ଭଦ୍ରକ: ବ୍ୟବସାୟୀଙ୍କଠାରୁ ଗହଣା ଲୁଟ୍‍ ଘଟଣା , ଦେଶୀ ପିସ୍ତଲ ଜବତ କଲା ପୁଲିସ ଜଣେ ଅଟକ

0

ଧାମନଗର :ଶନିବାରରେ ଜଣେ ଗହଣା ଦୋକାନୀଙ୍କ ଠାରୁ ଲୁଟ୍‍ ଘଟଣାରେ ପୁଲିସ ଜଣେ ଲୁଟେରାକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବେଳେ  ମଙ୍ଗଳବାରରେ  ଭଦ୍ରକ ଟାଉନ ପୁଲିସ ଏକ ଦେଶୀ ପିସ୍ତଲ ଜବତ କରିଛି । ଶନିବାର ରାତିରେ ଭଦ୍ରକ ଟାଉନ ପୁଲିସ ଏହି ଲୁଟର ଖବରପାଇ ୧୬ ନମ୍ବର ଜାତୀୟ ରାଜପଥ ସାହାପୁର ନିକଟରେ ଗାଡିଯାଞ୍ଚ କରୁଥିବା ବେଳେ ଲୁଟେରାମାନେ ପୁଲିସକୁ ଦେଖି ସେଠାରୁ ଖସିଯିବାକୁ ଉଦ୍ୟମ କରୁଥିଲେ। ମାତ୍ର ସେହି ସମୟରେ ପୁଲିସର ତତ୍‍କ୍ଷାଣତ ପଦକ୍ଷେପ ଯୋଗୁଁ ଜଣେ ଲୁଟେରାକୁ କାବୁ କରିବାରେ ସକ୍ଷମ ହୋଇଥିଲେ। ହେଲେ ଅନ୍ୟ ଦୁଇ ଲୁଟେରା ସେଠାରୁ ଖସି ଯାଇଥିଲେ।

ମଙ୍ଗଳବାର ପୂର୍ବାହ୍ନରେ ସାହାପୁର ଛକରେ ଟାଉନ ଥାନା ଅଧିକାରୀ ଦିଲ୍ଲୀପ ସାହୁଙ୍କ ନେତୃତ୍ୱରେ ଖାନ ତଲାସ କରାଯାଉଥିବା ବେଳେ ରାସ୍ତାକଡରେ ଏକ ଦେଶୀ ପିସ୍ତଲ (ବନ୍ଧୁକ)କୁ ପୁଲିସ ଜବତ କରିଛି। ପିସ୍ତଲରେ ୪ରାଉଣ୍ଡ ଜୀବନ୍ତ ଗୁଳି ଥିବା ଥାନାଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ପ୍ରକାଶ ଯେ ଦୋବଲ ପଞ୍ଚାୟତ ସୋଧ ଗ୍ରାମର ରତ୍ନାକର ସାହୁ ଧାମନଗର ବଜାରରେ ଥିବା ତାଙ୍କ କନକଦୁର୍ଗା ଜୁଏଲାରୀ ବନ୍ଦ କରି ନିଜ ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ସାଢେ ୯ଟା ସମୟରେ ଧାମନଗର-ଦୋବଲ ରାସ୍ତାର ରାଣିପୋଖରୀହୁଡା ନିକଟରେ ତିନିଜଣ ଲୁଟେରା ଏକ ବାଇକରେ ଆସି ତାଙ୍କୁ ଅଟକାଇ ଥିଲେ। ରତ୍ନାକରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ସ୍କୁଟି ଡିକିରେ ଥିବା ପ୍ରାୟ ୧୩୦-୧୪୦ ଗ୍ରାମ ଓଜନର ସୁନା ଚେନ ଲୁଟି ନେଇ ଫେରାର ହୋଇ ଯାଇଥିଲେ। ଘଟଣା ଘଟିବାର ଆଜକୁ ତିନିଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଜଣକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ଲୁଟ ହୋଇଥିବା ସୁନା ଚେନ କିମ୍ବା ଅନ୍ୟ ଦୁଇ ଲୁଟେରାଙ୍କ ଟେର ପାଇପାରିନାହିଁ।

Leave A Reply