ହନୁମାନ ପଇସା କାରବାରରେ, ୪ ଯୁବକ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ ଶନିବାର ହନୁମାନ ପଇସା କାରବାର କରୁଥିବା ଅଭିଯୋଗରେ ୪ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ କରି ସେମାନଙ୍କଠାରୁ ଏକ ହନୁମାନ ମୂର୍ତ୍ତି ଥିବା ମୁଦ୍ରା ସହ କୌଣସି କାଗଜପତ୍ର ନଥିବା ଏକ ସ୍କର୍ପିଓ ଗାଡି ଜବତ କରିଛି ।
ପୁଲିସ ଠାରୁ ମିଳିଥିବା ସୂଚନା ମୁତାବକ, ଦୁଇ ଦିନ ପୂର୍ବେ ଖଡାସିଂ ମେଇନ ରୋଡ଼ରେ ପୁଲିସ ଯାଞ୍ଚ ଚାଲୁଥିବା ବେଳେ ଛତିଶଗଡ଼ ରାଜ୍ୟର ନମ୍ବର ଥିବା ଏକ ସ୍କର୍ପିଓ ଗାଡିକୁ ସନ୍ଦେହରେ ଅଟକାଯାଇଥିଲା । ସେହି ଗାଡ଼ିରେ ବସିଥିବା ୪ ଜଣ ଯୁବକଙ୍କୁ ପଚରା ଉଚରା ବେଳେ ସନ୍ତୋଷଜନକ ଉତ୍ତର ମିଳିନଥିଲା । ସ୍କର୍ପିଓ ଗାଡିର କାଗଜପତ୍ର ମଧ୍ୟ ନଥିଲା । ପୁଲିସ ସମସ୍ତ ଯୁବକଙ୍କୁ ଥାନାକୁ ଆଣି ଜେରା କରିବା ବେଳେ ସେମାନଙ୍କ ଠାରୁ ଜଣେ ନେଭାଲ ଅଫିସରଙ୍କ ନାମରେ ଥିବା ନକଲି ପରିଚୟପତ୍ର ମିଳିଥିଲା । ଏହି ଯୁବକମାନେ ନକଲି ପରିଚୟ ପତ୍ର ଧରି ବିଭିନ୍ନ ଯାଞ୍ଚ ଓ ତନଖି ଫାଟକରୁ ଖସି ଆସୁଥିଲେ । ହନୁମାନ ପଇସା ଚାଲାଣ କରୁଥିଲେ । ଗିରଫ ଯୁବକ ହେଲେ ବ୍ରହ୍ମପୁର କାମ୍ପସହିର ବି. ସାଇକିରଣ ଓ ପବନ କୁମାର, ଏମବି ପେଟାର ସିଏଚ ମନୋହର ଏବଂ ବାଲ୍ମୀକିପେଟାର ଧ୍ରୁବ ଚରଣ ସାହୁ । ଏ ନେଇ ଥାନାରେ ୧୪୯/୧୯ରେ ଏକ ମାମଲା ରୁଜୁ ହୋଇଛି। ଶନିବାର ସମସ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜବତ ସ୍କର୍ପିଓ କାହା ନାମରେ ରହିଛି, ଯୁବକମାନେ କେଉଁଠି ବେଆଇନ ବ୍ୟବସାୟ ଚଳାଇଥିଲେ ସେ ନେଇ ତଦନ୍ତ ଚାଲୁ ରହିଛି ବୋଲି ଥାନା ଅଧିକାରୀ ସରଦାପ୍ରସାଦ ଦାସ କହିଛନ୍ତି।

Comments are closed.