ଛେଳି ଚୋରକୁ କାବୁ କରି ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ 

ଭଂଜନଗର : ଛେଳି ଚୋରକୁ କାବୁ କରି ଗ୍ରାମବାସୀ ନିସ୍ତୁକ ମାଡ ମାରି ଗାଁ ଦାଣ୍ଡର ଏକ ଖୁଣ୍ଟରେ ବାନ୍ଧି ପୁଲିସର ଜିମା ଦେବା ଘଟଣା ତାରସିଂ ଥାନା ଅଞ୍ଚଳରେ ବେଶ୍‍ ଚହଳ ସୃଷ୍ଟି କରିଛି। ଶନିବାର ରାତି ପ୍ରାୟ ଗୋଟାଏ ସମୟରେ ଏହି ଥାନା ଅନ୍ତର୍ଗତ ବାଲିସିରା ଗାମରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଛେଳି ଚୋରି କରିବାକୁ ଆସିଥିବା କୁଲାଡ ଗ୍ରାମର ରଂଜନ ମହାରାଣାକୁ ପୁଲିସ୍‍ ଗିରଫ କରି କୋର୍ଟ ଚାଲଣ କରିବା ସହ ତାର ଟିଭିଏସ୍‍ ଏକ୍ସଲକୁ ଜବତ କରିଛି।

ସୂଚନା ଯୋଗ୍ୟ ଯେ, ବାଲିସିରା ଗ୍ରାମର ଅନ୍ତରା ଗୌଡର ଛେଳି ଗୁହାଳରୁ ଛେଳି ଚୋରୀ କରିବା ନିମନ୍ତେ କୁଲାଡ ଗ୍ରାମର ରଂଜନ ମହାରଣା ଏକ ଟିଭିଏସ୍‍ ଏକ୍ସଲ ଗାଡିରେ ଆସି ପହଁଚିଥିଲା। ଅର୍ଦ୍ଧରାତ୍ରର ନିସ୍ତବ୍ଧ ରଜନୀରେ ଗ୍ରାମବାସୀ ଘୋର ନିଦ୍ରାରେ ଶୋଇ ପଡିଥିଲେ। ଏହି ସମୟରେ ରଂଜନ ଅନ୍ତରାର ଛେଳି ଗୁହାଳର ତାଡି କବାଟକୁ କୌଣସି ମତେ ଖୋଲି ଗୁହାଳରୁ ଗୋଟିଏ ଛେଳି ଉଠାଇ ଆଣି ତାର ଏକ୍ସଲ ଗାଡିରେ ଲଦିବା ବେଳେ ଏହି ଛେଳି ସହ ଗୁହାଳର ଅନ୍ୟ ସମସ୍ତ ଛେଳି ରଡି ଛାଡିଥିଲେ। ଛେଳିମାନଙ୍କ ରଡିଶବ୍ଧ ଶୁଣି ଅନ୍ତରା ନିଦରୁ ଉଠି ସାହି ପଡିଶାକୁ ଡାକ ପକାଇବା କ୍ଷଣି ଗ୍ରାମବାସୀ ରୁଣ୍ଡ ହୋଇ ଯାଇଥିଲେ। ଚୋର ଗାଡି ଷ୍ଟାର୍ଟ କରି ଚାଳିଯିବାକୁ ଉଦ୍ୟମ କରିବା ବେଳେ ହଠାତ୍‍ ଗ୍ରାମବାସୀ ସେଠାରେ ରୁଣ୍ଡ ହୋଇ ଛେଳି ଚୋରକୁ ଗୋଡାଇଥିଲେ। ଗ୍ରାମବାସୀ କିଛି ବାଟ ଗୋଡାଇ ଛେଳି ଚୋରକୁ କାବୁ କାରିବାରେ ସକ୍ଷମ ହୋଇଥିଲେ। ଛେଳି ଚୋର ରଂଜନ ସହ ଆସିଥିବା ଅନ୍ୟ ଜଣେ/ଦୁଇ ଜଣ ସେଠାରୁ ଚମ୍ପଟ ମାରିଥିଲେ। ତେବେ ଏହି ସମୟରେ ଉତ୍ୟକ୍ତ ଗ୍ରାମବାସୀ ଉକ୍ତ ଛେଳି ଚୋରକୁ ଧରିବା ସହ ତାଠାରୁ ଛେଳିକୁ ଉଦ୍ଧାର କରିବା ପରେ ଉତ୍ତମ ମଧ୍ୟମ କରି ଗାଁ ଦାଣ୍ଡରେ ଥିବା ଏକ ଖୁଣ୍ଟରେ ବାନ୍ଧି ପକାଇଥିଲେ। ଗ୍ରାମବାସୀଙ୍କ ମାଡରେ ଛେଳି ଚୋର ଲହୁଲୁହାଣ ହୋଇ ଯାଇଥିଲା। ପରେ ଗ୍ରାମବାସୀ ପୁଲିସରେ ଖବର ଦେଇଥିଲେ। ତାରସିଂ ପୁଇସ୍ ବାଲିସିରା ଗ୍ରାମରେ ପହଁଚି ଛେରି ଚୋର ରଂଜନ ମହାରାଣାକୁ ଗିରଫ କରିବା ସହ ତାର ଟିଭିଏସ୍‍ ଏକ୍ସଲ ଗାଡିକୁ ଜବତ କରି ଥାନାକୁ ନେଇ ଆସିଥିଲେ।

Comments are closed.