ହାଇକୋର୍ଟଙ୍କ ନିର୍ଦେଶକୁ ଅବଜ୍ଞା: ଧାମରା ବନ୍ଦର ଫେରାଉନି ୨୫ ଏକରରୁ ଉର୍ଦ୍ଧ ଗୋଚର ଜମି

ଧାମରା: ଧାମରା ବନ୍ଦର ନିଜର ସ୍ୱାର୍ଥ ଏବଂ ବ୍ୟବସାୟକୁ ଆଖି ଆଗରେ ରଖି ୧୮ଟି ରାଜସ୍ୱ ଗ୍ରାମର ୨୫ଏକରରୁ ଉର୍ଦ୍ଧ ଗୋଚର ଏବଂ ଶ୍ମଶାନ ନିଜ ଅକ୍ତିଆରକୁ ନେଇଥିଲା। ଏହି ଜମି ଗୁଡିକ ବନ୍ଦର ନିଜର ରେଳପଥ ଏବଂ ସଡକପଥ ପାଇଁ ନିଜ ଅଧିନରେ ରଖିଥିଲା। ୨୦୧୪ ମସିହାରୁ ଅଦ୍ୟାବଧି ଏହି ଶ୍ମଶାନ ଏବ ଗୋଚର ପାଇଁ ୧୮ଟି ରାଜସ୍ୱ ଗ୍ରାମର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଏ ବାବଦରେ ସେମାନେ ବନ୍ଦର ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କୁ ଫେରାଇବା ପାଇଁ ଆକୁଳ ନିବେଦନ କରିଥିଲେ। ମାତ୍ର ସମସ୍ତ ନିବେଦନ କେବଳ ନିବେଦନରେ ରହି ଯାଇଥିଲା। ପରେ ତିହିଡିର ଅଞ୍ଚଳର ଜଣେ ସମାଜସେବୀ ଏହି ଶ୍ମଶାନ ଏବଂ ଗୋଚର ଜମି ଫେରି ପାଇବା ପାଇଁ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ ରାୟରେ ଧାମରା ବନ୍ଦର(ଆଦାନୀ) କର୍ତୁପକ୍ଷଙ୍କୁ ଏହି ଶ୍ମଶାନ ଏବଂ ଗୋଚର ଜମିକୁ ଫେରାଇବା ପାଇଁ ନିର୍ଦେଶ ଦେଇଥିଲେ।

ଉଚ୍ଚ ନ୍ୟାୟାଳୟର ନିର୍ଦେଶ ପାଇବା ପରେ ମଧ୍ୟ ଆଦାନୀ କର୍ତୁପକ୍ଷ ଦୀର୍ଘ ୧ବର୍ଷ ବିତିଯାଇଥିଲେ ମଧ୍ୟ ଉଚ୍ଚ ନ୍ୟାୟାଳୟର ଆଦେଶକୁ ମାନି ନାହାନ୍ତି। ଏହା ଫଳରେ ଚାନ୍ଦବାଲି ବ୍ଲକର ମାଣିପୁର, ନୂଆସାହି ସଦାନନ୍ଦପୁର, ମହୁଲିଆ,ଗଙ୍ଗାଧରପୁର, ନିଶ୍ଚିନ୍ତପୁର, ବାଣୁଆସାହି, ନରସିଂହପ୍ରସାଦ, ଓରାମାଳ, ସମିପାଟିଆ,ରବିନ୍ଦ୍ରନଗର ଏବଂ ବାଲିସାହି ରାଜସ୍ୱ ଗ୍ରାମର ବାସିନ୍ଦାଙ୍କ ଏହି ଜମି ଗୁଡିକ ଫେରିପାଇବା ପାଇଁ ପୁନଶ୍ଚ ଜିଲ୍ଲାପାଳଙ୍କ ଏବଂ କେନ୍ଦ୍ରୟ ରାଜସ୍ୱ କମିଶନରଙ୍କ ଠାରେ ଆବେଦନ କରିଛନ୍ତି। ଇତି ମଧ୍ୟରେ ଆଦାନୀ ବନ୍ଦର କର୍ତୁପକ୍ଷ କେବଳ କିଛି ଜମି କିଣି ଧାମରା ରାଜସ୍ୱ ସର୍କଲର ୧୨ଟି ରାଜସ୍ୱ ଗ୍ରାମ ଏବଂ ତିହିଡି ତହସିଲର ୬ଟି ରାଜସ୍ୱ ଗାମକୁ ଶ୍ମଶାନ ଏବଂ ଗୋଚର ପାଇଁ ଜମି ଫେରାଇବାକୁ ଇଛା କରିଥିବା ଜଣାଯାଇଛି। ମାତ୍ର ଚାନ୍ଦବାଲି ଏବଂ ତିହିଡି ତହସିଲ ପକ୍ଷରୁ ଦିଆଯାଉଥିବା ଏହି ଜମିକୁ ସଂପୃକ୍ତ ଗ୍ରାମବାସୀ ନେବାକୁ ରାଜି ନୁହନ୍ତି ଏହାର ଏକମାତ୍ର କାରଣ ଆଦାନୀ କର୍ତୁପକ୍ଷ ଦେଉଥିବା ଜମି ଗୁଡିକ ଶ୍ମଶାନ ଏବଂ ଗୋଚର ପାଇଁ ଅନୁପଯୁକ୍ତ କେଉଁଠି ଏହି ଜମି ଲୁଣି ପାଣିରେ ଭର୍ତ୍ତୀ ତ ଆଉ କେଉଁଠି ଏହି ଜମିକୁ ଯାତାୟତ ପାଇଁ ରାସ୍ତା ନାହିଁ।

କେନ୍ଦ୍ରୀୟ ରାଜସ୍ୱ କମିଶନର ଏବଂ କେନ୍ଦ୍ରୀୟ ଟିମ ବୁଲବୁଲ ସମୟରେ ଧାମରା ଗସ୍ତରେ ଆସିଥିବା ବେଳେ ଅଞ୍ଚଳବାସୀ ତାଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ।କେନ୍ଦ୍ରୀୟ ଟିମ ଏବଂ କେନ୍ଦ୍ରୀୟ ରାଜସ୍ବ କମିଶନର ଏହା ଶୁଣି ଆଶ୍ଚଯ୍ୟ ହେବା ସହ ଏହି ଜମି ଏବଂ ତାହାର କିଷମ ବିଷୟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇବା ବିଧେୟ ବୋଲି କହିବା ସହ ଏହ ଜମିକୁ ଯାତାୟତ ପାଇଁ ରାସ୍ତା ରହିବା ଜରୁରୀ ବୋଲି କହିଥିଲେ। ନଚେତ ଏହି ଜମି କୌଣସି ପରିସ୍ଥିତିରେ ଗ୍ରାମବାସୀଙ୍କୁ ହସ୍ତାନ୍ତରିତ କରାଯାଇ ପାରିବ ନାହିଁ ବୋଲି ମଧ୍ୟ ମତ ରଖିଥିଲେ। ଯଦି ଏହି ଜମି ଉପରେ କୌଣସି ଅଭିଯୋଗ ଥାଏ ତାହେଲେ ଏହି ବିଷୟରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବା ଜରୁରୀ। ଇତି ମଧ୍ୟରେ ଦୀର୍ଘ ୧୦ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ଏହି୧୮ଟି ରାଜସ୍ୱ ଗ୍ରାମକୁ ଶ୍ମଶାନ ଏବଂ ଗୋଚର ଜମି ଫେରାଇବାରେ ଆଦାନୀ କର୍ତୁପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ପୁନଶ୍ଚ ଦୋସିଙ୍ଗା ଏବଂ ବାଲିସାହି ରାଜସ୍ୱ ଗ୍ରାମର ବାସିନ୍ଦା୨୦୦୯ ମସିହା ଭଳି ଧାମରା ବନ୍ଦର ଗେଟ ଆଗରେ ଶବଦାହ କରିବେ ବୋଲି ଚେତାବନୀ ଦେଲେଣି। ଉଚ୍ଚ ନ୍ୟାୟାଳୟର ଆଦେଶକୁ ଅବମାନନା କରିଥିବାରୁ ଧାମରା ଅଞ୍ଚଳର ଏକ ସ୍ୱେଛାସେବୀ ସଙ୍ଗଠନ (ସେସଡୋ) ପୁନଶ୍ଚ ଏହି ଗ୍ରାମବାସୀଙ୍କୁ ନ୍ୟାୟ ଦେବ ବୋଲି ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି।

Comments are closed.