ବ୍ରହ୍ମପୁରରେ ରାଜ୍ୟ ଖାଉଟି କମିଶନ ସର୍କିଟ ବେଞ୍ଚ ସ୍ଥାପନ ପଦ୍ମ ଘୁଞ୍ଚୁଛି

ବ୍ରହ୍ମପୁର :ବ୍ରହ୍ମପୁରରେ ରାଜ୍ୟ ଖାଉଟି କମିଶନ(ଖାଉଟି ବିବାଦ ମୀମାଂସା ପୀଠ)ର ସର୍କିଟ ବେଞ୍ଚ ପ୍ରତିଷ୍ଠା ପାଇଁ ୪ବର୍ଷ ତଳେ ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ଏହା ଆଜି ପର୍ୟ୍ୟନ୍ତ କାର୍ୟ୍ୟକାରୀ ହୋଇପାରିନାହିଁ। ଗଞ୍ଜାମ ଜିଲା ମୁଖ୍ୟମନ୍ତ୍ରୀଙ୍କ ଜିଲା ହୋଇଥିଲେ ସୁଦ୍ଧା ଏହି ସରକାରୀ ନିଷ୍ପତ୍ତି କାର୍ୟ୍ୟକାରୀ ହେବାରେ ଅହେତୁକ ବିଳମ୍ବ ଘଟଣା ଅନେକଙ୍କୁ ବିସ୍ମିତ କରିଛି। ଖାଉଟି କମିଶନ ସର୍କିଟ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ଜାତୀୟ ମାନବାଧିକାର କମିଶନ ମଧ୍ୟ ସକରାତ୍ମକ ମତ ପୋଷଣ କରିଥିଲେ ସୁଦ୍ଧା ଏହା ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଇନାହିଁ।

ବ୍ରହ୍ମପୁରରେ ରାଜ୍ୟ ଖାଉଟି କମିଶନ ସର୍କିଟ କମିଶନର ସର୍କିଟ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ଦୀର୍ଘ ଦିନରୁ ଦାବି ହୋଇଆସୁଛି। ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଜାରି ରହିଥିବାବେଳେ ଏଠାରେ ଖାଉଟି କମିଶନଙ୍କ ସର୍କିଟ ବେଞ୍ଚ ପ୍ରତିଷ୍ଠା ନେଇ ମଧ୍ୟ ଦାବି ହେଉଛି। ବ୍ରହ୍ମପୁରରେ ଏକ ଜିଲା ଖାଉଟି ଅଦାଲତ(ଜିଲା ଖାଉଟି ବିବାଦ ମୀମାଂସା ପୀଠ) ରହିଛି। ଏଠାରେ ଖାଉଟି ବିବାଦ ସଂକ୍ରାନ୍ତ ବହୁ ମାମଲାର ବିଚାରଣା ହୋଇଥାଏ। କିନ୍ତୁ ଜିଲା ଖାଉଟି ଅଦାଲତର ରାୟ ଉପରେ ଅପିଲ କରିବାକୁ ହେଲେ ଉପଭୋକ୍ତାମାନଙ୍କୁ କଟକସ୍ଥିତ ରାଜ୍ୟ ଖାଉଟି କମିଶନ ନିକଟକୁ ଯିବାକୁ ପଡିଥାଏ। ଦକ୍ଷିଣାଞ୍ଚଳର ୧୦ଟି ଜିଲାର ଖାଉଟିମାନଙ୍କ ଆପିଲେଟ୍ ଖାଉଟି ଅଦାଲତ ଭାବେ କଟକ ସ୍ଥିତ ରାଜ୍ୟ ଖାଉଟି କମିଶନ ରହିଛି। ଅର୍ଥ ତଥା ସମୟ ଅଭାବରୁ ଅନେକ ସମୟରେ ଗଞ୍ଜାମ ଜିଲା ସମେତ ୧୦ ଜିଲାର ଶହ ଜନସାଧାରଣ ଆପିଲେଟ ଖାଉଟି ଅଦାଲତକୁ ଯାଇପାରିନଥାନ୍ତି। ବହୁ ଖାଉଟି ନିଜର ମାମଲାର ଶୁଣାଣି ପାଇଁ ଏକାଧିକ ଥର କଟକ ଯାଇ ମଧ୍ୟ ଆସୁଛନ୍ତି। ଏଥିଯୋଗୁ ଏ ଅଞ୍ଚଳର ଖାଉଟି ତ୍ବରିତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଦୀର୍ଘ ଦିନର ଦାବି ପରେ ବ୍ରହ୍ମପୁରରେ ରାଜ୍ୟ ଖାଉଟି କମିଶନ ସର୍କିଟ ବେଞ୍ଚ ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ।ଏ ସଂକ୍ରାନ୍ତରେ ୨୦୧୬ ସେପ୍ଟେମ୍ବର ୨୬ ତାରିଖରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଅନୁସାରେ ବ୍ରହ୍ମପୁର ଓ ସମ୍ବଲପୁରଠାରେ ଏହି ସର୍କିଟ ବେଞ୍ଚ ଖୋଲାଯିବାକୁ ସ୍ଥିର ହୋଇଥିଲା। ସରକାରୀ ନିଷ୍ପତ୍ତି ପରେ ସର୍କିଟ ବେଞ୍ଚ ପାଇଁ ସ୍ଥାନ ମଧ୍ୟ ଚୂଡ଼ାନ୍ତ ହୋଇଥିଲା। ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ବ କାର୍ୟ୍ୟାଳୟ ପରିସରରେ ଥିବା କ୍ୟାମ୍ପ କୋର୍ଟରେ ଅସ୍ଥାୟୀ ଭାବେ ଖାଉଟି କମିଶନର ସର୍କିଟ ବେଞ୍ଚ କାର୍ୟ୍ୟକରିବ ବୋଲି ସରକାରୀ ସ୍ତରରେ ସ୍ଥିର ହୋଇଥିଲା। କିନ୍ତୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବାର ଦୀର୍ଘ ୪ବର୍ଷ ବିତିଯାଇଥିଲେ ମଧ୍ୟ ସର୍କିଟ ବେଞ୍ଚ ପ୍ରତିଷ୍ଠା ଘୁଞ୍ଚିବାରେ ଲାଗିଛି। ସର୍କିଟ ବେଞ୍ଚ ପ୍ରତି​‌ଷ୍ଠା ପାଇଁ ବ୍ରହ୍ମପୁରସ୍ଥିତ ଉପଭୋକ୍ତା ଆଇନଜୀବୀ ସଂଘ ପକ୍ଷରୁ ବହୁବାର ଯୋଗାଣ ବିଭାଗ ମନ୍ତ୍ରୀ ଓ ସଚିିବଙ୍କଠାରେ ଦାବି କରାଯାଇଥିଲେ ସୁଦ୍ଧା ଆଜି ପର୍ୟ୍ୟନ୍ତ ସର୍କିଟ ବେଞ୍ଚ ପାଇଁ ଉଦ୍ଦିଷ୍ଟ ୨ ସଦସ୍ୟ ନିଯୁକ୍ତି ହୋଇପାରୁନଥିବାରୁ ସର୍କିଟ ବେଞ୍ଚ ଏଠାରେ କାର୍ୟ୍ୟକ୍ଷମ ହୋଇପାରୁନାହିଁ। ଖାଉଟି ସର୍କିଟ ବେଞ୍ଚ ପ୍ରତିଷ୍ଠାରେ ବିଳମ୍ବ ହେବାରୁ ଉପଭୋକ୍ତା ଆଇନଜୀବୀ ସଂଘର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ କୈଳାସ ମିଶ୍ର ଏ ସଂକ୍ରାନ୍ତରେ ୨୦୧୯ ଅକ୍ଟୋବରରେ ଜାତୀୟ ମାନବାଧିକାର କମିଶନରେ ଏକ ପିଟିସନ ଦାଏର କରି ବ୍ରହ୍ମପୁରରେ ଖାଉଟି କମିଶନ ସର୍କିଟ ବେଞ୍ଚ ପ୍ରତିଷ୍ଠା ସହ ରାଜ୍ୟର ବିଭିନ୍ନ ଜିଲାରେ ଖାଲିଥିବା ଖାଉଟି ଅଦାଲତ ସଭାପତି ଓ ସଦସ୍ୟ ପଦ ପୂରଣ କରିବାକୁ ଆବେଦନ କରିଥିଲେ। ଏହା ଉପରେ ବିଚାର କରି ୮ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ଜାତୀୟ ମାନବ ଅଧିକାର କମିଶନ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ଏହା ମଧ୍ୟ କାର୍ୟ୍ୟକାରୀ ହୋଇପାରିନାହିଁ। ଦୀର୍ଘ ଦିନ ଧରି ସରକାରୀ ନିଷ୍ପତ୍ତି କାର୍ୟ୍ୟକାରୀ ନ ହେବାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବ୍ରହ୍ମପୁରରେ ଖାଉଟି କମିଶନ ସର୍କିଟ ବେଞ୍ଚ ପ୍ରତିଷ୍ଠା ହେବା ନେଇ ନିଷ୍ପତ୍ତି ହୋଇପାରିନଥିବାବେଳେ କମିଶନରେ ଖାଲିଥିବା ଗୋଟିଏ ବିଚାରପତି ଏବଂ ୩ଜଣ ସଦସ୍ୟ ପଦ ମଧ୍ୟ ଏଯାଏ ସରକାର ପୂରଣ କରିନଥିବାରୁ ଏହାକୁ ନେଇ ନାନା ଦ୍ବନ୍ଦ୍ବ ଲାଗି ରହିଛି। ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଖାଉଟି କମିଶନ ସର୍କିଟ ବେଞ୍ଚ ପ୍ରତିଷ୍ଠା ପଦ୍ମ କାହିଁକି ଘୁଞ୍ଚୁଛି ତାହା ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ବିଶେଷକରି ଗେଜେଟ ବିଜ୍ଞପ୍ତି ପ୍ରକାଶ ପରେ ଏଥିରେ ଅହେତୁକ ବିଳମ୍ବ ଆନନଜୀବୀଙ୍କ ମଧ୍ୟରେ ତୀବ୍ରପ୍ରତିକ୍ରିୟା ପ୍ର କାଶ ପାଇଛି। ଉପଭୋକ୍ତା ଆଇନଜୀବୀ ସଂଘର ସମ୍ପାଦକ ସତୀଶ ପାଣିଗ୍ରାହୀଙ୍କ କହିବାନୁସାରେ ସରକାର ୨୦୧୯ରେ ଖାଉଟି ସୁରକ୍ଷା ଆଇନରେ ପରିବର୍ତ୍ତନ ଆଣିଲେ। ଏଥିରେ ଉପଭୋକ୍ତାଙ୍କୁ ହାତ ପାଆନ୍ତାରେ ନ୍ୟାୟ ପହଞ୍ଚାଇବା ସରକାର ବ୍ୟବସ୍ଥା କରିଛଡ଼୍ତି। ବ୍ରହ୍ମପୁରରେ ଖାଉଟି କମିଶନ ସର୍କିଟ ବେଞ୍ଚ ସ୍ଥାପନ ହେଲେ ଗଞ୍ଜାମ ସମେତ ଦକ୍ଷିଣାଞ୍ଚଳର ୧୦ ଜିଲାର ଉପଭୋକ୍ତା ଜିଲା ଖାଉଟି ଅଦାଲତର ବିଭିନ୍ନ ମାମଲାର ଅପିଲ ପାଇଁ ଆଉ କଟକ ନଯାଇ ବ୍ରହ୍ମପୁରରେ ସର୍କିଟ ବେଞ୍ଚରେ ଦାଖଲ କରିପାରିବେ। କିନ୍ତୁ ଖାଉଟି ସର୍କିଟ ବେଞ୍ଚ ସ୍ଥାପନ କରାନଯାଇ ଖାଉଟିଙ୍କୁ ତ୍ବରିତ ନ୍ୟାୟରୁ ବଞ୍ଚିତ କରିବା ଠିକ ହେଉନାହିଁ ବୋଲି ସେ କହିଛନ୍ତି।

Comments are closed.