ଆଖଣ୍ଡଳମଣି ପୀଠର ବିକାଶ ପାଇଁ ଜିଲାପ୍ରଶାସନ କ୍ଷେତ୍ରୀୟ ପରିଦର୍ଶନ

ଆରଡି: ରାଜ୍ୟର ପୁରାତନ ପର୍ୟ୍ୟଟନସ୍ଥଳ ଭାବେ ମାନ୍ୟତା ପାଇଥିବା ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ପୀଠର ବିକାଶ ଓ ସାମଗ୍ରିକ ଉନ୍ନତିପାଇଁ ମଙ୍ଗଳବାର ଭଦ୍ରକ ଜିଲାପାଳ ଜ୍ଞାନ ଦାସଙ୍କ ନେତୃତ୍ୱରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ, ଚାନ୍ଦବାଲି ତହସିଲିଦାର ସତ୍ୟଜିତ ରାଉତ, ଆରଡି ରାଜସ୍ୱନିରିକ୍ଷକ ଦେବାଷିଶ ରାୟ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ଚାନ୍ଦବାଲି ଆରଏମସି ଅଧିକାରୀ ପ୍ରମୁଖ ପୀଠରେ ପହଞ୍ଚି ସର୍ବପ୍ରଥମେ ମଣିବାବାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ମନ୍ଦିର କାର୍ୟ୍ୟାଳୟରେ ଉପସ୍ଥିତ ଥିବା ସେବାୟତମାନଙ୍କ ସହ ମନ୍ଦିର ଓ ପୀଠର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ। ବିଶେଷକରି ମରାମତି ଅଭାବରୁ ମଣିବାବାଙ୍କ ଗମ୍ଭୀରାଘରର ଚଟାଣ ଅସୁରକ୍ଷିତ ହୋଇ ପଡିଥିବା ବେଳେ ମନ୍ଦିର ଗୁମୁଟରୁ ପ୍ଲାଷ୍ଟର ଖଣ୍ଡ ଖସୁଛି ସେହିପରି ରତ୍ନକବାଟ ଉପରେ ଛାଉଣୀ ହୋଇଥିବା ପିତଳ ଚାଦର ଓହଳି ରହିଥିବାରୁ ବିଶ୍ରାମ ନୀତିରେ ନାନା ସମସ୍ୟା ଦେଖାଦେଉଥିବା ସେବାୟତମାନେ ଜିଲାପ୍ରଶାସନ ଦୃଷ୍ଟକୁ ଆଣିଥିଲେ। ସେହିପରି ହନୁମାନ ମଣ୍ଡପ, ମୁକ୍ତି ମଣ୍ଡପ ଛାତ, ପୀଠଦେବୀ ଜୟଦୁର୍ଗାଙ୍କ ମଣ୍ଡପ ଆଦି ଦୀର୍ଘବର୍ଷ ହେବ ମରାମତି ଅଭାବରୁ କେଉଁଠି ପ୍ଲାଷ୍ଟର ଖଣ୍ଡ ଖସୁଛି ତ ଆଉ କେଉଁଠି ବର୍ଷାପାଣି ଝରୁଛି। ତାହାସହ ରୋଷଶାଳ ଠାରୁ ମନ୍ଦିର ଗର୍ଭଗୃହକୁ ଯାଇଥିବା ଗଳିଘର ଗୁମୁଟରୁ ବର୍ଷାଦିନେ ବର୍ଷାପାଣି ଗଳୁଥିବାରୁ ବିଭିନ୍ନ ସମୟରେ ଭୋଗ ନଷ୍ଟ ହେଉଥିବା ସେବାୟତମାନେ ପ୍ରଶାସନକୁ ଜଣାଇଥିଲେ। ଅନ୍ୟପଟେ ପୀଠକୁ ଆସୁଥିବା ଯାତ୍ରୀବାହି ଗାଡି ଗୁଡିକୁ ନିର୍ଦ୍ଧିଷ୍ଟ ସ୍ଥାନରେ ପାର୍କିଂ କରିବା ପାଇଁ ଜିଲାପାଳ ଶ୍ରୀ ଦାସ ପ୍ରକାଶ କରିବା ସହ ଉକ୍ତ ସ୍ଥାନକୁ ନିର୍ଦ୍ଦାରଣ କରିବା ପାଇଁ ଚାନ୍ଦବାଲି ତହସିଲିଦାରଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ମଣିବାବାଙ୍କ ପୁଷ୍ପ ଉଦ୍ୟାନର ଉନ୍ନତିକରଣ, ଉଛ୍ୟେଦ ହେବାକୁଥିବା ବ୍ୟବସାୟୀମାନଙ୍କୁ ଥଇଥାନ ପାଇଁ ଦୋକାନ ଗୃହ ନିର୍ମାଣ, ସାଇନ୍ସିପାର୍କ ନିର୍ମାଣ, ମନ୍ଦିର ଚତୁଃପାର୍ଶ୍ବର ସମ୍ପ୍ରସାରଣ କରାଯିବ ବୋଲି ଜିଲାପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଥିଲା। ଏପଟେ ପୀଠରେ ସାମନ୍ୟ ପରିସ୍ରାଗାରଟିଏ ନଥିବାରୁ ପୀଠକୁ ଆସୁଥିବା ଭକ୍ତମାନେ ନାନା ହରକତ ହେବାକୁ ପଡୁଛି ବୋଲି ସେବାୟତମାନେ ପ୍ରକାଶ କରିବାରୁ ତୁରନ୍ତ ମନ୍ଦିର ନିକଟରେ ଏକ ଶୈାଚାଳୟ ନିର୍ମାଣ କରିବା ପାଇଁ ଜିଲାପାଳ ଶ୍ରୀ ଦାସ ପ୍ରକାଶ କରିଥିଲେ। ପରେ ଜିଲାପାଳ ଶ୍ରୀ ଦାସଙ୍କ ସହ ସମସ୍ତ ଅଧିକାରୀ ଓ ମନ୍ଦିରର ସେବାୟତ କାର୍ୟ୍ୟକାରୀ ହେବାକୁ ଥିବା ଗାଡିପାର୍କିଂ ଷ୍ଟାଣ୍ଡ, ଓଭରହେର୍ଡ ପାଣିଟ୍ୟାଙ୍କ, ମଣିବାବାଙ୍କ ପୁଷ୍ପ ଉଦ୍ୟାନ ଆଦିର କ୍ଷେତ୍ର ପରିଦର୍ଶନ କରିବା ସହ ମନ୍ଦିର ଓ ସରକାରୀ ଜମିର ସ୍ଥିତି ଚାନ୍ଦବାଲି ତହସିଲିଦାର ଶ୍ରୀ ରାଉତ ଓ ଆରଡି ରାଜସ୍ୱନିରିକ୍ଷକ ଅଧିକାରୀ ଶ୍ରୀ ରାୟଙ୍କ ସହ ଜିଲାପାଳ ଶ୍ରୀ ଦାସ ପଚାରି ବୁଝିଥିଲେ।

Comments are closed.