ଉତ୍କେଲାରୁ ଉଡ଼ିପାରୁନି ବିମାନ

ଭବାନୀପାଟଣା: କେନ୍ଦ୍ର ସରକାରଙ୍କ ଅନୁଦାନ ସତ୍ତ୍ବେ ଜମି ଅଧିଗ୍ରହଣ ହୋଇପାରୁନି। ତେଣୁ କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ଏୟାରଷ୍ଟ୍ରିପରୁ ବିମାନ ଉଡ଼ିପାରୁନି। ଫଳରେ କଳାହାଣ୍ଡିବାସୀଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ ହୋଇପାରୁନି।
୧୯୬୨ରେ ସ୍ଥାପିତ ଉତ୍କେଲା ଏୟାରଷ୍ଟ୍ରିପ୍‌ କେନ୍ଦ୍ର ସରକାରଙ୍କ ଉଡାନ୍‌ ଯୋଜନା-୪ରେ ସାମିଲ ହେବା ପରେ ଏହାର ଭିତ୍ତିଭୂମିର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୬.୭୭ କୋଟି ଟଙ୍କା ଅନୁଦାନ ମିଳିଥିଲା। ସେଥିରୁ ଅଦ୍ୟାବଧି ୫ କୋଟି ଟଙ୍କା ଖର୍ଚ୍ଚ ହୋଇପାରିନି। ଦ୍ୱିତୀୟ ପର୍ଯ୍ୟାୟରେ ୫୫ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ୨୦୦ ଏକର ଜମି ଅଧିଗ୍ରହଣ ହୋଇପାରିନି। ମିଳିଥିବା ଅନୁଦାନ ରାଶି ଖର୍ଚ୍ଚ ହୋଇପାରୁନି। ଏୟାରଷ୍ଟ୍ରିପ୍‌ର ୩୦ ଏକର ଜମିରେ କଳାହାଣ୍ଡି ପୂର୍ତ୍ତବିଭାଗ ପକ୍ଷରୁ ଏୟାରଷ୍ଟ୍ରିପର ସମ୍ପ୍ରସାରଣ, ରନ୍‌ୱେ ନିର୍ମାଣ, ପାଚେରି, ଡ୍ରେନ, ଦୁଇପାର୍ଶ୍ବରେ ରାସ୍ତା, ସିଗନାଲ ରୁମ, କଣ୍ଟ୍ରୋଲରୁମ୍‌, ରେଷ୍ଟହାଉସ, ଗେଷ୍ଟହାଉସର ନିର୍ମାଣ ହୋଇଥିଲା। ଏପ୍ରନ, ଟ୍ୟାକ୍ସି ୱେ, ପୁଲିସ ଓ ଅଗ୍ନିଶମ ବିଭାଗ ପାଇଁ ବାରାକ, ଓଭରହେଡ୍‌ ପାଣିଟାଙ୍କି କାର୍ଯ୍ୟ ଶେଷ ହୋଇଛି। ଏୟାରଷ୍ଟ୍ରିପର ୩୦ ଏକର ଜମି ଥିବାବେଳେ ଆହୁରି ୮.୫୨ ଏକର ଜମିର ଆବଶ୍ୟକତା ରହିଛି। ଏଠାରେ ସ୍ଥାୟୀ ଟର୍ମିନାଲ କୋଠା, ଭିଆଇପି ଲାଉଞ୍ଜ, ଇନ୍ଧନ ଯୋଗାଣ ଷ୍ଟେସନ୍‌, ଟ୍ୟାକ୍ସିଷ୍ଟାଣ୍ଡ ଓ ପାରିପାର୍ଶ୍ବିକ ପାଚେରି ନିର୍ମାଣ ଯୋଜନା ରହିଥିଲା। ଏଥିପାଇଁ ଜମି ଅଧିଗ୍ରହଣ ହୋଇପାରି ନ ଥିବାରୁ ଅନୁଦାନ ମିଳିଥିବା ୫ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡିରହିଛି। ପୁଣି ୨୦୧୯ ଫେବୃଆରୀ ୧୧ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୫ କୋଟି ଅନୁଦାନ ମଞ୍ଜୁର ହୋଇଥିଲା। ଏଥିରେ ୨୦୦ ଏକର ଜମି ଅଧିଗ୍ରହଣ ସହ ଏୟାରଷ୍ଟ୍ରିପର ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରହିଥିଲା ା ବର୍ତ୍ତମାନ ୯୦୦ ମିଟର ରନ୍‌ୱେ ଥିବାବେଳେ ସମ୍ପ୍ରସାରଣ ହେଲେ ପରିସର ୨ କିମି ବୃଦ୍ଧି ପାଇବ। ଉତ୍କେଲା, ଠେମରା ଓ କୋକୋମୁଣ୍ଡା ଗ୍ରାମର ୧୮୮ ଏକର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଜମି ଅଧିଗ୍ରହଣ ଚୂଡାନ୍ତ ନ ହେବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ୨୦୦ ଏକର ଜମି ଅଧିଗ୍ରହଣ ପରେ ସେଠାରେ ଷ୍ଟାଫକ୍ୱାର୍ଟର, ନୂତନ ଟର୍ମିନାଲ ଏବଂ ଆନୁସଙ୍ଗିକ ସରଞ୍ଜାମ ପାଇଁ ଭିତ୍ତିଭୂମି ନିର୍ମାଣ କରାଯିବ। ଅଦ୍ୟାବଧି ଜମି ଅଧିଗ୍ରହଣ ହୋଇପାରିନି। ଦ୍ବିତୀୟ ପର୍ଯ୍ୟାୟର ୫୫ କୋଟି ଟଙ୍କା ମଞ୍ଜୁର ପରେ ୨୦୧୯ ମେ’ ୫ ତାରିଖରେ ତତ୍‌କାଳୀନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମସଚିବ ଉଷା ପାଢୀଙ୍କ ନେତୃତ୍ୱରେ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ପରିଚାଳନା ନିର୍ଦେଶକ ଏବଂ ଅନ୍ୟ ଅଧିକାରୀ ମାନେ ଉତ୍କେଲା ଆସି ଉଡାନ୍‌ ଯୋଜନାର ସମୀକ୍ଷା ବୈଠକ କରିଥିଲେ। କିନ୍ତୁ ଆଜି ସୁଦ୍ଧା ଜମି ଅଧିଗ୍ରହଣ ହୋଇ ନ ପାରିବା ବିଡ଼ମ୍ବନାର ବିଷୟ। ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନର ଉଦାସୀନ ମନୋଭାବ ଯୋଗୁଁ ଜମି ଅଧିଗ୍ରହଣ କାର୍ଯ୍ୟ ଆଗେଇ ପାରୁ ନ ଥିବା ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି । କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନା କାର୍ଯ୍ୟକାରୀ ହେଲେ ଉତ୍କେଲାରୁ ଭୁବନେଶ୍ୱର, ରାୟପୁର, ବିଶାଖାପଟଣା, ଚେନ୍ନାଇ, ନୂଆଦିଲ୍ଲୀ, ମୁମ୍ବାଇ ଓ କଲକାତାକୁ ନିୟମିତ ବିମାନ ଉଡିପାରିବ। ଜମି ଅଧିଗ୍ରହଣ ଯୋଗୁଁ ଏଥିରେ ବିଳମ୍ବ ହେଉଛି ା ଏନେଇ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଅଜିତ ବାବୁଙ୍କୁ ପଚାରିବାରୁ ଏପର୍ଯ୍ୟନ୍ତ ଆମକୁ ୭୧.୩୨ କୋଟି ଟଙ୍କା ମିଳିଛି। କିନ୍ତୁ ଜମି ଅଧିଗ୍ରହଣ ଚୂଡାନ୍ତ ହୋଇ ନ ଥିବା ଯୋଗୁଁ ୬୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରି ନାହିଁ। ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଥିଲେ। କେବେ ଉତ୍କେଲାରୁ ବିମାନ ଉଡ଼ିବ ତା’କୁ ଚାହିଁ ବସିଛନ୍ତି କଳାହାଣ୍ଡି ଜିଲାବାସୀ।

Comments are closed.