ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଞ୍ଚଭୂତରେ ଲୀନହେଲେ ଭବାନୀ

ନିମାପଡା : ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧୀବାଦୀ ତଥା ପ୍ରାକ୍ତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ନିମାପଡ଼ା ଗଡ଼ଅଣ୍ଢିଆସ୍ଥିତ ନିଜ ଗ୍ରାମ ଶ୍ମଶାନରେ ବିଲୀନ ହୋଇଛନ୍ତି।
ଶୁକ୍ରବାର ସ୍ବର୍ଗତ ପଟ୍ଟନାୟକଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରୁ ଏକ ସ୍ବତନ୍ତ୍ର ଗାଡ଼ିରେ ନିମାପଡ଼ାରେ ପହଞ୍ଚିଥିଲା। ‘ଭବାନୀ ପଟ୍ଟନାୟକ ଅମର ରହେ’ ସ୍ଲୋଗାନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ତାଙ୍କ ପାର୍ଥବ ଶରୀରକୁ ପ୍ରଥମେ ନିମାପଡ଼ା କଲେଜକୁ ନିଆଯାଇଥିଲା। ପରେ ସହିଦ ସ୍ମୃତି ସଂସଦ ଓ ବଜାର ପରିକ୍ରମା କରାଯାଇ ନିଜ ଘର ଗଡ଼ଅଣ୍ଢିଆ ଗ୍ରାମକୁ ନିଆଯାଇଥିଲା।
ରାସ୍ତାରେ ନିମାପଡ଼ା ସୁରକ୍ଷା ପ୍ରକଳ୍ପସ୍ତରୀୟ ମହିଳା ମହାସଂଘ, ବିଶ୍ୱହିନ୍ଦୁ ପରିଷଦ, ନଗର ବିଜେଡି, ଯୁବ ବିଜେଡି, ଓକିଲ ସଂଘ, ନିମାପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନିମାପଡ଼ା ହାଇସ୍କୁଲ, ବ୍ଲକ, ତହସିଲ କାର୍ଯ୍ୟାଳୟର ମୋହରୀର ଓ ଓକିଲ ସଂଘ, ସାଇମନ୍ଦିର ଟ୍ରଷ୍ଟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନିମାପଡ଼ା ବଜାର ଓ ବ୍ୟବସାୟୀ ସଂଘର କର୍ମକର୍ତ୍ତା ସ୍ୱର୍ଗତ ପଟ୍ଟନାୟକଙ୍କ ପାର୍ଥିବ ଶରୀରରେ ଫୁଲମାଳ ଦେଇ ଶେଷ ଦର୍ଶନ କରିଥିଲେ।
ପରେ ତାଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶହ ଶହ ଲୋକ ଗଡ଼ଅଣ୍ଢିଆ ଗ୍ରାମରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ସଂକୀର୍ତ୍ତନରେ ଗାଁ ପରିକ୍ରମା କରିଯିବା ପରେ ଦୋଳବେଦୀ ଛକ ନିକଟସ୍ଥ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା। ମଧ୍ୟାହ୍ନରେ ଦୋଳବେଦୀ ଛକସ୍ଥିତ ଗାଁ ଶ୍ମଶାନରେ ପୁଲିସ ବାହିନୀ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କୁ ସମ୍ମାନିତ କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡ଼ପୁଅ ସୁବାସ ପଟ୍ଟନାୟକ ମୁଖାଗ୍ନି ଦେଇଥିବା ବେଳେ ସାନପୁଅ, ଝିଅ, ନାତିନାତୁଣୀ ଓ ଭଣଜା ଲିଙ୍ଗରାଜ ଗଜେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ତ୍ୟେଷ୍ଟି ସମୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ପୁରୀ ଜିଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡ଼ା, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ ନାୟକ, ପୁରୀ ଜିଲା କଂଗ୍ରେସ କମିଟିର ସଭାପତି ଅମୀୟ ପଟ୍ଟନାୟକ, ଖଦି ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ, ଜାତୀୟ ଗାନ୍ଧୀ ଫାଉଣ୍ଡେସନ ଓଡ଼ିଶା ରାଜ୍ୟ ସଂପାଦକ ବିରୁପାକ୍ଷ ତ୍ରିପାଠୀ, ପୁରୀ ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାସଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା। ସେ ତିନି ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ରେ ସେ ସତ୍ୟାଗ୍ରହ ଆନ୍ଦୋଳନରେ ସାମିଲ ହୋଇଥିଲେ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଅନ୍ତରଙ୍ଗ ସହଯୋଗୀ ଭାବେ ସେ କାର୍ଯ୍ୟ କରିଥିଲେ। ତାଙ୍କ ପ୍ରଚେଷ୍ଟାରେ ନିମାପଡ଼ା କଲେଜ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା।
ସେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ରହି କାର୍ଯ୍ୟ ସୁଚାରୁରୂପେ ତୁଲାଇଥିଲେ। ୨୦୧୮ରେ ତାଙ୍କୁ ପଦ୍ମଶ୍ରୀରେ ଭୂଷିତ କରାଯାଇଥିଲା।

Comments are closed.