ଏକ ଯୁଗର ଅବସାନ : ଜେଲ୍‌ ଖେଳପଡ଼ିଆରୁ ବିଜୁଙ୍କ ସହ ଯୋଡ଼ି ହୋଇଥିଲା ସମ୍ପର୍କ

ଏକଦା ଏକ ସାକ୍ଷାତକାରରେ ସ୍ବର୍ଗତ ଭବାନୀ ଚରଣ ପଟ୍ଟନାୟକ କହିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ବିଜୁବାବୁଙ୍କ ସହ ମୋର ପରିଚୟ କରାଇଥିଲେ। ଏହି ସମୟରେ ନିମାପଡ଼ା ଥାନାରେ ଜାତୀୟ ପତାକା ଉଡ଼ାଇବା ମାମଲାରେ ମୁଁ ଜେଲ୍‌ରେ ଥାଏ। ଆମେ ଦୁହେଁ ଉତ୍ତମ ଭଲିବଲ୍ ଖେଳାଳି ହୋଇଥିବାରୁ ଆମ ଭିତରେ ସମ୍ପର୍କ ନିବିଡ଼ ହୋଇଥିଲା। ଜେଲ୍‌ ଖେଳପଡ଼ିଆରୁ ଆରମ୍ଭ ହୋଇଥିବା ଆମର ଏହି ବନ୍ଧୁତ୍ବ ପରବର୍ତ୍ତୀ ସମୟରେ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଅଧିକ ମଜଭୁତ ହୋଇ ପାରିଥିଲା। ବିଜୁବାବୁ ଜେଲ୍‌ରୁ ମୁକୁଳିବା ପରେ କଟକସ୍ଥିତ ଆନନ୍ଦ ଭବନରେ ଗୃହବନ୍ଦୀ ଭାବେ ରହିଥିଲେ। ମୁଁ ଜେଲ୍‌ରୁ ମୁକୁଳିବା ପରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପରାମର୍ଶ ପାଇଁ ସିଧାଯାଇ ସେଠାରେ ପହଞ୍ଚିଥିଲି। କହିବାକୁ ଗଲେ ମୋର ସମ୍ପୂର୍ଣ୍ଣ ଜୀବନ ବିଜୁବାବୁଙ୍କ ଚତୁଃପାର୍ଶ୍ବରେ ଘୂରି ବୁଲୁଥିଲା। ମୁଁ ଏବେ ରହୁଥିବା ଘରର ନିର୍ମାଣ ସମୟରେ ଏକ ତୃତୀୟାଂଶ ଖର୍ଚ୍ଚ ବିଜୁବାବୁ ବହନ କରିଥିଲେ।
ବିଜୁବାବୁ କ୍ଷମତାକୁ ଆସିବା ପୂର୍ବରୁ ଆମେ ଦୁହେଁ ଏକାଠି ସମଗ୍ର ରାଜ୍ୟ ପରିକ୍ରମା କରିଥିଲୁ, ଯାହା ଆମର ସମ୍ପର୍କକୁ ଅଧିକ ନିବିଡ଼ କରିଥିଲା। ଏହି ସମୟରେ ୧୯୬୧ରେ ପ୍ରଥମ ଥର ପାଇଁ କଂଗ୍ରେସ ଦଳ ସ୍ପଷ୍ଟ ବହୁମତ ସହିତ ନିର୍ବାଚନରେ ବିଜୟୀ ହୋଇଥିଲା। ୧୯୭୯ରେ ଯେତେବେଳେ ବିଜୁବାବୁ ମୋରାରଜୀ ଦେଶାଇଙ୍କ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରି ଚରଣ ସିଂହଙ୍କୁ ସମର୍ଥନ ପାଇଁ ନିଷ୍ପତ୍ତି ନେଲେ ସେତେବେଳେ ତାଙ୍କ ସହିତ ମୋର ସମ୍ପର୍କ କିଛିଟା ତିକ୍ତ ହୋଇଥିଲା। ତେବେ ତାହା ଆମର ବ୍ୟକ୍ତିଗତ ସମ୍ପର୍କକୁ ପ୍ରଭାବିତ କରି ନ ଥିଲା। ବିଜୁବାବୁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ସମୟରେ ତାଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ମିଳିଥିଲା। ସେ ବହୁତ ଶୀଘ୍ର ରାଗି ଯାଉଥିଲେ ଆଉ ମୁଁ ତାଙ୍କୁ ଶାନ୍ତ କରିବା ପାଇଁ ଉଦ୍ୟମ କରୁଥିଲି। ତାଙ୍କ ଧର୍ମପତ୍ନୀ ଜ୍ଞାନ ଦେବୀ ମୋତେ ନିଜର ସାନ ଭାଇ ଭଳି ବିବେଚନା କରୁଥିଲେ। ଏହି ପରିବାର ସହ ମୋର ସମ୍ପର୍କ ବହୁତ ନିବିଡ଼ ଥିଲା।

Comments
Loading...