ବିପୁଳ ମଦ, ପୋଚ ସହ ୩ଟି କାର ଜବତ

କୋରଙ୍ଗାରେ ଅବକାରୀ ଚଢାଉ

ଆଠଗଡ :  କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଅବକାରୀ ଉପଅଧିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ୱରେ ଶୁକ୍ରବାର ପ୍ରତ୍ୟୁଷରେ ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ଚାଲିଥିବା ଏକାଧିକ ବେଆଇନ ମଦଭାଟି ଉପରେ ଚଢାଉ କରାଯାଇଥିଲା । ଆଠଗଡ ଅବକାରୀ ଓ କଟକ ଭ୍ରାମ୍ୟମାଣ ଅବକାରୀ ସ୍କାର୍ଡ ପକ୍ଷରୁ ହୋଇଥିବା ଏହି ମିଳିତ ଚଢାଉ ସମୟରେ ବହୁ ବେଆଇନ ମଦଭାଟିରୁ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୭ ହଜାର ୫୯୫ଲିଟର ଗୁଡ ମିଶ୍ରିତ ପୋଚ ଏବଂ ସଦ୍ୟପ୍ରସ୍ତୁତ ୨ ହଜାର୧୩୫ଲିଟର ଦେଶୀମଦ ଜବତ କରାଯାଇଥିଲା । ଏଥି ସହିତ ମଦ ଚାଲାଣ କରାଯାଉଥିବା ୩ଟି ମାରୁତି କାରକୁ ମଧ୍ୟ ଏହି ମିଳିତ ସ୍କାର୍ଡ ଜବତ କରିଥିବା ଜଣାପଡିଛି । ଦୂରରୁ ଅବକାରୀ ବିଭାଗର ଏକାଧିକ ଗାଡି ଆସୁଥିବା ଦେଖି ମଦ ମାଫିଆ ଫେରାର ହୋଇଯିବାରୁ କାହାରିକୁ ଗିରଫ କରାଯାଇନଥିଲେ ମଧ୍ୟ ଏ ସଂପର୍କରେ ୫ଟି ମାମଲା ରୁଜୁ କରାଯାଇଛି । ଆଠଗଡ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ଭ୍ରାମ୍ୟମାଣ ଅବକାରୀ ସ୍କ୍ବାର୍ଡ ନିରୀକ୍ଷକ ସଂଜୀତ୍‌‌ ବାର୍ଲା, ଆଠଗଡ ଉପନିରୀକ୍ଷକ ସୌମ୍ୟରଞ୍ଜନ ମାଝି, ବାଙ୍କୀ ଉପନିରୀକ୍ଷକ ଦୀପକ କୁମାର ମାରାଣ୍ଡିଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ଏହି ଚଢଉରେ ଅଂଶଗ୍ରହଣ କରିଥିଲେ।

Comments are closed.