ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୦ ଯାତ୍ରୀଙ୍କ ମୃତ୍ୟୁ ଘଟଣା, ଚାଳକ ଗିରଫ

ବ୍ରହ୍ମପୁର : ୧୧ କେଭି ବିଦ୍ୟୁତ ଲାଇନ ସଂସ୍ପର୍ଶରେ ଆସି ୧୦ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ମଙ୍ଗଳବାର ବସ୍ ଚାଳକକୁ ଗୋଳନ୍ଥରା ଥାନା ପୁଲିସ ଗିରଫ କରିଛି । ବସର ହେଲପର ଏପର୍ୟ୍ୟନ୍ତ ଫେରାର ରହିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତ ରବିବାର ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଟୁଲୁ ରାସ୍ତାରେ ଏକ ବଡ ଧରଣର ଦୁର୍ଘଟଣା ଘଟିଥିଲା। ୧୧ କେଭି ବିଦ୍ୟୁତ୍ ତାର ଲାଗି ଏକ ବସ୍ ଜଳିଯାଇଥିଲା। ଫଳରେ ୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏମକେସିଜି ମେଡିକାଲରେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ୩୫ରୁ ଅଧିକ ଗୁରୁତର ହୋଇଥିଲେ।
ଏକ ନିର୍ବନ୍ଧ ଉତ୍ସବରେ ଯୋଗ ଦେବାକୁ ୪୦ରୁ ଅଧିକ ବରଯାତ୍ରୀଙ୍କୁ ନେଇ ଘରୋଇ ବସ(ସିଲକି ସିଟି) ବ୍ରହ୍ମପୁର ଗୋଳନ୍ଥରା ଥାନା ଡଙ୍କଲପାଟୁରୁ ଚିକରଡାକୁ ଯାଉଥିଲା। ବସରେ ତେଲୁଗୁ ସମ୍ପ୍ରଦାୟର ଲୋକେ ଥିଲେ। ମେଣ୍ଡରାଜପୁର ନିକଟରେ ଗାଁ ରାସ୍ତାରେ ଯାଉଥିବା ବେଳେ ବସଟି ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ବସଟି ହଠାତ ଜଳି ଉଠିଥିଲା। ଗାଡିରେ ଥିବା ଲୋକେ ଜୀବନ ବିକଳରେ ଚିତ୍କାର କରିବା ସହ ବାହରକୁ ବାହାରିବାକୁ ଚେଷ୍ଟା କରିଥିଲେ । ହେଲେ ବସଟି ବିଦ୍ୟୁତ ସଂଯୋଗ ଥିବାରୁ କେହି ସହଜରେ ବାହାରି ପାରିନଥିଲେ। ଏପରିକି ବସ ଭିତରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସି ବିଦ୍ୟୁତ ସଂଯୋଗ କାଟିବା ସହ ବସରୁ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଖବରପାଇ ପୁଲିସ, ଦମକଳ ଓ ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାଯ୍ୟରେ ସହଯୋଗ କରିଥିଲା। ୧୦ରୁ ଉର୍ଦ୍ଧ୍ୱ ଆମ୍ବୁଲାନ୍ସ, ୫ରୁ ଅଧିକ ଦମକଳ ଓ ୧୦ରୁ ଅଧିକ ପୁଲିସ ଗାଡି ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିଲେ।

Comments are closed.