ଗ୍ରାମ୍ୟ ଉନ୍ନୟନ ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପ ଶିଳାନ୍ୟାସ କଲେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ଦୋବଲ: ଭଦ୍ରକ ଜିଲା ଧାମନଗର ବ୍ଲକ ଖଡ଼ିପଦାଠାରୁ ଦିହୁଡ଼ି ଆନନ୍ଦପୁର ବିଜୁସେତୁ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହାର ଶିଳାନ୍ୟାସ କରିଛନ୍ତି। ଧାମନଗରକୁ ଯାଜପୁର ସହ ସଂଯୋଗ କରୁଥିବା ଏହି ୫ କିଲୋମିଟର ଲମ୍ବ ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩ କୋଟି ୨୪ ଲକ୍ଷ ୭୦ ହଜାର ଟଙ୍କା ବ୍ଯୟ ବରାଦ କରାଯାଇଛି। ଧାମନଗର ଓ ଯାଜପୁର ମଧ୍ୟରେ ଦୂରତା ହ୍ରାସ ପାଇଁ ୩ ବର୍ଷ ପୂର୍ବେ ଦିହୁଡ଼ି ଆନନ୍ଦପୁର ଓ ଯାଜପୁର ଜିଲା ଦଶରଥପୁର ବ୍ଲକର ସିଦ୍ଧେଶ୍ବର ଗାଁକୁ ଯୋଡ଼ିବା ଲାଗି ବୈତରଣୀ ନଦୀ ଉପରେ ବିଜୁ ସେତୁ ଯୋଜନାରେ ପୋଲଟିଏ ନିର୍ମାଣ ହୋଇଛି। ଏହି ପୋଲକୁ ଲମ୍ବିଥିବା ରାସ୍ତା ପ୍ରଶସ୍ତିକରଣ କରିବା ଲାଗି ଗାଁ ଲୋକେ ଦାବି କରି ଆସୁଥିଲେ। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାର ପ୍ରଶସ୍ତିକରଣ ପ୍ରକଳ୍ପକୁ ମଞ୍ଜୁର ଦିଆଯାଇଥିଲା। ଗତବର୍ଷ ଏହି ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟା କରିବା ସହ କାର୍ଯ୍ୟାଦେଶ ମିଳିବା ପରେ ଆଜି ଏହାର ଶିଳାନ୍ୟାସ କରାଯାଇଛି।

ଖଡିପଦା ଲାଇବ୍ରେରି ଅଫିସ ପାଖରେ ଅନୁଷ୍ଠିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ ଅଶୋକ ନାୟକ, ବିଡ଼ିଓ ଦୁର୍ଗା ଚରଣ ମୁର୍ମୁ, ତହସିଲଦାର କ୍ଷୀରୋଦ ପଣ୍ଡା, ସମିତିସଭ୍ୟ ହରେକୃଷ୍ଣ ପାଢ଼ୀ, ପ୍ରଦୀପ ମଲ୍ଲିକ, ଉମେଶ ମହାନ୍ତି, ଉର୍ମିଳା ବିଶ୍ୱାଳ, ପ୍ରତାପ ସାମଲ, ଜାଫର ଅଲ୍ଲୀ, କୃଷ୍ଣ ପତି, ସୁଶାନ୍ତ ରାଉତ, ଜଗବନ୍ଧୁ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

Comments are closed.