ଘୁମୁସର ବୀରତ୍ୱର ପରିଚୟ ବଡ଼କୋଦଣ୍ଡା ପଶୁମୁଖା ନୃତ୍ୟ

କରୋନା ମାଡ଼ରେ ନିରବିଛି ବାଘ ଓ ସିଂହ ଗର୍ଜନ

ଭଞ୍ଜନଗର : ଐତିହ୍ୟ-ସଂସ୍କୃତି ଓ ପରମ୍ପରାର ଗାଁ ଘୁମୁସରର ବଡକୋଦଣ୍ଡା । ଭଞ୍ଜନଗର ବ୍ଳକର ବୃହତ୍ତମ ଏହି ଗାଁର ପଶୁମୁଖା ନୃତ୍ୟ ସମଗ୍ର ଭାରତ ବର୍ଷରେ ଅନନ୍ୟ । ଏହାସହ ଗାଁର କଣ୍ଢେଇ ଅପେରା ଭଳି କଳା ଦେଶର ଅନ୍ୟ କେଉଁଠି ଦେଖିବାକୁ ମିଳେନି। ପଶୁ ବେଶରେ ମଣିଷ ସଜ୍ଜିତ ହୋଇ ନୃତ୍ୟ କରିବା ହେଉଛି ପଶୁମୁଖା ନୃତ୍ୟର ମୂଳ ଦୃଷ୍ଟାନ୍ତ। ବାଘ ଓ ସିଂହ ପରି କୁଦା ମାରି ଜର୍ଗନ କରିବା , ହରିଣ ଓ ଘୋଡା ପରି ଡେଇଁ ଡେଇଁ ନୃତ୍ୟ କରିବା ସହ ରାଜା-ରାଣୀ, ଶିବ -ପାର୍ବତୀ, କେଳା-କେଳୁଣୀ, ଲକ୍ଷ୍ମୀ- ସରସ୍ୱତୀ ଓ କାଳୀ ପ୍ରଭୃତି ଦେବାଦେବୀଙ୍କ ବେଶ​ରେ ନୃତ୍ୟ ଏହି ଲୋକ ସଂସ୍କୃତିର ମହାନତାକୁ ବହନ କରେ। ଏଥିସହିତ ରାଜହଂସ, ମୟୂର, ବଗ ଓ ଘର ଚଟିଆ ଭଳି ପକ୍ଷୀଙ୍କ ବେଶ ଧାରଣ ମଧ୍ୟ ଅଧିକ ଆକର୍ଷଣୀୟ। କିନ୍ତୁ କରୋନା କାଳରେ ଏହି କଳା ଆଜି ସମ୍ପୂର୍ଣ୍ଣ ସୁପ୍ତ ହୋଇଯାଇଛି। ରୋଜଗାର ହରାଇ କଳାକାର ସୁପ୍ତ ହୋିପଡିଥିବା ବେଳେ ନିରବିଛି ବାଘ ଓ ସିଂହର ଗର୍ଜନ ।
କେଉଁ ଆବାହମାନ କାଳରୁ ଏହି ଗ୍ରାମରେ ପଶୁମୁଖା ନୃତ୍ୟର ଉତ୍ପତ୍ତି ଘଟିଥିଲା। ପାରମ୍ପରିକ ସୁତ୍ରରେ ବାନ୍ଧି ହୋଇଥିବା ଗ୍ରାମର ବିଭିନ୍ନ ଯାନିଯାତ୍ରାକୁ ଅଧିକ ରୁଚିକର କରିବା ପାଇଁ ଗ୍ରାମର ବିଭିନ୍ନ ଗୋଷ୍ଠୀ ତରଫରୁ ଏହିସବୁ ପଶୁମୁଖାଙ୍କ ନୃତ୍ୟ ଆବଶ୍ୟକତା ପଡିଥିଲା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗାଁ ଗାଁରେ ହଇଜା ଓ ବସନ୍ତ ପରି ମହାମାରୀ କାଳ​ରେ ଗାଁରେ ଖାଲି କୁଢ କୁଢ ମଣିଷ ଶବପଡି ରହିଥିଲା। ଠାକୁରାଣୀ କୋପ କରିଛନ୍ତି ଓ ଟୋକାଇ ଧରି ଗାଁ ଦାଣ୍ଡରେ ମଣିଷ ଗୋଟାଇ ନେଉଥିବା ସେହି ସମୟରେ ଗାଁ ଲୋକଙ୍କ ମନରେ ବିଶ୍ୱାସ ଜନ୍ମିଥିଲା। ଏପରି ଭୟଙ୍କର ବାତାବରଣ ମଧ୍ୟରେ ଗାଁ ଦାଣ୍ଡରେ ଉଡୁଥିଲେ ଚିଲ ଓ ଶାର୍ଗୁଣା। ଗାଁ ଗାଁ ଜନଶୂନ୍ୟ ହୋଇ ପଡୁଥିଲା। ସେହି ସମୟରୁ ଗାଁ ଠାକୁରାଣୀଙ୍କୁ ଶାନ୍ତ କରିବା ନିମନ୍ତେ ପଣାପାଣି ଓ ଗଜାମୁଆଁ ସହ ଆବଶ୍ୟକ ପଡିଥିଲା ଢୋଲବାଦ୍ୟ ଓ ମହୁରୀରର ତାଳେ ତାଳେ ପଶୁମୁଖା ନୃତ୍ୟ। ସେହିଦିନଠାରୁ ଏହି ନୃତ୍ୟ ଗାଁରେ ଆରମ୍ଭ ହୋଇଥିଲା। ଢୋଲ ଓ ଚାଙ୍ଗୁ ବାଦ୍ୟର ତାଳେ ତାଳେ ବାଘ, ସିଂହ ଓ ହାତୀର ଗର୍ଜନ ଏବଂ ଠେଙ୍ଗା, ଖଣ୍ଡା, ଓ ଶଗଡ ଚକା ଧରି କଳାକାର କଳାନୌପୁଣ୍ୟ ପ୍ରଦର୍ଶନ କରିବା ଓଡିଆଙ୍କ ବୀରତ୍ୱ ଓ ସାହାସିକତାର ପ୍ରମାଣ ଦେଇଥିଲା। ବାଦ୍ୟ ଶବ୍ଦ ସହ ବାଘର ଗର୍ଜନତର୍ଜନରେ ଗାଁ ଦାଣ୍ଡରୁ କଳୁଷିତ ବାତାବରଣ ଧୋଇ ହୋଇ ସକ୍ରିୟାତ୍ମକ ପରିବଶେ ସୃଷ୍ଟି କରିଥିଲା।
ଓଡିଆର ବୀରତ୍ୱ ଓ ସାହସିକତାର ନିଦର୍ଶନ ସ୍ୱରୂପ ପଶୁମୁଖା ନୃତ୍ୟ ସହ ପାଇକ ଆଖଡାର ଜନ୍ମ ନେଇଥିଲା। ରାଜାରାଜୁଡା ଶାସନ ସମୟରେ ବିଭିନ୍ନ ଯାତ୍ରାରେ ଏହିସବୁ ପଶୁମୁଖା ନୃତ୍ୟ ପରିବେଶଣ ହୋଇ ଆସୁଥିଲା। ଯାହା ଆଜି ବି ବଜାୟ ରହିଛି। ଦୁଇ ହଜାରରୁ ଅଧିକ ପରିବାର ବିଶିଷ୍ଟ ବଡକୋଦଣ୍ଡା ଗ୍ରାମରେ ୧୭ ଟି ପଶୁମୁଖା ନୃତ୍ୟ ଦଳ ଗଢି ଉଠିଥିଲା ବୋଲି ଏହି ଗ୍ରାମର ନୃସିହଂନାଥ, ପଶୁମୁଖା ନୃତ୍ୟର ବାଘ ବେଶଧାରୀ ପଞ୍ଚାନନ ସ୍ୱାଇଁ ପ୍ରକାଶ କରିଛନ୍ତି। ଏବେ ମାତ୍ର ୬ଟି ଦଳ ରହିଛି। ଘମୁସର ମାଟିରେ ଏପରି ୪୦ରୁ ଅଧିକ ପଶୁମୁଖା ନୃତ୍ୟ ଦଳ ରହିଥିଲା। ଏବେ ଭଂଜନଗର-ଭେଜିପୁଟର ନାରାୟଣ ମହାରଣା ଏବଂ ଖାଲାସିସାହିର ଶାନ୍ତୁନ ଦାସଙ୍କ ପଶୁମୁଖା ନୃତ୍ୟଦଳକୁ ଛାଡି ଦେଲେ ଆଉ ଅନ୍ୟ କୌଣସି ଗ୍ରାମରେ ଏହି କଳା ଓ ସଂସ୍କତି ଆଉ ଦେଖିବାକୁ ମିଳେନି। ପଞ୍ଚାନନ ସ୍ୱାଇଁଙ୍କ ଦଳ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନୃତ୍ୟ ବରିବେଶଣ କରି ପ୍ରତିବର୍ଷ ବେଶ୍‍ ‘ଦି’ ପଇସା ରୋଜଗାର କରୁଥିଲେ। କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁ ଗ୍ରାମର ସବୁ ନୃତ୍ୟ ଦଳ କଳାକାରଙ୍କ ରୋଜଗାର ଶୂନ ହୋଇଯାଇଛି। ପେଟପାଟଣା ଚିନ୍ତା ଘାରିଛି ବୋଲି ବାଘ ବେଶଧାରୀ ଚରଣ ସ୍ୱାଇଁ ପ୍ରକାଶ କରିଛନ୍ତି। ସରକାରଙ୍କ ତରଫରୁ ଗ୍ରାମର ମୋଟ ୪୦ ଜଣ କଳାକାର ମାସିକ ୧୨ ଶହ ଟଙ୍କା ଲେଖାଏଁ ଭତ୍ତା ପାଉଛନ୍ତି। ବୁଦ୍ଧିଆ ଗୌଡଙ୍କ ଗୌରୀ ପଶୁମୁଖା ନୃତ୍ୟ, ଅଭିମନ୍ୟୁ ଗୌଡଙ୍କ ଶିବଶକ୍ତି, ଶାନ୍ତୁନୁ ଦାସ ଓ ବାଞ୍ଝା ଜେନାଙ୍କ ବିଶ୍ୱ ଜନନୀ ଓ ଶ୍ରୀ ଗୋପୀନାଥ ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଟ୍ରଷ୍ଟ୍ରି ଦ୍ୱାରା ପରିଚାଳିତ ପଶୁମୁଖା ନୃତ୍ୟଦଳ ରହିଛି।

ଭଂଜନଗର-ଭେଜିପୁଟର ପଶୁମୁଖା ଲୋକନୃତ୍ୟ ଦଳ ଭାରତ ସମେତ ଋଷ, ଜାପାନରେ ନୃତ୍ୟ ପରିବେଶଣ କରି ଘୁମୁସରର ଏହି ମହାନ ଲୋକକଳାର ପରିଚୟ ପ୍ରତିପାଦନ କରିଛନ୍ତି। ତେନ୍ତୁଳି ମଞ୍ଜି ଓ କାଗଜ ଅଠାରେ ଗ୍ରାମ କାରିଗରଙ୍କ ଦ୍ୱାରା ବିଭିନ୍ନ ପଶୁ-ପକ୍ଷୀ, ରାଜା-ରାଣୀ ଓ ଅନ୍ୟାନ୍ୟ ମୁଖା ପ୍ରସ୍ତୁତ କରାଯାଏ। ଏହି ଗ୍ରାମର ହାଡିବନ୍ଧୁ ବିଶୋୟୀ, ଅଜୟ କୁମାର ବିଶୋୟୀ, ଚୈତନ୍ୟ ବେହେରା ଓ ଶୁଶି ପାଢିଙ୍କ କଣ୍ଢେଇଙ୍କ ଅପେରା ସମଗ୍ର ଭାରତ ବର୍ଷରେ ବେଶ୍‍ କଳା-ସଂସ୍କୃତିର ପରିଚୟ ପ୍ରଦାନ କରିଛି। ବଡକୋଦଣ୍ଡା କଣ୍ଢେଇ ଅପେରା ପରେ ବେଲଗୁଣ୍ଠାରେ ସିନେମା ଆରମ୍ଭ ହୋଇଥିଲା ବୋଲି ଅନ୍ୟତମ କଳାକାର ବିଶ୍ବନାଥ ବେହେରା ପ୍ରକାଶ କରିଛନ୍ତି। ଗ୍ରାମର ଉମାକାନ୍ତ ମିଶ୍ର ଓ ଭାସ୍କର ପଣ୍ଡା କଣ୍ଢେଇ କଳାରେ ସିଦ୍ଧହସ୍ତ। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମାରେ ବଡକୋଦଣ୍ଡା ଗାଁ ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଶ୍ରୀ ଜଗନ୍ନାଥ ଓ ଶ୍ରୀ ଗୋପୀନାଥ ମନ୍ଦିର ସମ୍ମୁଖରେ ପଶୁମୁଖା ଧାରୀ କଳାକାର ଡେରା ପକାଇଥାନ୍ତି। ଏହା ଡେରା ବେଶ ଯାତ୍ରା ନାମରେ ପ୍ରସିଦ୍ଧ।

Comments
Loading...