ମହାନ ବିପ୍ଳବୀ ରେଣ୍ଡୋ ମାଝୀଙ୍କ ଅଞ୍ଚଳର ଦୁରବସ୍ଥା : ୩୦ କିମି ଦୂରରେ ପଞ୍ଚାୟତ

ଭବାନୀପାଟଣା (ବିଜୟ ଦ୍ୱିବେଦୀ) : ସରକାର ଓ ପ୍ରଶାସନ ତୃଣମୂଳ ସ୍ତରର ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଗ୍ରାମପଞ୍ଚାୟତ ଏକମାତ୍ର ମାଧ୍ୟମ; ତେଣୁ ପଞ୍ଚାୟତିରାଜକୁ ଅଧିକ ଗୁରୁତ୍ବ ଦିଆଯାଇଆସୁଛି। ତେବେ କଳାହାଣ୍ଡି ଜିଲାରେ ଏବେମଧ୍ୟ ଏଭଳି ଶତାଧିକ ଗ୍ରାମ ରହିଛି, ଯେଉଁଠୁ ଗ୍ରାମପଞ୍ଚାୟତର ଦୂରତା ୩୦ କିଲୋମିଟର କିମ୍ବା ତଦୂର୍ଦ୍ଧ୍ବ। ଏପରିସ୍ଥଳେ ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚିବା ସହଜସାଧ୍ୟ ହେଉନାହିଁ କିମ୍ବା ସର୍ବନିମ୍ନ ସୁବିଧାଟିଏ ପାଇବା ପାଇଁ ମଧ୍ୟ ଲୋକଙ୍କୁ ଝାଳନାଳ ହେବାକୁ ପଡ଼ୁଛି। ଆହୁରି ପରିତାପର ବିଷୟ ଯେ କଳାହାଣ୍ଡି ଜିଲା ମଦନପୁର ରାମପୁର ବ୍ଲକର ମହାନ ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ ଅଞ୍ଚଳର ଅଧିକାଂଶ ଗ୍ରାମର ଲୋକଙ୍କ ପାଇଁ ପ୍ରଶାସନ ଏହି କାରଣରୁ ଅପହଞ୍ଚ ପାଲଟିଛି। ରାଜ୍ୟ ସରକାର ୫-ଟି ବ୍ୟବସ୍ଥା ଆପଣାଇ ପ୍ରଶାସନକୁ ସ୍ବଚ୍ଛ ଓ ଉତ୍ତରଦାୟୀ କରିବାକୁ ଚେଷ୍ଟା ଚଳାଇଥିବାବେଳେ ଲୋକଙ୍କ ପାଇଁ ମୂଳରୁ ଯଦି ତାହା ଅପହଞ୍ଚ ହୋଇରହିବ, ତେବେ ଏହାଠୁ ବଡ଼ ବିଡ଼ମ୍ବନା ଥାଇନପାରେ। ମ. ରାମପୁର ବ୍ଲକ​ରେ ରହିଛି ନୂତନ ଲୁବେନ୍‌ଗଡ ଗ୍ରାମପଞ୍ଚାୟତ ଓ ତା’ ନିକଟରେ ପୁରାତନ ଉର୍ଲାଦାନୀ ଗ୍ରା.ପ.। ଲୁବେନଗଡ ପଞ୍ଚାୟତ ଅଧୀନରେ ୧୭ଟି ଗ୍ରାମ ଓ ଉର୍ଲାଦାନି ପଞ୍ଚାୟତରେ ୨୫ଟି ଗ୍ରାମ ରହିଛି। ସେଥିରୁ ୩୫ଟି ଗ୍ରାମ ଅତ୍ୟନ୍ତ ଦୁର୍ଗମ ଓ ଘଞ୍ଚ ଜଙ୍ଗଲ ପାହାଡ ଭିତରେ ରହିଛି। ଏହି ୪୨ଟି ଗ୍ରାମ ଭିତରୁ ୨୦ରୁ ଅଧିକ ଗ୍ରାମରେ ସ୍କୁଲ ନାହିଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ୩୦ରୁ ଊର୍ଦ୍ଧ୍ବ ଆଦିବାସୀ ବହୁଳ ଗ୍ରାମର ଲୋକେ ଅନ୍ତତଃ ୧୫ରୁ ୨୫ କିମି ଚାଲିଚାଲି ଟିକେରବାଜୁ ଗ୍ରାମ ଦେଇ କନ୍ଧମାଳ ଜିଲାର ସୁଡ୍ରାରୁ ଦୈନନ୍ଦିନ ବଜାର ସଉଦା କରିବା ସହିତ ମାସିକିଆ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିିଡିଏସ୍‌)ର ଚାଉଳ ଆଣିବାକୁ ଯାଇଥାନ୍ତି। ସେହିପରି ବୃଦ୍ଧ, ବିକଳାଙ୍ଗ ଓ ବିଧବାମାନେ ନିଜର ଭତ୍ତା ପାଇବାପାଇଁ ଘଞ୍ଚଜଙ୍ଗଲ ଓ ପାହାଡର ବିପଦପୂର୍ଣ୍ଣ ୧୦ରୁ୨୫ କିମି ଦୁର୍ଗମ ରାସ୍ତାଦେଇ ବୁଢା, ଉତେଇ, ରାହୁଳ ଏବଂ ଚାଉଳଧୁଆ ନଦୀ ପାରହୋଇ
ଲୁବେନଗଡ ଓ ଉର୍ଲାଦାନିକୁ ଆସିବାକୁ ପଡ଼େ। ସେମାନଙ୍କୁ ଏଥିପାଇଁ ଦୁଇଦିନ ପରିଶ୍ରମ କରିବାକୁ ପଡ଼ିଥାଏ। ଏହି ଅଞ୍ଚଳବାସୀ ବ୍ଲକ ସଦର ମହକୁମା ମ.ରାମପୁରକୁ ଆସିବାକୁ ହେଲେ ୭୦ କିମି ପାଦରେ ଚାଲି ଏବଂ ସୁଡ୍ରାରୁ ଗାଡି ଭଡାକରି ଆସିବାକୁ ପଡିଥାଏ।

ଏହି ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ଅତି ଶୋଚନୀୟ। ନୂତନ ଶିକ୍ଷା ପଦ୍ଧତି ଅନୁଯାୟୀ ଉକ୍ତ ଅଞ୍ଚଳରେ ଥିବା କେତୋଟି ସ୍କୁଲ ବନ୍ଦ ହୋଇଯିବା ଫଳରେ ଛାତ୍ରଛାତ୍ରୀ ବାଧ୍ୟ ହୋଇ ଘଞ୍ଚ ଜଙ୍ଗଲ ଓ ପାହାଡ ଦେଇ ୫ରୁ ୭ କିମି ଚାଲିଚାଲି ଆସି ନିକଟସ୍ଥ ସ୍କୁଲରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି। ଏହି କାରଣରୁ ବହୁ ପିଲା ସ୍କୁଲକୁ ଯାଉନାହାନ୍ତି। ସ୍ବାସ୍ଥ୍ୟସେବା କଥା ନକହିଲେ ଭଲ। ବର୍ଷାଦିନେ ଅଧିକାଂଶ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଥାଏ। ଫଳରେ ଏହି ଦୁଇ ପଞ୍ଚାୟତର ଗ୍ରାମବାସୀମାନେ ସାମାନ୍ୟ ଜ୍ୱର କିମ୍ବା ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେଲେ ସ୍ଥାନୀୟ ଗୁଣିଆ କିମ୍ବା ଦିଶାରୀଙ୍କ ସାହାରା ନେବାକୁ ବାଧ୍ୟ ହୋଇଥାନ୍ତି। ଏହି ଦୁଇ ପଞ୍ଚାୟତର ଅତି ଦୁର୍ଗମ ଅଞ୍ଚଳରେ ଥିବା ମାରଦିଙ୍ଗ, ଜାରକା, ଲାହାଡି, ପିଡେଲ, ମସ୍କାପଦର, ଲୁବେନଗଡ, ସାଙ୍କୁସ, ବାଲିବାଜୁ, ଦଣ୍ଡିଗୁଡା, ଫୁଲଝରି, ଡ୍ରାମା, ଡାବେଲ, ବୋରୁଙ୍ଗୁ, କାଲିଶୋରୁ, ମାତାକୁପା, ପଙ୍ଗାପାଜୁ ଆଦି ଗ୍ରାମର ଲୋକେ ବୁଢା ଓ ରାହୁଲନଦୀରେ ସୁଉଚ୍ଚ ପୋଲ, ପଞ୍ଚାୟତ ସଦର ମହକୁମା ଲୁବେନଗଡଠାରୁ ଉର୍ଲାଦାନୀ ପର୍ଯ୍ୟନ୍ତ ସବୁଦିନିଆ ପକ୍କା ରାସ୍ତା, ବିଦ୍ୟୁତ ସଂଯୋଗ ଆଦି ଦାବିକରି ଆସୁଥିଲେ ମଧ୍ୟ ସେଥିପ୍ରତି ନିର୍ବାଚିତ ପ୍ରତିନିଧି ଗୁରୁତ୍ୱ ଦେଉନାହାନ୍ତି।
କାଠପୋଲ ସାହାରା : ଉର୍ଲାଦାନୀ ପଞ୍ଚାୟତରୁ ସାକୁଶ ଗାଁ ୭ କିମି ଦୂର ହୋଇଥିବାବେଳେ ଏହି ଗାଁ ପାଇଁ ରାହୁଲ ନଦୀ ଦୁଃଖ ପାଲଟିଛି। ରାହୁଲ ଓ ବୁଢାନଦୀ ସଙ୍ଗମସ୍ଥଳରେ ଗ୍ରାମବାସୀମାନେ ବର୍ଷବର୍ଷ ଧରି ଅସ୍ଥାୟୀ କୋଠପୋଲ ନିର୍ମାଣ କରି ଯାତାୟାତ କରୁଥିବାବେଳେ ବର୍ଷା ୪ ମାସ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡୁଛି। ସାକୁଶ ଗାଁ ସମେତ ନଦୀ ଆରପାରିରେ ଥିବା କୁଟେଲ, ଫୁଜୁଡି ଓ ଡାକେଲ ଗାଁର ଶହଶହ ଲୋକଙ୍କ ମଧ୍ୟ ସମାନ ପରିସ୍ଥିତି। ରାହୁଲ ନଦୀରେ ପୋଲ ନଥିବା ଯୋଗୁଁ ଗାଡିମୋଟର ଯାଇନପାରି ଏହି ଅଞ୍ଚଳର ବିକାଶ ହୋଇପାରୁନାହିଁ। ପ୍ରତିବର୍ଷ ସାକୁଶ ଗାଁର ୪୦ରୁ ୫୦ ଲୋକ ମିଳିତ ଭାବେ ନଦୀ ଉପରେ କାଠପୋଲ ନିର୍ମାଣ କରିଥାନ୍ତି ବୋଲି ଉର୍ଲାଦାନୀର ସରପଞ୍ଚ ଗନ୍ଧର୍ବ ପୂଜାରୀ ପ୍ରକାଶ କରିଛନ୍ତି।
ରୁମାନାଙ୍କ ଉପରେ ଭରସା : ୨୦୧୮ ମେ ୭ରେ ମଦନପୁର ରାମପୁର ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଭାବେ ରୁମାନା ଜାଫ୍ରି ଯୋଗଦେବା ପରେ ଏହି ଅଞ୍ଚଳର ଅବସ୍ଥା ବଦଳିପାରିବ ବୋଲି ଜନସାଧାରଣଙ୍କ ମନରେ ଭରସା ସୃଷ୍ଟି ହୋଇଛି। ଏହାର କାରଣ, ରୁମାନା ନିଜ ଜୀବନକୁ ବିପନ୍ନ କରି ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଗସ୍ତ କରିବା ସହିତ ଲୋକେ କିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାରେ ଉପକୃତ ହେବେ, ସେଥିପ୍ରତି ବିଶେଷ ଯତ୍ନବାନ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସେମାନଙ୍କ ଅଞ୍ଚଳରେ ପ୍ରଥମକରି ଜଣେ ଦରଦୀ ପ୍ରାଶାସନିକ ଅଧିକାରୀଙ୍କ ପାଦ ପଡ଼ିଥିବାରୁ ସେମାନେ ଖୁସି ଅଛନ୍ତି।

ଅଞ୍ଚଳର ସମସ୍ୟା ସମ୍ପର୍କରେ ରୁମାନାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ ଲୁବେନଗଡ ପଞ୍ଚାୟତ କାର୍ଯ୍ୟାଳୟ ସ୍କୁଲରେ ଚାଲିଛି। ନୂତନ ପଞ୍ଚାୟତ ଗୃହ ନିର୍ମାଣ ସରିବା ପରେ ସେଠାକୁ ପଞ୍ଚାୟତ କାର୍ଯ୍ୟାଳୟ ଉଠି ଆସିବ। ଏହି ଦୁଇ ପଞ୍ଚାୟତର ଗମନାଗମନ ସୁବିଧା ପାଇଁ ରାସ୍ତା ଓ ପୋଲ ନିର୍ମାଣାଧୀନ ରହିଛି। ବହୁ ରାସ୍ତା କାମ ବି ସରିଯାଇଛି। ୭ କୋଟି ଟଙ୍କା ବ୍ୟୟବରାଦରେ କଳାହାଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅନ୍ତର୍ଗତ ରାହୁଲ ନଦୀରେ ପୋଲ ନିର୍ମାଣ ପାଇଁ ଟେଣ୍ଡର ହୋଇଛି; କିନ୍ତୁ ଠିକାଦାରଙ୍କ ସହ ଚୁକ୍ତି ହୋଇନଥିବାରୁ ପୋଲକାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଅନ୍ୟପଟେ ଏହି ଅଞ୍ଚଳ ମାଓ ଅଧ୍ୟୁଷିତ ହୋଇଥିବାରୁ କୌଣସି ଠିକାଦାର ପୋଲ ନିର୍ମାଣ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରୁନଥିବା ଜଣାପଡିଛି। ଲୁବେନଗଡଠାରେ ୩.୫୦ କୋଟି ଟଙ୍କାର ୩୦/୧୧ କେଭି ବିଦ୍ୟୁତ୍‌ ସବ୍‌ଷ୍ଟେସନ ହୋଇଥିବାବେଳେ ରାହୁଲ୍‌ ନଦୀ ଉପରେ ବର୍ତ୍ତମାନ ସୁଦ୍ଧା ଦୁଇଟି ପୋଲ ନିର୍ମିତ ହୋଇସାରିଛି। ଉର୍ଲାଦାନୀରୁ ଲୁବେନଗଡ ୨୫ କିମି ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ଏବଂ ବୁଢ଼ାନଦୀ ଉପରେ ୮ କୋଟି ଟଙ୍କା ବ୍ୟୟରେ ଏକ ସୁଉଚ୍ଚ ପୋଲ ଏବଂ ୨୫ କିମି ରାସ୍ତା ନିର୍ମାଣ କରାଯାଉଛି। ଏହି ରାସ୍ତା ଓ ବୁଢାନଦୀର ପୋଲ ନିର୍ମାଣ ହୋଇଗଲେ ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟକୁ ଯାତାୟାତ ସୁଗମ ହୋଇପାରିବ ଏବଂ ଉକ୍ତ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବ୍ୟବସ୍ଥା ମଧ୍ୟ ଉନ୍ନତ ହେବ ବୋଲି ବିଡିଓ ରୁମାନା ଜାଫ୍ରି ପ୍ରକାଶ କରିଛନ୍ତି।

Comments are closed.