ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଜାନୁଆରୀ ୧୧ରୁ ଆରମ୍ଭ ହେବ ପାଠ ପଢ଼ା

୧୧ ପ୍ରଫେସର,୩୩ ଆସୋସିଏଟ ପ୍ରଫେସର ଓ ୩୪ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି

ଗୋପାଳପୁର: ଦକ୍ଷିଣ ଓଡ଼ିଶାର ଗର୍ବ ଓ ଗୈାରବ ଭାବେ ପରିଚିତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଅନେକ ବର୍ଷ ଧରି ଶିକ୍ଷକ ପଦବୀ ଖାଲି ପଡିରହିଥିବା ଯୋଗୁଁ ଏଠାରେ ଅଧ୍ୟୟନ କରୁଥିବା ସ୍ମାତକୋତ୍ତର ବିଦ୍ୟାର୍ଥୀ ମାନେ ଅନେକ ସମୟରେ ପାଠ ପଢାରୁ ବଞ୍ଚିତ ରହିଆସୁଥିବା ଅଭିଯୋଗ ରହିଅଛି। ଏହା ମଧ୍ୟରେ କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଗତ ଏପ୍ରିଲ ୨୦୧୯ ବନ୍ଦ ରହିଥିବା ବିଶ୍ବବିଦ୍ୟାଳୟ ଉଚ୍ଚ ଶିକ୍ଷା ବିଭାଗର ନିର୍ଦେଶ କ୍ରମେ ଦୀର୍ଘ ୯ ମାସ ପରେ ଜାନୁଆରୀ ୧୧ରୁ ଦ୍ବିତୀୟ ବର୍ଷର ବିଦ୍ୟାର୍ଥୀଙ୍କୁ ପାଠପଢ଼ା ଯିବା ନିମନ୍ତେ ସ୍ଥିର କରାଯାଇଛି। ଏହା ମଧ୍ୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ସମସ୍ତ ଶ୍ରେଣୀ ଗୃହ, କ୍ୟାମ୍ପସ ଓ ହଷ୍ଟେଲ ପରିସରକୁ ସଫାସୁତୁରା କରାଯିବା ସହ ସାନିଟାଇଜ କରାଯାଇଥିବା ସୂଚନା ଦିଆଯାଇଛି। ଅନ୍ୟ ପଟେ କିନ୍ତୁ ଏଠାରେ ଶିକ୍ଷାଦାନ ନିମନ୍ତେ ସମସ୍ତ ୨୧ ସ୍ମାତକୋତ୍ତର ବିଭାଗ ସମେତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଛି। ଯଦ୍ୱାରା ଅନେକ ସମୟରେ ବିଦ୍ୟାର୍ଥୀ ମାନେ ଉପଯୁକ୍ତ ଶିକ୍ଷାଦାନରୁ ବଞ୍ଚିତ ରହିଆସୁଥିବା ଅଭିଯୋଗ ରହିଅଛି।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଦ୍ଭିଦ ବିଜ୍ଞାନ ବିଭାଗରେ ୨ ଆସୋସିଏଟ ପ୍ରଫେସର ପଦବୀ ଖାଲି ପଡିରହିଥିବା ବେଳେ ବିଜିନେସ ଆଡମିନଷ୍ଟ୍ରେସନରେ ୧ ପ୍ରଫେସର, ୩ ଆସୋସିଏଟ ଓ ଆସିଷ୍ଟାଣ୍ଟ ପ୍ରଫେସର, ରସାୟନ ବିଜ୍ଞାନରେ ୧ ପ୍ରଫେସର ଓ ୧ ଆସୋସିଏଟ ପ୍ରଫେସର, ବାଣିଜ୍ୟରେ ୧ ପ୍ରଫେସର, ୩ ଆସୋସିଏଟ ଓ ୨ ଆସିଷ୍ଟାଣ୍ଟ ପ୍ରଫେସର, କମ୍ପ୍ୟୁଟର ସାଇନ୍ସରେ ୩ ଆସୋସିଏଟ ଓ ୧ ଆସିଷ୍ଟାଣ୍ଟ ପ୍ରଫେସର, ଅର୍ଥନୀତିରେ ୧ ଆସୋସିଏଟ ଓ ୧ ଆସିଷ୍ଟାଣ୍ଟ ପ୍ରଫେସର, ଇଲ୍କୋଟ୍ରନିକ୍ସ ସାଇନ୍ସରେ ୧ ଆସୋସିଏଟ ପ୍ରଫେସର, ଇଂରାଜୀରେ ୧ ପ୍ରଫେସର ଓ୨ ଆସିଷ୍ଟାଣ୍ଟ ପ୍ରଫେସର, ଇତିହାସରେ ୧ ପ୍ରଫେସର, ୨ ଆସୋସିଏଟ ଓ ୩ ଆସିଷ୍ଟାଣ୍ଟ ପ୍ରଫେସର, ଗୃହ ବିଜ୍ଞାନରେ ୧ ଆସୋସିଏଟ ଓ ୧ ଆସିଷ୍ଟାଣ୍ଟ ପ୍ରଫେସର, ଆଇଆରପିଏମରେ ୨ ଆସୋସିଏଟ ପ୍ରଫେସର, ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ୧ ପ୍ରଫେସର,୧ ଆସୋସିଏଟ ଓ ୪ ଆସିଷ୍ଟାଣ୍ଟ ପ୍ରଫେସର, ଆଇନରେ ୨ ଆସୋସିଏଟ ଓ ୨ ଆସିଷ୍ଟାଣ୍ଟ ପ୍ରଫେସର, ଲିଙ୍ଗୁଇଷ୍ଟିକରେ ୧ ଆସୋସିଏଟ ପ୍ରଫେସର, ଲିନ୍ଗୁଷ୍ଟିକ ରାସିଆନ ଭାଷାରେ ୧ ଆସିଷ୍ଟାଣ୍ଟ ପ୍ରଫେସର, ଗଣିତରେ ୧ ପ୍ରଫେସର, ୧ ଆସୋସିଏଟ ଓ ୧ ଆସିଷ୍ଟାଣ୍ଟ ପ୍ରଫେସର, ମେରାଇନ ସାଇନ୍ସ(ଓସିନୋଲୋଜି)ରେ ୧ ପ୍ରଫେସର, ୧ ଆସୋସିଏଟ ଓ ୨ ଆସିଷ୍ଟାଣ୍ଟ ପ୍ରଫେସର, ମେରାଇନ ସାଇନ୍ସ (ବାୟୋଲୋଜି)ରେ ୧ ପ୍ରଫେସର, ୧ ଆସୋସିଏଟ ଓ ୧ ଆସିଷ୍ଟାଣ୍ଟ ପ୍ରଫେସର, ଓଡ଼ିଆରେ ୨ ଆସୋସିଏଟ ଓ ୧ ଆସିଷ୍ଟାଣ୍ଟ ପ୍ରଫେସର, ଫିଜିକ୍ସରେ ୧ ଆସୋସିଏଟ ଓ ୨ ଆସିଷ୍ଟାଣ୍ଟ ପ୍ରଫେସର, ରାଜନୀତି ବିଜ୍ଞାନ ରେ ୧ ପ୍ରଫେସର, ୨ ଆସୋସିଏଟ ଓ ୧ ଆସିଷ୍ଟାଣ୍ଟ ପ୍ରଫେସର, ୱମେନ ଷ୍ଟଡିସ ରିସର୍ଚ୍ଚ ସେଣ୍ଟରରେ ୧ ଆସିଷ୍ଟାଣ୍ଟ ପ୍ରଫେସର, ଜୁଲୋଜିରେ ୧ ଆସୋସିଏଟ ଓ ୨ ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ୧ ପ୍ରଫେସର, ୧ ଆସୋସିଏଟ ଓ ୩ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ରହିଥିବା ବେଳେ ଫିଲ୍ଡ ୱାର୍କ ଇନ୍‌ଷ୍ଟ୍ରକ୍ଟର ଗୋଟିଏ ପଦବୀ ଖାଲି ପଡ଼ିରହିଛି।

ଏହା ମଧ୍ୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଚିଠି ନଂ ୭୫୩୭, ତା୨୨/୧୦/୨୦ ରେ ଏଠାରେ ଖାଲି ପଡିଥିବା ୩୫ ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗକୁ ଅନୁରୋଧ କରାଯାଇଥିଲା ‌ଏହି କ୍ରମରେ ଗତ ନଭେମ୍ବର ୨୭,୨୦୨୦ ରେ ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ରଙ୍କ ପକ୍ଷରୁ ଓଡ଼ିଶା ଜନସେବା ଆୟୋଗ କୁ ଚିଠି କରିବା ସହ ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟ ରେ ଖାଲି ପଡିରହିଥିବା ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥିବା ଜଣାପଡିଛି। କିନ୍ତୁ ଆସନ୍ତା ୧୧ ତାରିଖରୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଶିକ୍ଷାଦାନ ଆରମ୍ଭ କରାଯାଉଥିବା ଯୋଗୁଁ ଏହା ମଧ୍ୟରେ ଆଇନ, ସାମ୍ବାଦିକତା ଓ ଗଣ ଯୋଗାଯୋଗ,ମେରାଇନ ସାଇନ୍ସ ଓ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ରେ ୭ ଜଣ ଙ୍କୁ ଅତିଥି ଅଧ୍ୟାପକ ଭାବେ ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଗତ ୩ ବର୍ଷ ତଳେ ବିଶ୍ବବିଦ୍ୟାଳୟ ପକ୍ଷରୁ ପୂର୍ବରୁ ବିଭିନ୍ନ ବିଭାଗରେ ଥିବା ୨୫ ସଂଖ୍ୟା ବିଶିଷ୍ଟ ସିଟ୍ ସଂଖ୍ୟାକୁ ବୃଦ୍ଧି କରାଯାଇ ୫୦ କରାଯିବା ପରେ ଶିକ୍ଷାଦାନରେ ଘୋର ଅବ୍ୟବସ୍ଥା ଦେଖାଦେଇଥିବା ବିଦ୍ୟାର୍ଥୀମାନେ ଅଭିଯୋଗ କରିଛନ୍ତି। ଏଣୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଉଚ୍ଚ ଶିକ୍ଷା ବିଭାଗ ବିଶ୍ବବିଦ୍ୟାଳୟରେ ଖାଲି ପଡିଥିବା ବିଭିନ୍ନ ପ୍ରଫେସର ପଦବୀକୁ ତୁରନ୍ତ ପୂରଣ କରିବା ନିମନ୍ତେ ପଦକ୍ଷେପ ନେବାକୁ ଅଭିଭାବକ ସମେତ ବିଦ୍ୟାର୍ଥୀ ମାନେ ଦାବି ଜଣାଇଛନ୍ତି।ଏହା ସହ ବିଶ୍ବବିଦ୍ୟାଳୟ ରେ ବହୁ ସଂଖ୍ୟକ ଅଣଶିକ୍ଷକ ପଦବୀ ମଧ୍ୟ ଖାଲି ପଡିଥିବା ଯୋଗୁଁ ଅନେକ ସମୟରେ ଅଫିସ କାର୍ଯ୍ୟ କରିବାରେ ଅସୁବିଧା ହେଉଥିବା ମଧ୍ୟ ଜଣାପଡିଛି।

Comments are closed.