଫୁଲ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି।
ଗାଁର ପିଲାମାନେ ପ୍ରାଥମିକ ବିଦ୍ୟାଳୟ ପାଠ ପଢା ସରିବା ପରେ କାଦ ପଙ୍କୁଅ ରାସ୍ତାରେ କୁଲାଙ୍ଗି କିମ୍ବା ଅନ୍ୟ କୌଣସି ବିଦ୍ୟାଳୟକୁ ଯବା ଆସିବା ଅସମ୍ଭବ ହୋଇ ପଡିବାରୁ ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ୬ଷ୍ଠ ଓ ୭ ମ ଖୋଲା ଯାଇଥିଲା। ଇତିମଧ୍ୟରେ ୨୨ ବର୍ଷରୁ ବିତି ଯାଇଥିଲେ ହେଁ ସରକାର ଉକ୍ତ ବିଦ୍ୟାଳୟକୁ ସ୍ୱୀକୃତି ଦେଇ ନାହଁାନ୍ତି। ପିଲାମାନଙ୍କ ପାଠ ପଡାରେ ସୁବିଧା ହେଲା,କିନ୍ତୁ ଶିକ୍ଷକ ସରକାରୀ ଦରମା ପାଇବାରେ ବଞ୍ଚିତ ହେଲେ। ଦୀର୍ଘ ବର୍ଷ ବିତି ଯାଇଥିଲେ ସଦ୍ଧା ବିଦ୍ୟାଳୟର ଶିକ୍ଷାଦାନ ପାଇଁ ନିଯୋଜିତ ୨ ଜଣ ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ମିଳି ପାରିଲା ନାହିଁ। ଫଳରେ ଗ୍ରାମବାସୀ ଚାନ୍ଦା କରି ଉଭୟ ଶିକ୍ଷକଙ୍କୁ କିଛି ପାଉଣା ଦେଉଛନ୍ତି।

Comments
Loading...