‘ପ୍ରତ୍ୟେକ ମନୁଷ୍ୟ ପାଇଁ ଦରକାର ବ୍ରହ୍ମବିଦ୍ୟା’

‘ସମାଜ’ ଶତବାର୍ଷିକ ଉପଲକ୍ଷେ ଶ୍ରୀମଦ୍ ଭାଗବତ ସପ୍ତାହ ମହୋତ୍ସବ ଉଦ୍‌ଘାଟିତ

କଟକ : ଉପନିଷଦ ଶୁଣିଲେ ମଣିଷ ଜୀବନ ଧନ୍ୟ ହୋଇଥାଏ। ଉପନିଷଦ ଅର୍ଥ ହିଁ ବ୍ରହ୍ମବିଦ୍ୟା। ପ୍ରତ୍ୟେକ ମନୁଷ୍ୟ ପାଇଁ ଦରକାର ବ୍ରହ୍ମବିଦ୍ୟା। କେବଳ ସନ୍ୟାସୀମାନେ ହିଁ ଏହା ପ୍ରାପ୍ତ କରିଥାନ୍ତି। ବ୍ରହ୍ମବିଦ୍ୟା ପ୍ରାପ୍ତି ପାଇଁ ପ୍ରତ୍ୟେକ ଗୃହସ୍ଥ ଭାବିବା ଦରକାର। ଏଥିପାଇଁ ମନକୁ ସନ୍ନ୍ୟାସୀ କରିବାକୁ ହେବ ବୋଲି ‘ସମାଜ’ ଶତବାର୍ଷିକୀ ଉପଲକ୍ଷେ ଅନୁଷ୍ଠିତ ଶ୍ରୀମଦ୍ ଭାଗବତ ସପ୍ତାହ ମହୋତ୍ସବର ସୋମବାର ଉଦ୍‌ଘାଟନୀ ସନ୍ଧ୍ୟାରେ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ମାଧବାନନ୍ଦ ଜୀ କହିଛନ୍ତି।
ଆଧ୍ୟାତ୍ମିକ ଅନୁଷ୍ଠାନ ସୁହୃଦ୍ ଆନୁକୂଲ୍ୟରେ ସାରଳା ଭବନଠାରେ ଆୟୋଜିତ ମହୋତ୍ସବକୁ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ମାଧବାନନ୍ଦ ଜୀ ଉଦ୍‌ଘାଟନ କରି କହିଲେ, ପଦ୍ମ ପୁରାଣରେ ଭାଗବତର ମାହାତ୍ମ୍ୟ ଓ ସ୍କନ୍ଧ ପୁରାଣରେ ଶ୍ରୀଜଗନ୍ନାଥଙ୍କ କଥା ବର୍ଣ୍ଣିତ ଅଛି। ଭାରତୀୟ ଦର୍ଶନରେ ମୋଟ ୧୮ଟି ବିଦ୍ୟା ରହିଛି। ୪ ବେଦ ଓ ବେଦକୁ ବୁଝିବା ପାଇଁ ୬ ବେଦାଙ୍ଗ ରହିଛି। ଏଥିସହ ୪ଟି ଉପବେଦ ଓ ୪ ଉପାଙ୍ଗ ଅଛି। ୪ଟି ଉପାଙ୍ଗ ମଧ୍ୟରୁ ପୁରାଣ ଏକ ଉପାଙ୍ଗ। ମଣିଷ ଜୀବନରେ ଏସବୁ କିଞ୍ଚିତ୍ ମାତ୍ର ଶିକ୍ଷା କରିବା ଉଚିତ୍। ଭାରତୀୟ ଦର୍ଶନକୁ ପାଶ୍ଚାତ୍ୟରେ ଅନୁସରଣ କରୁଛନ୍ତି। ନେଦରଲ୍ୟାଣ୍ଡର ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପିଲାମାନଙ୍କୁ ଗୀତା ଆବୃତ୍ତି କରିବା ବାଧ୍ୟତାମୂଳକ କରାଯାଇଛି। ଏଥିରୁ ଆମେ ବି ଶିକ୍ଷା କରିବାର ଅବକାଶ ଆସିଛି। ପ୍ରତ୍ୟେକ ମଣିଷ ପାଇଁ ସଂସ୍କାର ହିଁ ସର୍ବଶ୍ରେଷ୍ଠ ବୋଲି ସ୍ବାମୀଜୀ ମତବ୍ୟକ୍ତ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ସ୍ବାମୀ କୃଷ୍ଣପ୍ରେମାନନ୍ଦ କହିଲେ, ମଣିଷ ଜୀବନର ଜନ୍ମରୁ ମରଣ ପର୍ଯ୍ୟନ୍ତ ତତ୍ତ୍ବ ଶ୍ରୀମଦ୍ ଭାଗବତ ମହାପୁରାଣରେ ରହିଛି। ଭାଗବତ ଶ୍ରବଣ ମାତ୍ରକେ ମୋକ୍ଷ ମିଳିଥାଏ। ଭାଗବତରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଜାଣିବାର ଅବକାଶ ରହିଛି ବୋଲି ସେ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଛତିଆ ଉଦାସ ଆଶ୍ରମର ବାବା ବ୍ରହ୍ମଚାରୀ ରବୀନ୍ଦ୍ରନାଥ ଦାସ କହିଲେ, ଭାଗବତର ଜନ୍ମ ଯଜ୍ଞରୁ। ମଣିଷ ଜୀବନ ଯଜ୍ଞରହିତ ହେବା ଅନୁଚିତ୍। ବ୍ରହ୍ମଜ୍ଞାନ ଦ୍ବାରା ଆତ୍ମଜ୍ଞାନ ପ୍ରାପ୍ତ ହୋଇଥାଏ। ଗୁରୁ ତତ୍ତ୍ବଜ୍ଞାନ ପ୍ରଦାନ କରିଥାନ୍ତି। ଗୁରୁଙ୍କୁ ଅତିମାତ୍ରାରେ ଭଲ ପାଇଲେ ହିଁ ଏହା ସମ୍ଭବ ହେବ ବୋଲି ସେ କହିଥିଲେ।
ସମାଜସେବୀ କିଶନଲାଲ ଭରତିଆଙ୍କ ମାର୍ଗଦର୍ଶନରେ ଆୟୋଜିତ କାର୍ଯ୍ୟକ୍ରମରେ ସୁହୃଦ୍‌ର ସଭାନେତ୍ରୀ ପ୍ରଫେସର ଡା. ଶର୍ମିଷ୍ଠା ଦାଶ, ମଞ୍ଜୁ ନାୟକ, ଡ. ବିଷ୍ଣୁପ୍ରିୟା ମହାନ୍ତି ଭାଗବତ ପୂଜା କରିଥିଲେ। ସନ୍ତୋଷ କୁମାର ବାରିକ ସ୍ବାଗତ ଭାଷଣ ପ୍ରଦାନ କରି ଐତିହାସିକ ‘ସମାଜ’ ଖବରକାଗଜର ଶତବାର୍ଷିକ ପାଇଁ ସମର୍ପିତ ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁଙ୍କୁ ପ୍ରଭାବିତ କରିବା ସହ ପଣ୍ଡିତ ଗୋପବନ୍ଧୁଙ୍କ ଆତ୍ମତ୍ୟାଗ ଓ ଉତ୍ସର୍ଗୀକୃତ ସେବା ପ୍ରତି ଲୋକଙ୍କ ଭାବଧାରାକୁ ଆକୃଷ୍ଟ କରିବ ବୋଲି କହିଥିଲେ। ପ୍ରାରମ୍ଭରେ ସଞ୍ଜିତା ପାତ୍ର, ବିକାଶ କୁମାର ମିଶ୍ର, ପ୍ରମୋଦ ନାଥ ଭଜନ ପରିବେଷଣ କରିଥିଲେ। ରାଜକିଶୋର କୟଲ, ପୂର୍ଣ୍ଣଚନ୍ଦ୍ର ଦ୍ବିବେଦୀ, ହରିହର ସ୍ବାଇଁ, ନୃସିଂହ ଚରଣ ଦାସ, ଜଗଦାନନ୍ଦ ସ୍ବାଇଁ, ବିଶ୍ବନାଥ ଦାସ, ବିଶ୍ବଜିତ ଶାହା, ପୁଷ୍ପା ଦେବୀ, ବୀଣା ଦେବୀ, ସୁଧୀର ପାଲ, ଭାନୁପ୍ରକାଶ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସଂଗ୍ରାମ କେଶରୀ କରଣ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଶ୍ରୀମଦ୍ ଭାଗବତ ସପ୍ତାହ ମହୋତ୍ସବ ଆଗାମୀ ୨୦ ତାରିଖ ଯାଏ ଚାଲିବ।

Comments are closed.