ଟ୍ରକ୍‌ ପଛପଟୁ ଧକ୍କା ଦେଲା ଅଟୋ; ଜଣେ ମୃତ, ୬ ଗୁରୁତର

ଭଦ୍ରକ: ଟ୍ରକ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ଅଟୋ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରିଲାୟନ୍ସ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଟ୍ରକଟି ରାସ୍ତାକଡରେ ଛିଡା ହୋଇଥିବା ବେଳେ ଯାଜପୁରରୁ ଅଟୋଟି କିଛି ଯାତ୍ରୀଙ୍କୁ ନେଇ ଆସୁଥିଲା । ସେହି ସମୟରେ ଭାରସାମ୍ୟ ହରାଇ ଅଟୋଟି ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଆହତ ଅବସ୍ଥାରେ ଅଟୋ ମଧ୍ୟରୁ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ। ପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଖାନାରେ ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଅନ୍ୟ ୬ ଜଣଙ୍କର ଚିକିତ୍ସା କରାଯାଉଛି । ତେବେ ପ୍ରାଥମିକ ଚିକିତ୍ସା ପରେ ଆବଶ୍ୟକ ହେଲେ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Comments are closed.