ବ୍ରହ୍ମପୁରରେ ୩ ବ୍ରିଟେନ୍‌ ଫେରନ୍ତା, ଜଣେ ଅସୁସ୍ଥ

ବ୍ରହ୍ମପୁର: କରୋନାର ନୂଆ ରୂପ ବା ସାର୍ସ କୋଭିଡ୍‌-୨କୁ ନେଇ ଏବେ ବିଶ୍ବବ୍ୟାପୀ ଭୟ । ବ୍ରିଟେନ୍‌ରୁ ଏହି ଭୂତାଣୁ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପିବାରେ ଲାଗିଛି । ବହୁ ସଂଖ୍ୟାରେ ଆକ୍ରାନ୍ତଙ୍କ ଜୀବନ ନେଲାଣି । ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ୍‌ରୁ ଫେରୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷା ଏବଂ ସଙ୍ଗରୋଧକୁ ଗୁରୁତ୍ବ ଦିଆଯାଉଛି । ଡିସେମ୍ବର ୭ ତାରିଖରୁ ବ୍ରିଟେନ୍‌ରୁ ଭାରତକୁ ୩୪୪୫ଜଣ ଯାତ୍ରୀ ଫେରିଥିଲେ। ସେଥିରେ କେବଳ ଓଡ଼ିଶାରୁ ୪୩ଜଣ ଅଛନ୍ତି । ଓଡ଼ିଶାକୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ଏହି ନୂଆ ଭୂତାଣୁ ଦ୍ବାରା ଆକ୍ରାନ୍ତ ମଧ୍ୟ ହୋଇଛନ୍ତି । ଓଡ଼ିଶାକୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ବ୍ରହ୍ମପୁର ସହରର ୩ଜଣ ରହିଥିବା ସୂଚନା ମିଳିଛି ।
ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁରକୁ ୩ଜଣ ବ୍ରିଟେନ୍‌ରୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଧର୍ମନଗରର ୪୪ ବର୍ଷୀୟ ଯୁବକ । ସେ ଗତ ୧୭ ତାରିଖରେ ବ୍ରିଟେନ୍‌ରୁ ଫେରିଛନ୍ତି । ଫେରିବା ପରେ ସେ ଗୁରୁତର ଅସୁସ୍ଥ ଅଛନ୍ତି । ଆଉ ଜଣେ ହେଲେ କମାପଲ୍ଲୀ ଅଞ୍ଚଳର ୩୮ ବର୍ଷୀୟ ମହିଳା । ସେ ଗତ ୧୮ ତାରିଖରେ ବ୍ରିଟେନ୍‌ରୁ ଫେରିଛନ୍ତି । ତାଙ୍କୁ ବିମାନବନ୍ଦରରୁ ଘରକୁ ଆଣିବା ପାଇଁ ତାଙ୍କ ଅଭିଭାବକ ଯାଇଥିଲେ । ହେଲେ ଚିନ୍ତାଜନକ ବିଷୟ ହେଲା ଜଣେ ୧୦ ବର୍ଷୀୟ ଶିଶୁ ମଧ୍ୟ ସେଥିରେ ସାମିଲ୍‌ ଥିଲେ । ସେହିଭଳି ଆଉ ଜଣେ ହେଲେ ଶ୍ରୀରାମ ନଗର ଜଗନ୍ନାଥ ବିହାରର ୩୪ ବର୍ଷୀୟ ପୁରୁଷ । ସେ ଗତ ୧୧ ତାରିଖରେ ବ୍ରିଟେନ୍‌ରୁ ଫେରିଛନ୍ତି । ଏମାନଙ୍କ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ରହିଛି । ତଥ୍ୟକୁ ଜିଲା ପ୍ରଶାସନକୁ ମଧ୍ୟ ହସ୍ତାନ୍ତର କରାଯାଇଛି । ଚିହ୍ନଟ ୩ ବ୍ରିଟେନ ଫେରନ୍ତା ବ୍ରହ୍ମପୁରରେ ଅଛନ୍ତି ନା କୌଣସି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସେ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନି।
ରାଜ୍ୟ ସରକାରଙ୍କ ତରଫରୁ ଏସଂପର୍କରେ ଘୋଷଣା ପରେ ଏହି ନୂଆ ଭୂତାଣୁକୁ ନେଇ ନାନା ଚର୍ଚ୍ଚା ଚାଲିଛି । ବିଶେଷକରି ବ୍ରିଟେନ୍‌ ଏହାର ଭୟାବହତା ତୀବ୍ର ଭାବେ ଦେଖିବାକୁ ମିଳୁଛି । କରୋନାର ପୂର୍ବ ଭୂତାଣୁ ଅପେକ୍ଷା ଏହି ନୂଆ ଭୂତାଣୁ ଶୀଘ୍ର ଜଣକ ଦେହରୁ ଅନ୍ୟ ଜଣକୁ ବ୍ୟାପୁଛି । ଭୟଭୀତ ନ ହେବା ପାଇଁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି । ଏନେଇ ସମସ୍ତ ଜିଲାପାଳଙ୍କୁ ଅବଗତ କରାଯାଇଛି । ନିଜ ଅଞ୍ଚଳରେ ଥିବା ବ୍ରିଟେନ୍‌ ଫେରନ୍ତା ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କରୋନା ପରୀକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି । ଶୀଘ୍ର ସମସ୍ତଙ୍କ ଆର୍‌ଟିପିସିଆର୍‌ ସହ କଣ୍ଟାକ୍ଟ ଟ୍ରେସିଂ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସରକାରଙ୍କ ନିର୍ଦେଶ ପରେ ଜିଲା ପ୍ରଶାସନ ତତ୍ପର ହୋଇପଡ଼ିଛି । କରୋନା ମୁକାବିଲା ଦାୟିତ୍ବରେ ଜଣେ ଅଧିକାରୀଙ୍କୁ ହଠାତ୍‌ ଭୁବନେଶ୍ବରରୁ ଡାକରା ମଧ୍ୟ ହୋଇଥିବା ସୂଚନା ମିଳିଛି।

Comments are closed.