କ୍ବାରେଣ୍ଟାଇନ ସେଣ୍ଟରରେ ଟିକଟକ୍, ଥାନା​‌ରେ ଏତଲା ଦେଲେ ସରପଞ୍ଚ

ଭଦ୍ରକ : ମହାମାରୀ କରୋନା ସହ ବର୍ତ୍ତମାନ ସଭଗ୍ର ବିଶ୍ଵ ଲଢେଇ କରୁଛି । ଏହାରି ମଧ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଯେପରି ନ ବ୍ୟାପେ ସେଥିପାଇଁ ବାହାର ରାଜ୍ୟରୁ ଫେରିଥିବା ଲୋକମାନଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଉଛି। ସେମାନଙ୍କ ପାଇଁ ଖାଦ୍ୟ, ପାନୀୟଠୁ ଆରମ୍ଭ କରି ସବୁ କିଛିର ବ୍ୟବସ୍ଥା କରାଯାଇଛି। ହେଲେ ଏସବୁ ଭିତରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି। କେଉଁଠି ଲୋକେ ଖାଦ୍ୟ ଫୋପାଡ଼ି ଦେଉଛନ୍ତି ତ ଆଉ କେଉଁଠି କଟକଣା ନ ମାନି ମଉଜ ମସ୍ତିରେ ବ୍ୟସ୍ତ ରହୁଛନ୍ତି।

ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ୍ ଅନ୍ତର୍ଗତ ଭାଟପଡ଼ା ପଞ୍ଚାୟତ ଅଞ୍ଚଳରୁ । ସୂଚନା ଅନୁସାରେ ଗତ ଏପ୍ରିଲ ୨୩ ତାରିଖରେ ତିହିଡ଼ିରୁ ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଉକ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସିଆରଏସ୍ ହାଇସ୍କୁଲରେ ତିଆରି ହୋଇଥିବା ସଂଗରୋଧ ଗୃହରେ ରଖାଯାଇଥିଲା। ହେଲେ ସେଠାରେ ରହୁଥିବା କିଛି ଲୋକ ସାମାଜିକ ଦୂରତ୍ବ ବଜାୟ ନ କରି ବିଶୃଙ୍ଖଳା ସୃଷ୍ଟି କରିବା ସହ ଟିକଟକ୍‌ ଭିଡିଓ ପ୍ରସ୍ତୁତ କରିଥିଲେ। ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ଥାନୀୟ ଭାଟପଡ଼ା ପଞ୍ଚାୟତର ମହିଳା ସରପଞ୍ଚ ଥାନାରେ ଏତଲା ଦେଇଛନ୍ତି। ତିହିଡ଼ି ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

 

Comments are closed.